ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରଠାରୁ ଆଦାନୀ ଗ୍ରୁପ୍ ବିରୋଧୀଙ୍କ ଆକ୍ରମଣର ଶିକାର ହୋଇଛି। ଏହାକୁ ନେଇ କଂଗ୍ରେସର ଅନେକ ନେତା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏଲଆଇସି ଏବଂ ଷ୍ଟେଟ୍ ବ୍ୟାଙ୍କ୍ ଭଳି ରାଷ୍ଟ୍ରାୟତ୍ତ କମ୍ପାନୀର ପରିଚାଳନା ସଂସ୍ଥାଗୁଡ଼ିକ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ଆଦାନୀ ଗ୍ରୁପ ଆର୍ଥିକ କ୍ଷେତ୍ର ଏବଂ ଏହାର ନିୟମାବଳୀକୁ ମଧ୍ୟ ଠିକ୍ ଭାବେ କାର୍ଯ୍ୟକାରୀ କରୁଛନ୍ତି।
ସେହିପରି ଆଦାନୀ ଗ୍ରୁପ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କଂଗ୍ରେସ ଟୁଇଟ୍ କରିଛି ଯେ ଡାଓ ଜୋନ୍ସ ଆଦାନୀଙ୍କୁ ସଷ୍ଟେନେବିଲିଟି ଇଣ୍ଡେକ୍ସରୁ ବାଦ୍ ଦେଉଛି, ସାରା ବିଶ୍ୱରେ ଆଦାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଚୁପ୍ ବସିଛନ୍ତି। ଆମ ସରକାର କେବେ ପଦକ୍ଷେପ ନେବେ?
ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶୁକ୍ରବାର କହିଛନ୍ତି ଯେ ଆଦାନୀ ଗ୍ରୁପ ସହିତ ସରକାରଙ୍କର କୌଣସି ସମ୍ପର୍କ ନାହିଁ।
କଂଗ୍ରେସର ବରିଷ୍ଠ ନେତା ତଥା ଥିରୁଅନନ୍ତପୁରମ ଲୋକସଭା ସାଂସଦ ଶଶି ଥରୁର ଅଭିଯୋଗ କରିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାର ସଂସଦରେ ଆଦାନୀ ଗ୍ରୁପ ପ୍ରସଙ୍ଗରେ ଆଲୋଚନା ପାଇଁ ଅନୁମତି ଦେଉନାହାନ୍ତି, କାରଣ ସେ ଭାବୁଛନ୍ତି ଏହା ତାଙ୍କୁ ବିବ୍ରତ କରିପାରେ।
ଅନ୍ୟ ପକ୍ଷରେ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ କହିଛନ୍ତି, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ବିରୋଧୀଙ୍କୁ ଅନୁମତି ଦିଆଯିବା ଉଚିତ ଏବଂ ଆଲୋଚନା ସମୟରେ ସେମାନେ ଯାହା ଚାହିଁବେ ତାହା ଉଠାଇ ପାରିବେ ନାହିଁ।
ଥରୁର କହିଛନ୍ତି, ବିରୋଧୀ ଦଳଗୁଡ଼ିକର ଏକମାତ୍ର ଦାବି ହେଉଛି, ଆଦାନୀ ମାମଲାରେ ସାଧାରଣ ଲୋକଙ୍କ ଉପରେ କି ପ୍ରଭାବ ପକାଇବ ସେନେଇ ଆଲୋଚନା କରାଯାଉ, ଆମେ ଏହା ବିଷୟରେ ଜାଣିବା ଉଚିତ୍। ଏଲଆଇସି ଏବଂ ଅନ୍ୟ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ଏହି ଷ୍ଟକ୍ (ଆଦାନୀର)ରେ ନିବେଶ କରିଛନ୍ତି, ଜଣେ ସାଧାରଣ ଲୋକ ଯାହାର ଏଲଆଇସି ଏବଂ ସରକାରୀ ବ୍ୟାଙ୍କରେ ସେଭିଂ ଅଛି, ସେ ଜାଣି ରଖିବା ଉଚିତ ଯେ ତାଙ୍କର ସେଭିଂ ସୁରକ୍ଷିତ ଅଛି, ସରକାର କିଛି ନା କିଛି କରୁଛନ୍ତି।
ଥରୁର କହିଛନ୍ତି, ଗଣତନ୍ତ୍ରରେ ସଂସଦ ଆଲୋଚନା ପାଇଁ ଥାଏ, ଯଦି ଆମେ ଆଲୋଚନାକୁ ଅନୁମତି ନଦେବା ତେବେ ଏହାର ଅର୍ଥ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ସରକାର ଭାବୁଛନ୍ତି ଯେ ଯଦି ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଏ ତେବେ ଏହା ତାଙ୍କ ପାଇଁ ଅଡୁଆର କାରଣ ହୋଇପାରେ।
Comments are closed.