Latest Odisha News

BREAKING NEWS

ମଧ୍ୟପ୍ରଦେଶ ଖାଦ୍ୟ ଯୋଗାଣ ବିଭାଗ ପ୍ରତିନିଧି ଦଳଙ୍କ ଓଡିଶା ଗସ୍ତ, ସ୍ୱୟଂଚାଳିତ ପି-ପାସ୍‌ ବ୍ୟବସ୍ଥାକୁ ପ୍ରଶଂସା

ଭୁବନେଶ୍ୱର: ମଧ୍ୟପ୍ରଦେଶ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସୁରକ୍ଷା ବିଭାଗର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଅଛନ୍ତି। ମଞ୍ଚେଶ୍ୱରସ୍ଥିତ ଚାଉଳ ସଂଗ୍ରହ କେନ୍ଦ୍ର ତଥା ବିଭାଗୀୟ ସଂରକ୍ଷଣ କେନ୍ଦ୍ର ବୁଲି ଦେଖିଥିଲେ। ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଏଚ୍‌. ଏସ୍‌. ପରମାରଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳରେ ମଧ୍ୟପ୍ରଦେଶ ରାଜ୍ୟ ଖାଦ୍ୟ ଯୋଗାଣ ନିଗମର ସାଧାରଣ ପରିଚାଳକ କେ. କେ. ଶ୍ରୀବାସ୍ତବ, ସୂଚନା ପ୍ରଯୁକ୍ତି ପରାମର୍ଶଦାତା ପରାଗ ପାଠକ ପ୍ରମୁଖ ଉପସ୍ଥିତ ଥିଲେ ।

ଧାନ ସଂଗ୍ରହ ବ୍ୟବସ୍ଥାକୁ ସ୍ୱୟଂଚାଳିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁସୃତ ଅଭିନବ ପ୍ରଣାଳୀ ଓ ଲକ୍ଷ୍ୟଯୁକ୍ତ ସାଧାରଣ ବଣ୍ଟନ ବ୍ୟବସ୍ଥା ରୂପାନ୍ତରଣ ଆଦି ବିଷୟରେ ସେମାନେ ଅନୁଧ୍ୟାନ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ୍‌ର ସାନ୍ତୋଳିଆ ରାଇସ୍‌ମିଲ୍‌ ବୁଲି ଧାନ ପେସା କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ରାଜ୍ୟର ୩୦ଟି ଜିଲ୍ଲାରେ ଧାନ କ୍ରୟ କେନ୍ଦ୍ରମାନ ଖୋଲାଯାଇ ଚାଷୀମାନଙ୍କଠାରୁ ସିଧାସଳଖ ଧାନ ସଂଗ୍ରହ କରାଯିବା ଓ ଚାଷୀମାନେ ନିଜର ଦୁଆର ନିକଟରୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିକି୍ର କରିବାର ସୁବିଧା ପ୍ରତିନିଧି ଦଳକୁ ଆଶ୍ଚର୍ଯ୍ୟ କରିଥିଲା।

ଖାଦ୍ୟ ଯୋଗାଣ ବିଭାଗ ଓ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ଅଧିକାରୀମାନଙ୍କ ସହ ମଧ୍ୟପ୍ରଦେଶର ପ୍ରତିନିଧି ଦଳ ମତ ବିନିମୟ କରିଥିଲେ। ଧାନ ସଂଗ୍ରହ ସ୍ୱୟଂଚାଳିତ ପି-ପାସ୍‌ ବ୍ୟବସ୍ଥାର ବିଭିନ୍ନ ଦିଗ ଓ କାର୍ଯ୍ୟକାରିତା, ଯୋଗାଣ ଶୃଙ୍ଖଳ ପରିଚାଳନା ବ୍ୟବସ୍ଥା, ରାସନ କାର୍ଡ ପରିଚାଳନା ବ୍ୟବସ୍ଥା, ମୈତ୍ରୀ ସୁଲଭ ଦୋକାନ ସ୍ୱୟଂଚାଳିତ ବ୍ୟବସ୍ଥା ଏବଂ ଖାଉଟିମାନଙ୍କ ଅଭିଯୋଗ ଶୁଣାଣି ଏବଂ ସମାଧାନ ବ୍ୟବସ୍ଥା ସମ୍ବନ୍ଧରେ ସେମାନେ ପଚାରି ବୁଝିଥିଲେ।

ପ୍ରତିନିଧି ଦଳ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ମୈତ୍ରୀ ସୁଲଭ ଦୋକାନ ବୁଲି ଖାଦ୍ୟଶସ୍ୟ ଏ.ଟି.ଏମ୍‌. କିପରି କାର୍ଯ୍ୟ କରୁଛି ଦେଖିଥିଲେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରିତା ଓ ସ୍ୱୟଂଚାଳିତ ଧାନ ସଂଗ୍ରହ ବ୍ୟବସ୍ଥା ପ୍ରଚଳନ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ଯୁଗ୍ମ ନିର୍ଦ୍ଦେଶକ ଏଚ୍‌. ଏସ୍‌. ପରମାର ପ୍ରଶଂସା କରିଥିଲେ।

Leave A Reply

Your email address will not be published.