ଇସଲାମାବାଦ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୁଧବାର ଆତ୍ମଘାତୀ ବିସ୍ଫୋରଣରେ ତାଲିବାନ ସରକାରଙ୍କ ଶରଣାର୍ଥୀ ବିଭାଗର ମନ୍ତ୍ରୀ ଖଲିଲ ହକ୍କାନୀଙ୍କର ମୃତ୍ୟୁ ଘଟିଛି । ଏନେଇ ଗୃହ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଅଧିକାରୀଙ୍କ ଅନୁଯାୟୀ ଏହି ବିସ୍ଫୋରଣ ମନ୍ତ୍ରଣାଳୟ ଭିତରେ ଘଟିଛି ।
ତେବେ ଖଲିଲ ହକ୍କାନୀ ଜଣେ ବରିଷ୍ଠ ଅଧିକାରୀ ଯିଏକି ଆଫଗାନିସ୍ତାନରେ ତାଲିବାନ କ୍ଷମତା ଗ୍ରହଣ କରିବାର ତିନି ବର୍ଷ ମଧ୍ୟରେ ବୋମା ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ତେବେ ଏହି ବୋମା ବିସ୍ଫୋରଣ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ନିଜକୁ ଦାୟୀ କରିନାହାନ୍ତି ।
ଆମେରିକାର ବୈଦେଶିକ ବିଭାଗର ସୂଚନାନୁସାରେ, ହକ୍କାନୀ ତାଲିବାନ ମଧ୍ୟରେ ଏକ ଶକ୍ତିଶାଳୀ ଆତଙ୍କବାଦୀ ଗୋଷ୍ଠୀ ହକ୍କାନୀ ନେଟୱାର୍କର ଜଣେ ବରିଷ୍ଠ ନେତା ଥିଲେ । ୨୦ ବର୍ଷର ବିଦ୍ରୋହ ସମୟରେ ହକ୍କାନି ଗୋଷ୍ଠୀ ଆଫଗାନିସ୍ତାନରେ ବଡ଼ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ତେବେ ତାଙ୍କ ପୁତୁରା ସିରାଜୁଦ୍ଦିନ ହକ୍କାନୀ ବର୍ତ୍ତମାନ ହକ୍କାନୀ ନେଟୱାର୍କର ନେତୃତ୍ୱ ନେଉଛନ୍ତି ଏବଂ ତାଲିବାନର କାର୍ଯ୍ୟକାରୀ ଆଭ୍ୟନ୍ତରୀଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । 2021 ମସିହାରେ ତାଲିବାନ ଦେଶ ଉପରେ କବଜା କରିବା ପରେ ଆଫଗାନିସ୍ତାନରେ ହିଂସା ହ୍ରାସ ପାଇଛି, ଆମେରିକା ଏବଂ ନାଟୋ ଦ୍ୱାରା ପରିଚାଳିତ ବିଦେଶୀ ସୈନ୍ୟ ବିରୁଦ୍ଧରେ ସେମାନଙ୍କ ଯୁଦ୍ଧ ଶେଷ ହୋଇଛି ।
ତଥାପି, ଇସଲାମିକ୍ ଷ୍ଟେଟ୍ ର ଆଞ୍ଚଳିକ ଶାଖା, ଇସଲାମିକ୍ ଷ୍ଟେଟ୍ ଖୁରାସାନ୍ ଭାବରେ ଜଣାଶୁଣା, ଦେଶରେ ସକ୍ରିୟ ରହିଛି । ଆଇଏସ୍ଆଇଏସ ଖୁରାସାନ ନିୟମିତ ଭାବେ ବନ୍ଧୁକ, ବୋମା ଆକ୍ରମଣ ମାଧ୍ୟମରେ ସାଧାରଣ ନାଗରିକ, ବିଦେଶୀ ଏବଂ ତାଲିବାନ ଅଧିକାରୀଙ୍କୁ ଟାର୍ଗେଟ କରୁଛି ।