Latest Odisha News

BREAKING NEWS

ରାହୁଲଙ୍କ ମାୟାଜାଲରେ ବିଜେପି!

ଭୁବନେଶ୍ୱର: ଲଦାଖ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଶୈଳୀରେ କାର୍ଯ୍ୟ କରୁଛନ୍ତି। କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା ମାଧ୍ୟମରେ ଏକ ବଡ଼ ବାତାବରଣ ସୃଷ୍ଟି କରିବାରେ ସଫଳ ହୋଇଥିବା ରାହୁଲ ତା ପରେ ସେଭଳି ଢାଞ୍ଚାରେ ହିଁ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି।

ଦିଲ୍ଲୀରେ ରହି ରାଜନୈତିକ ବୟାନବାଜିରେ ନିଜକୁ ସୀମିତ ନ ରଖି ବିଭିନ୍ନ ବର୍ଗର ଲୋକଙ୍କ ସହ ସାମିଲ ହେଉଛନ୍ତି ରାହୁଲ। ଏହି କ୍ରମରେ ଲଦାଖ ଗସ୍ତରେ ଥିବା ରାହୁଲଙ୍କୁ ଲେହ ମାର୍କେଟରେ ଦେଖିବାକୁ ମିଳିଛି।

ସେଠାରେ ସେ ପୁର୍ବତନ ସେନା କର୍ମଚାରୀଙ୍କୁ ଭେଟିଛନ୍ତି। ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ବହୁ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଏପରିକି ରାହୁଲ ମାର୍କେଟରେ ଲୋକଙ୍କ ସହ ମିଶି ଆଲୋଚନା ମଧ୍ୟ କରିଛନ୍ତି। ଯାହାକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି।

ଏପରିକି ଏହି ଗସ୍ତ ସମୟରେ ରାହୁଲ ଫୁଟବଲ ମ୍ୟାଚ ଦେଖିବା ସହ ବାଇକ ମଧ୍ୟ ଚଳାଇଥିଲେ। ଭାରତର ଇଞ୍ଚେ ବି ଜମି ଚୀନ ଦଖଲ କରି ନାହିଁ ବୋଲି ଯାହା କୁହାଯାଉଛି ତାହା ସତ୍ୟ ନୁହେଁ ବୋଲି ରାହୁଲ କହିବାର ଦିନକ ପରେ ସେ ପୂର୍ବତନ ସେନା ଅଧିକାରୀଙ୍କୁ ଭେଟିବା ଚର୍ଚ୍ଚାକୁ ଆହୁରୁ ବଢାଇଦେଇଛି।

ଲଦାଖର ପାଙ୍ଗଙ୍ଗ ହ୍ରଦ କୂଳରେ ରାଜୀବ ଗାନ୍ଧୀଙ୍କ ଜନ୍ମବର୍ଷିକୀ ଅବସରରେ ରାହୁଲ ଶ୍ରଦ୍ଧାଞ୍ଜଳି ଦେବା ପରେ ସେ ଭାରତର ସୀମା ଉପରେ ଚୀନର ଅନୁପ୍ରବେଶକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଯାହାକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହୋଇଉଠିଛି।

ତେଣୁ ରାହୁଲଙ୍କ ଲଦାଖ ଗସ୍ତ ବେଳେ ଚୀନର ଅନୁପ୍ରବେଶ ଓ ଭାରତର ଜାଗାକୁ ମାଡିବସିବା ମନ୍ତବ୍ୟକୁ ନେଇ ବେଶ ଚର୍ଚ୍ଚା ହେଉଛି। ସେପଟେ ପୂର୍ବତନ ସେନା ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି ରାହୁଲ ଲଦାଖରେ ଏକ ବଡ଼ ବାତାବରଣ ପ୍ରସ୍ତୁତ କରିଛନ୍ତି।

ଏସବୁ ବିଜେପିର ମୁଣ୍ଡବ୍ୟଥା ବଢ଼ାଇଥିବା କୁହାଯାଉଛି। ଆଗକୁ ନିର୍ବାଚନ ଥିବାବେଳେ ଦେଶର ପ୍ରମୁଖ ସମ୍ବେଦନଶୀଳ ପ୍ରସଙ୍ଗ ସବୁକୁ ନେଇ ରାହୁଲ ବିଜେପିକୁ ଶାଣିତ ଆକ୍ରମଣ କରୁଛନ୍ତି। ଯେଉଁସବୁ ଜାତୀୟ ସ୍ୱାର୍ଥ ପ୍ରସଂଗକୁ ବିଜେପି ପ୍ରମୁଖ ପ୍ରସଙ୍ଗ କରେ ସେସବୁକୁ ରାହୁଲ ଟାର୍ଗେଟ କରୁଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.