ନୂଆଦିଲ୍ଲୀ: କେତେବେଳେ ମହଙ୍ଗା ମାଡ଼ ତ କେତେବେଳେ ବଲୁଚିସ୍ତାନ ହମଲାକୁ ନେଇ ଚର୍ଚ୍ଚାରେ ରହିଛି ପାକିସ୍ତାନ । ହେଲେ ଏବେ ପାକିସ୍ତାନର ମୁଣ୍ଡବିନ୍ଧା ସାଜିଛନ୍ତି ଆଫଗାନିସ୍ତାନ ଶରଣାର୍ଥୀ । ପଡୋଶୀ ଦେଶର ଲକ୍ଷ ଲକ୍ଷ ଶରଣାର୍ଥୀ ପାକିସ୍ତାନରେ ଡେରା ଜମାଇଛନ୍ତି । ସେମାନଙ୍କୁ ଦେଶରୁ ବାହାର କରିବା ପାଇଁ ଅଲଟିମେଟମ୍ ଦେଇଛନ୍ତି ପାକିସ୍ତାନ ସରକାର । ନିଜେ ନଗଲେ ସେମାନଙ୍କ ଉପରେ ଆକ୍ସନ ନେବାକୁ ଚେତାବନୀ ବି ଦେଇଛନ୍ତି । ଅବୈଧ ପ୍ରବାସୀଙ୍କୁ ମାର୍ଚ୍ଚ ୩୧ସୁଦ୍ଧା ଦେଶ ଛାଡିବାକୁ ସରକାରୀ ବିଜ୍ଞପ୍ତି ବି ପ୍ରକାଶ ପାଇଥିଲା । ବିନା ବୈଧ କାଗଜପତ୍ର ସହ ରହିଥିବା ଲୋକଙ୍କ ଉପରେ ଏପ୍ରିଲ ୧୦ତାରିଖରୁ ଆକ୍ସନ୍ ନିଆଯିବ।
ଆକ୍ସନ୍ ମୋଡରେ ପାକିସ୍ତାନ
ଜାତିସଂଘର ରେଫ୍ୟୁଜି ଏଜେନ୍ସି ୟୁଏନଏଚସିଆର ପଂଜୀକରଣର ପ୍ରମାଣପତ୍ର ଜାରି କରେ । କୌଣସି ଦେଶରେ ଶରଣ ନେବା ପାଇଁ ଏହା ଦିଆଯାଏ । ଏହି ଦସ୍ତାବେଜ ଥିଲେ ମଧ୍ୟ ଶରଣାର୍ଥୀଙ୍କୁ ଇସଲାମାବାଦ ଓ ରାଓଲପିଣ୍ଡିକୁ ବାହାର କରି ଅନ୍ୟ କୌଣସି ସହରରେ ରହିବାକୁ ପଠାଯିବ । କାରଣ ବ୍ୟବସାୟିକ ଦୃଷ୍ଟିରୁ ଏହି ଦୁଇ ସହର ଗୁରୁତ୍ବପୂର୍ଣ୍ଣ । ଏଠାରେ ଶରଣାର୍ଥୀ ବଢିଥିବା ବେଳେ ସୁରକ୍ଷା ସାଙ୍ଗକୁ ଦେଶର ଛବି ଖରାପ ହେଉଛି । ଆଫଗାନିସ୍ତାନ ନାଗରିକ ପରିଚୟପତ୍ର ଥିବା ଲୋକଙ୍କୁ ତୁରନ୍ତ ନିଜ ଦେଶକୁ ପଠାଯିବ । ଅବୈଧ ପ୍ରବାସୀଙ୍କୁ ଦେଶରୁ ବାହାର କରିବା ନେଇ ଗତ ୧୮ମାସ ଧରି ବିଭିନ୍ନ ପର୍ଯ୍ୟାୟରେ ପାକ୍ ସରକାର ପଦକ୍ଷେପ ନେଉଛନ୍ତି ।
ପାକିସ୍ତାନକୁ କାହିଁକି ଆସୁଛନ୍ତି ଶରଣାର୍ଥୀ?
ଅର୍ଥନୈତିକ ହେଉ କି ରାଜନୈତିକ, ବିଭିନ୍ନ ସମୟରେ ଅସ୍ଥିର ରହିଛି ପାକିସ୍ତାନ । ତଥାପି କାହିଁକି ଦେଶକୁ ଆସୁଛନ୍ତି ଶରଣାର୍ଥୀ? ୧୯୭୯ମସିହାରେ ସୋଭିୟତ ୟୁନିୟନର ଆକ୍ରମଣ ସହ ପାକିସ୍ତାନକୁ ଶରଣାର୍ଥୀଙ୍କ ଆସିବା ଆରମ୍ଭ ହୋଇଥିଲା । ୨୦୨୧ରେ ତାଲିବାନ ଆଫଗାନିସ୍ତାନ ଉପରେ କବଜା କରିବା ପରେ ଅନେକ ଦେଶ ଛାଡିଥିଲେ । ଜାତିସଂଘ ତଥ୍ୟ ଅନୁସାରେ ୮୦ଲକ୍ଷରୁ ଅଧିକ ଆଫଗାନୀ ନାଗରିକ ଦେଶ ଛାଡିଥିଲେ । ୧୫ଲକ୍ଷରୁ ଅଧିକ ପାକିସ୍ତାନରେ ପଂଜୀକରଣ କରିଥିଲେ । ପାକିସ୍ତାନ ଓ ଆଫାଗାନିସ୍ତାନର ମିଳିତ ସୀମା ରହିଥିବା ଅଢେଇ ହଜାର କିଲୋମିଟର ଅଞ୍ଚଳକୁ ଓ୍ବଖାନ କରିଡର କୁହାଯାଏ । ସୁରକ୍ଷା ବଳ ରହିଥିଲେ ମଧ୍ୟ ସେହି ଅଞ୍ଚଳ ଦେଇ ଶରଣାର୍ଥୀ ଆସୁଛନ୍ତି । ବ୍ଲାକ୍ ମାର୍କେଟରେ ଜାଲ କାଗଜପତ୍ର କରି ମଧ୍ୟ ଅନେକ ପାକିସ୍ତାନ ଆସୁଛନ୍ତି ।
କେଉଁଠି ରହୁଛନ୍ତି ଶରଣାର୍ଥୀ?
ଅଧିକାଂଶ ଶରଣାର୍ଥୀ ସୀମା ପାର କରିବା ପରେ ଖୈବର ଫଖତୁଖ୍ବା ବା ବଲୁଚିସ୍ତାନ ପରି ଅଞ୍ଚଳରେ ବସବାସ କରନ୍ତି । ଏସବୁ ଅଞ୍ଚଳ ଓ୍ବଖାନ କରିଡର ପାଖରେ ରହିଛି । ତେବେ ଆର୍ଥିକ ଭାବେ ସ୍ବଚ୍ଛଳ ଆଫଗାନିସ୍ତାନ ଶରଣାର୍ଥୀ ଇସଲାମାବାଦ ଓ କରାଚୀ ଭଳି ସହରକୁ ଯାଆନ୍ତି । ତେବେ ପୋଲିସ ଯାଞ୍ଚ ଯୋଗୁଁ ବଡ ସହରକୁ ଯିବାକୁ ଲୋକେ ସାହାସ କରନ୍ତିନି । ଶରଣାର୍ଥୀଙ୍କ ପାଇଁ ପାକିସ୍ତାନ ପାଖରେ ସେଭଳି ଖାସ୍ ନୀତି ନାହିଁ । ଅବୈଧ ଶରଣାର୍ଥୀଙ୍କ ପାଖରେ ନା ଛାତ ଥାଏ ନା ରାସନ ନା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସରକାରୀ ସୁବିଧା । ସବୁଠୁ ଖରାପ ସ୍ଥିତିରେ ରହିଥାନ୍ତି ଆଫଗାନୀ ମହିଳା ଓ ପିଲା । ଅନେକ ସମୟରେ ମାନବ ଚାଲାଣ ଭଳି ଖବର ମଧ୍ୟ ଶୁଣିବାକୁ ମିଳେ ।
କେବଳ ଆଫଗାନିସ୍ତାନ ନୁହେଁ, ଇରାନରେ ଅସ୍ଥିରତା ଯୋଗୁଁ ସେଠାରୁ ବି ଶରଣାର୍ଥୀ ପାକିସ୍ତାନ ଆସୁଛନ୍ତି । ମିଆଁମାରରେ ହିଂସାର ସାମନା କରୁଥିବା ରୋହିଙ୍ଗ୍ୟା ଓ ସୋମାଲିଆର ମୁସଲିମ ଶରଣାର୍ଥୀ ପାକିସ୍ତାନ ଆସୁଛନ୍ତି । ତେବେ ସବୁଠୁ ଅଧିକ ଆଫଗାନୀ ଶରଣାର୍ଥୀ ରହିଛନ୍ତି । ଏଥିପାଇଁ ମଧ୍ୟ ପାକିସ୍ତାନକୁ ଅନ୍ତର୍ଜାତୀୟ ସହାୟତା ମିଳୁଥିଲା । ତେବେ ଟ୍ରମ୍ପ ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ଶରଣାର୍ଥୀ ସହାୟତା ଉପରେ ଏକପ୍ରକାର ରୋକ୍ ଲଗାଇଛନ୍ତି । ଏହାର କିଛି ଦିନ ପରେ ହିଁ ପାକିସ୍ତାନୀ ସରକାର ଅବୈଧ ଶରଣାର୍ଥୀଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.