ନୂଆଦିଲ୍ଲୀ: ଥମିବାର ନାଁ ନେଉନି ବାଂଲାଦେଶ ହିଂସା l ଦିନକୁ ଦିନ ପରିସ୍ଥିତି ଅସହ୍ୟ ହେଉଥିବା ବେଳେ ଏବେ ବାଂଲାଦେଶରେ ଚିନ୍ମୟ କୃଷ୍ଣଙ୍କ ଓକିଲଙ୍କ ଉପରେ ଆକ୍ରମଣ ହୋଇଛି । ଚିନ୍ମୟ କୃଷ୍ଣଙ୍କ ଶୁଣାଣିର ଠିକ୍ ପୂର୍ବରୁ ଏହି ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି l ଆକ୍ରମଣରେ ଚିନ୍ମୟଙ୍କ ଓକିଲ ରେମନ ରାୟ ଗୁରୁତର ହୋଇଥିବା ବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଇସ୍କନ ମୁଖପାତ୍ର ରାଧାରମଣ ଦାସ l
ଟ୍ୱିଟରେ ଏକ ପୋଷ୍ଟ କରି ରାଧାରମଣ କହିଛନ୍ତି ଯେ, ବାଂଲାଦେଶରେ ଦେଶଦ୍ରୋହ ଅଭିଯୋଗରେ ଗିରଫ ହୋଇଥିବା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରିଙ୍କ ମାମଲାକୁ ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କୁ ଗତକାଲି ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଛି। ତାଙ୍କର ଏକମାତ୍ର ଭୁଲ ଯେ ସେ ଚିନ୍ମୟ କୃଷ୍ଣଙ୍କ ମାମଲାକୁ ପ୍ରତିନିଧିତ୍ୱ କରୁଥିଲେ l ଯେଉଁଥିପାଇଁ ଇସଲାମବାଦୀମାନେ ତାଙ୍କ ଘରକୁ ଭଙ୍ଗାରୁଜା କରିବା ସହ ତାଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ l ଏବେ ସେ ଆଇସିୟୁରେ ଅଛନ୍ତି l ସେପଟେ ବାଂଲାଦେଶର କିଛି ଓକିଲ ଏଭଳି ଘଟଣା ଘଟିଥିବା ନେଇ ଅସ୍ୱୀକାର କରିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ମାସରେ ମଧ୍ୟ ସୋସିଆଲ ମିଡିଆ ତଥା କିଛି ସମ୍ବାଦପତ୍ରରେ ଦାବି କରାଯାଇଥିଲା ଯେ ଚିନ୍ମୟ କୃଷ୍ଣ ଦାସଙ୍କ ମାମଲାରେ ଲଢ଼ୁଥିବା ଓକିଲଙ୍କୁ ହତ୍ୟା କରାଯାଇଛି, କିନ୍ତୁ ଅନୁସନ୍ଧାନରୁ ପରେ ଜଣାପଡିଥିଲା ଯେ, ଉକ୍ତ ଓକିଲ ଜଣଙ୍କ ନାମ ସୈଫୁଲ ଇସଲାମ l ସେ ଜଣେ ସହକାରୀ ସରକାରୀ ଓକିଲ। ତେବେ ଚିନ୍ମୟ ଦାସଙ୍କ ମାମଲାରେ ସେ କୌଣସି କେସ ଲଡ଼ୁନଥିଲେ ଏବଂ ସେ ଜୀବିତ ଅଛନ୍ତି l
ସୂଚନାଯୋଗ୍ୟ, ଦେଶଦ୍ରୋହ ଅଭିଯୋଗରେ ଗତ ସପ୍ତାହରେ ‘ବାଂଲାଦେଶ ସମିତ ସନାତନ ଜଗନ୍ ଜଟ୍’ର ମୁଖପାତ୍ର ଚିନ୍ମୟ କୃଷ୍ଣ ଦାସଙ୍କୁ ଢାକା ହଜରତ ଶାହାଜାଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଥିଲା। ଏହାପରେ ଚିତ୍ରକୋଣ୍ଡା କୋର୍ଟ ତାଙ୍କ ଜାମିନକୁ ଖାରଜ କରିବା ସହ ଜେଲକୁ ପଠାଇ ଦେଇଥିଲେ। ଫଳରେ ତାଙ୍କ ସମର୍ଥକମାନେ ବିରୋଧ ଆରମ୍ଭ କରିଥିଲେ।
Comments are closed.