Latest Odisha News

ମାନୁନି ‘ମୋ ବସ୍’ : ଓଡିଶା ମାନବାଧିକାର କମିଶନ ପାଖରେ ପହଞ୍ଚିଲା ମାମଲା

ଭୁବନେଶ୍ବର: ଯେତେ ତାଗିତ୍ କଲେ ବି, ସୁଧୁରୁନି ମୋ ବସ୍ । ଆଏ ଦିନ କିଛି ନା କିଛି ଦୁର୍ଘଟଣା ଘଟାଉଛି । ଆଜି ପୁଣି କଟକ ପୁରୀଘାଟରୁ ଖାନନଗର ଆସୁଥିବା ମୋ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସିଟି କଲେଜ ରିଂରୋଡ୍ରେ ମୋ ବସ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଫଳରେ ବାଇକ ଆରୋହୀ ଜରଙ୍କ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ମୋ ବସ ଡ୍ରାଇଭରକୁ ଅଟକ ରଖି ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରି ରାସ୍ତା ଅବରୋଧ କରିଥିବା ବେଳେ ଡ୍ରାଇଭରକୁ ଧରି ନେଇ ଏବେ ପଚରାଉଚରା ଜାରି ରଖିଛି କଟକ ପୋଲିସ୍ ।

ତେବେ ବାରମ୍ବାର ମୋ ବସକୁ ନେଇ ଏଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଓଡ଼ିଶା ମାନବାଧିକାର କମିଶନରେ ନିକଟରେ ପହଞ୍ଚିଛି ମୋ ବସ୍ ମାମଲା । ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ଆଇନଜୀବୀ ପ୍ରବୀର ଦାସ ଓଡ଼ିଶା ମାନବାଧିକାର କମିଶନରେ ମାମଲା ରୁଜୁ କରିଛନ୍ତି । ଯାହାକୁ ଆଧାର କରି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ‘କ୍ରୁଟ୍’କୁ ନିର୍ଦ୍ଦେଶ ଦେଇଛନ୍ତି ଓଏଚଆରସି ଅଧ୍ୟକ୍ଷ । ଯାହାର ଶୁଣାଣି ଆସନ୍ତା ମେ’ ୨୩ରେ ହେବ ।

ତେବେ କହିରଖୁଛୁ, ବାରମ୍ବାର ମୋ ବସ୍ ଦୁର୍ଘଟଣା ଏବେ ଜନସାଧାରଣଙ୍କୁ ଅତିଷ୍ଟ କଲାଣି । ଭୁବନେଶ୍ବରରେ ନିୟମିତ ବ୍ୟବଧାନରେ ମୋ ବସ୍ ଦୁର୍ଘଟଣା ଘଟାଇ ଚାଲିଛି । ଗତ ମାସ ୪ ତାରିଖରେ ନନ୍ଦନକାନନ ରଘୁନାଥପୁରରେ ମୋ ବସ୍ ଧକ୍କାରେ ଜଣେ ସ୍କୁଲ ପିଲାର ମୃତ୍ୟୁ ହୋଇଥିଲା । ସେହିପରି ପଟିଆ ଆଡେ ମଧ୍ୟ ମୋ ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଆଉ ରିପୋର୍ଟ କହୁଛି, ୨୦୨୪ରେ ଏହା ପାଖାପାଖି ୨୦୦ ଦୁର୍ଘଟଣା ଘଟାଇଛି ।

Comments are closed.