Latest Odisha News

BREAKING NEWS

ଆଜିଠୁ ଡିପ୍ଲୋମା ଇଞ୍ଜିନିୟରିଂ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ଡିପ୍ଲୋମା ଇଞ୍ଜିନିୟରିଂ ନାମଲେଖା ଆରମ୍ଭ ହେବ। ଜୁନ ୨୯ ରୁ ଜୁଲାଇ ୫ ତାରିଖ ମଧ୍ୟରେ ପ୍ରଥମ ରାଉଣ୍ଡରେ ସିଲେକ୍ସନ ହୋଇଥିବା ଆବେଦନକାରୀ ନାମ ଲେଖାଇବେ। ଚୟନ ହୋଇଥିବା ଛାତ୍ରଛାତ୍ରୀ ଜୁନ ୨୮ ରୁ ଜୁଲାଇ ୩ ତାରିଖ ମଧ୍ୟରେ ଅନଲାଇନ ମାଧ୍ୟମରେ ଫି ଦାଖଲ କରିବେ। ସେହିପରି ଜୁଲାଇ ୧୩ ରେ ଦ୍ୱିତୀୟ ରାଉଣ୍ଡ ନାମଲେଖା ପାଇଁ ସିଲେକ୍ସନ ଲିଷ୍ଟ ବାହାରିବ। ଜୁଲାଇ ୨୨ ରୁ ଅଗଷ୍ଟ ମଧ୍ୟରେ ସ୍ପଟ୍ ଆଡମିଶନ କରାଯିବ।

ନାମଲେଖା ସମୟରେ ନିଜର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ନାମଲେଖା ଫି ଦାଖଲ କରିବେ। ସଦକ୍ଷା ଯୋଜନାରେ ସରକାରୀ ପଲିଟେକ୍ନିକରେ ପଢୁଥିବା ଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ଭାବେ ମାଗଣା ଶିକ୍ଷାଦାନ ଦିଆଯିବ। ଏଥିପାଇଁ ବୁଧବାର ପ୍ରଥମ ରାଉଣ୍ଡ ଆଲଟମେଣ୍ଟ ହୋଇଥିବା ସିଟରେ ଡିଏସି ସ୍ତରରେ ଯାଞ୍ଚ ସରିଛି। ଦଶମ ଶ୍ରେଣୀ ପାସ୍‌ ଛାତ୍ରଛାତ୍ରୀ ପ୍ରଥମ ସେମିଷ୍ଟାର ଡିପ୍ଲୋମା ଇଞ୍ଜିନିୟରିଂ କୋର୍ସ ପାଇଁ ଆବେଦନ କରିବେ। ତୃତୀୟ ସେମିଷ୍ଟାର ଇଞ୍ଜିନିୟରିଂ ଟେକ୍ନୋଲୋଜି (ଲାଟେରାଲ୍‌ ଏଣ୍ଟ୍ରି) କୋର୍ସ ପାଇଁ ଯୁକ୍ତ ୨ କିମ୍ବା ଆଇଟିଆଇ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଏନେଇ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ନିର୍ଦ୍ଦେଶାଳୟର ବିଜ୍ଞପ୍ତି ଅନୁଯାୟୀ, ଆବେଦନକାରୀଙ୍କ ବୟସ ସୀମା ଜୁଲାଇ ୨୦୨୩ ସୁଦ୍ଧା ୧୪ ବର୍ଷ ହୋଇଥିବା ଆବଶ୍ୟକ । ସେହିପରି ବାହାର ରାଜ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତ୍ୟେକ ବେସରକାରୀ ଇଞ୍ଜିନିୟରିଂ କଲେଜ୍‌ରେ ୧୫ ପ୍ରତିଶତ ସିଟ୍‌ ସଂରକ୍ଷଣ ରଖାଯାଇଛି। ରାଜ୍ୟରେ ୧୬୨ଟି ବୈଷୟିକ କଲେଜରେ ଡିପ୍ଲୋମା ଇଞ୍ଜିନିୟରିଂ ପାଇଁ ମୋଟ ୭୬,୩୧୯ ସିଟ୍ ରହିଛି। ନାମଲେଖା ପାଇଁ ଏପ୍ରିଲ ୧୭ରୁ ଅନଲାଇନରେ ଆବେଦନ ଆରମ୍ଭ ହୋଇଥିଲା। ଜୁନ୍ ୧୯ ତାରିଖରେ ନାମଲେଖା ଆବେଦନ ଶେଷ ହୋଇଛି। ଚଳିତବର୍ଷ ୬୬,୨୩୫ ଜଣ ପଞ୍ଜୀକରଣ କରିଥିବା ବେଳେ ୪୮,୧୫୬ ଜଣ ଆବେଦନ କରିଛନ୍ତି।

Comments are closed.