Latest Odisha News

କଟକରେ ଥମୁନି ନକଲି ଖାଦ୍ୟ ସାମଗ୍ରୀ କାରବାର, ଚଢାଉ ବେଳେ ୫ କ୍ବିଣ୍ଟାଲ ମସଲା ଜବତ

କଟକ: ଥମୁନି ଅପମିଶ୍ରତି ଖାଦ୍ୟ ସାମଗ୍ରୀ କାରବାର। ନକଲି ସାମଗ୍ରୀର ହବ ପାଲଟିଗଲାଣି କଟକ। ପୁଣିଥରେ କଟକରୁ ଉଦ୍ଧାର ହୋଇଛି ନକଲି ମସଲା ସାମଗ୍ରୀ। ଯାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଅପମିଶ୍ରଣକୁ ରୋକିବା ପାଇଁ କଟକ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଥିବା ବେଳେ ମଙ୍ଗଳବାର କଟକ ମହାନଗର ନିଗମର ଏନଫୋର୍ସମେଣ୍ଟ ସ୍କ୍ବାଡ୍ ମାଲଗୋଦାମରେ ଚଢ଼ାଉ କରି ପାଞ୍ଚ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ମସଲା ଜବତ କରିଛି। ଜବତ ମସଲା ମଧ୍ୟରେ ହଳଦୀ ଗୁଣ୍ଡ, ଲାଲ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଆଦି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ମାଲଗୋଦାମରେ ଚଢ଼ାଉ କରି ଏକ ଦୋକାନରୁ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଜବତ କରିଛି। ଜବତ ପରେ ସଂପୃକ୍ତ ଦୋକାନକୁ ସିଏମସି ପକ୍ଷରୁ ସିଲ୍ କରାଯାଇଛି।

ପୂର୍ବରୁ ଜୁଲାଇ ମାସରେ ସିଏମସି ସ୍ୱାସ୍ଥ୍ୟ ସ୍କ୍ବାର୍ଡ ସହରର ସେହି ମାଲଗୋଦାମ ଅଞ୍ଚଳରେ ଅପମିଶ୍ରିତ ମସଲା ପ୍ରସ୍ତୁତ କରୁଥିବା ଏକ ୟୁନିଟ୍କୁ ଠାବ କରିଥିଲା। ଏହି ଘଟଣାରେ ୟୁନିଟର ମାଲିକ କୁହାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଆଉ ଏବେ ସମାନ ମାମଲା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ନିକଟରେ ନକଲି ଔଷଧ କାରବାର ମଧ୍ୟ ସାମ୍ନାକୁ ଆସିଥିଲା। ସହରର କିଛି ଔଷଧ ଦୋକାନୀ ରାଜ୍ୟ ବାହାରର କିଛି ବ୍ୟକ୍ତିଙ୍କ ସହ ମିଶି ସାରା ରାଜ୍ୟରେ ନକଲି ଔଷଧ କାରବାର ଚଳାଉଥିବା ଜଣାପଡ଼ିଛି। ଏହି ମାମଲାରେ ପୋଲିସ ବିହାର, ୟୁପି ସମେତ ବିଭିନ୍ନ ଜିଲ୍ଲାରେ ପହଁଚି ତଦନ୍ତ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

Leave A Reply

Your email address will not be published.