ମୁମ୍ବାଇ: ଇରାନ-ଇଜ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇରାନ ଓ ଆଖପାଖ କ୍ଷେତ୍ରରେ ଜାରି ଉତ୍ତେଜନାମୂଳକ ପରିସ୍ଥିତିରେ ସାମୁଦ୍ରିକ ମାର୍ଗ ଓ ଇନ୍ଧନ ଯୋଗାଣ ଉପରେ ସମ୍ଭାବିତ ପ୍ରଭାବର ଆଶଙ୍କା କରାଯାଉଛି । ଏହି ଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସିପିଂ କମ୍ପାନୀଙ୍କ ଲାଗି ସତର୍କତା ବଢାଇଛନ୍ତି ଭାରତ ସରକାର ।
ସିପିଂ ମହାନିର୍ଦ୍ଦେଶାଳୟ (ଡିଜିଏସ) ଭାରତୀୟ ନାବିକଙ୍କୁ ସମ୍ପର୍କିତ କ୍ଷେତ୍ରରେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ବିଦେଶମନ୍ତ୍ରାଳୟ ଓ ତେହେରାନ ସ୍ଥିତ ଭାରତୀୟ ଦୂତାବାସଙ୍କ ପକ୍ଷରୁ ଜାରି ଅଧିକାରୀକ ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି ।
ପୋର୍ଟସ୍, ସପିଂ ଏବଂ ୱାଟରୱେଜ୍ ମନ୍ତ୍ରାଳୟ ଅନୁସାରେ ସମୁଦ୍ର କ୍ଷେତ୍ର ସମ୍ପର୍କିତ ସମସ୍ତ ହିତାଧିକାରୀ ଯେପରି ସିପିଂ କମ୍ପାନୀମାନେ, ପୋତ ପ୍ରବନ୍ଧକ ଓ ଏଜେନ୍ସୀଙ୍କୁ ଭାରତୀୟ ଚାଳକଦଳ ସଦସ୍ୟଙ୍କ ସୁରକ୍ଷା ଉପରେ ନଜର ରଖିବାକୁ କୁହାଯାଇଛି । ଏହା ସହ କୌଣସି ଜରୁରିକାଳୀନ ପରିସ୍ଥିତିରେ ସୁରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ତୁରନ୍ତ ସରକାରୀ ଅଧିକାରୀଙ୍କ ସହ ସେୟାର କରିବାକୁ କୁହାଯାଇଛି । ଏହା ଦ୍ୱାରା ସମୟ ପୂର୍ବରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ପାରିବ ।
ଭାରତ ସ୍ପଷ୍ଟ ରୂପେ କହିଛି ଯେ, ଉପୁଜିଥିବା ଉତ୍ତେଜନା ହ୍ରାସ କରିବାକୁ ପାରସ୍ପରିକ ବାର୍ତ୍ତା ଓ କୂଟନୈତିକ ରାସ୍ତା ଗ୍ରହଣ କରାଯିବା ଉଚିତ ।