Latest Odisha News

BREAKING NEWS

ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ଭାବ୍ୟ ବନ୍ୟା ପରିଚାଳନା ସମ୍ପର୍କରେ ସମୀକ୍ଷା, ସତର୍କ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଗାଣ ବାର୍ଷା। ବର୍ଷା ଯୋଗୁଁ ବିଭିନ୍ନ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଛି। ଏଥିଯୋଗୁଁ ଆଗକୁ ସମ୍ଭାବ୍ୟ ବର୍ଷା ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ୍ୟର ସମସ୍ତ ପ୍ରମୁଖ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପର ଜଳଭଣ୍ଡାର ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ଜଳଭଣ୍ଡାରଗୁଡ଼ିକରୁ ଜଳ ନିଷ୍କାସନ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟ୍ ଖୋଲାଯିବା ସହ ଡ୍ୟାମରୁ ଜଳ ପ୍ରବାହିତ ହେବା ପରେ ସାମ୍ପ୍ରତିକ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରାଯାଇଛି। ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ହୀରାକୁଦ ସମେତ ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳଭଣ୍ଡାରଗୁଡିକର ଜଳସ୍ତର, ବିଭିନ୍ନ ନଦୀରେ ଜଳପ୍ରବାହ ସ୍ଥିତି ଓ ଏଥିପାଇଁ ଜଳସଂପଦ ବିଭାଗ ସମେତ ସଂପୃକ୍ତ ବିଭିନ୍ନ ବିଭାଗ ଏବଂ ଜିଲ୍ଲାର ଜିଲ୍ଲାପାଳମାନଙ୍କର ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା କରିଛନ୍ତି।

ବୈଠକରେ ହୀରାକୁଦ ଓ ରେଙ୍ଗାଲି ଜଳଭଣ୍ଡାର ସମେତ ଅନ୍ୟ ବିଭିନ୍ନ ବୃହତ୍ ଓ ମଧ୍ୟମ ଜଳ ଭଣ୍ଡାରଗୁଡ଼ିକର ଜଳଧାରଣ କ୍ଷମତା ଓ ବର୍ତ୍ତମାନର ଜଳସ୍ତର ସ୍ଥିତି ସଂପର୍କରେ ଅନୁଧ୍ୟାନ କରାଯାଇଛି। ବନ୍ୟା ଜଳ ଛଡ଼ାଯିବା ପୂର୍ବରୁ ସମସ୍ତ ଡ୍ୟାମ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ ଇ-ମେଲ କିମ୍ବା ହ୍ୱାଟସ ଆପ୍ କିମ୍ବା ଫୋନ୍ ଯୋଗେ ଅବଗତ କରିବା ସହ ଏସଓପି ପାଳନ କରିବା ଏବଂ ବନ୍ୟା ପରିସ୍ଥିତିରେ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନିଜ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ସତର୍କ ରହିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ସମୟରେ ସମସ୍ତଙ୍କୁ ସତର୍କ ରହି କାର୍ଯ୍ୟ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.