Latest Odisha News

BREAKING NEWS

ଆୟର୍ଲାଣ୍ଡକୁ ହରାଇ ୨୦୨୭ ଦିନିକିଆ ୱାର୍ଲ୍ଡକପ ପାଇଁ ଆଫଗାନିସ୍ତାନ କାଟିଲା ଟିକେଟ୍

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟ୍‌ରେ ଦ୍ରୁତ ଗତିରେ ଉଭା ହେଉଥିବା ଆଫଗାନିସ୍ତାନ କ୍ରିକେଟ୍ ଦଳ ଆଉ ଏକ ବଡ଼ ସଫଳତା ହାସଲ କରିଛି । ଆଫଗାନିସ୍ତାନ ଆନୁଷ୍ଠାନିକ ଭାବେ ୨୦୨୭  ଦିନିକିଆ ବିଶ୍ୱକପ  ପାଇଁ ସିଧାସଳଖ କ୍ୱାଲିଫାଏ  କରିନେଇଛି । ଆୟର୍ଲାଣ୍ଡ ବିପକ୍ଷ ଚାଲିଥିବା ଦିନିକିଆ ସିରିଜ୍ ମାଧ୍ୟମରେ ଆଫଗାନିସ୍ତାନ ଏହି ସଫଳତା ପାଇଛି । ସିରିଜ୍‌ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଆଫଗାନିସ୍ତାନ ବିଜୟ ହାସଲ କରିବା ସହ ନିଜର ସ୍ଥାନ ପକ୍କା କରିଛି । ଆୟର୍ଲାଣ୍ଡକୁ ସିଧାସଳଖ କ୍ୱାଲିଫାଏ କରିବା ପାଇଁ ଏହି ସିରିଜ୍‌କୁ ୫-୦ରେ ଜିତିବାର ଆବଶ୍ୟକତା ଥିଲା ।

ପ୍ରଥମ ମ୍ୟାଚ୍ ବାତିଲ ହେବା କାରଣରୁ ଆୟରଲ୍ୟାଣ୍ଡର ସିଧାସଳଖ ବିଶ୍ୱକପ୍ ଖେଳିବା ଆଶା ଶେଷ ହୋଇଛି ଏବଂ ସେମାନଙ୍କୁ ଏବେ ଗ୍ଲୋବାଲ କ୍ୱାଲିଫାୟାର ଦେଇ ଯିବାକୁ ପଡ଼ିବ । ନିୟମ ଅନୁସାରେ ଆୟୋଜକ ଦେଶ ଭାବେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ସିଧାସଳଖ ସ୍ଥାନ ପାଇଛନ୍ତି । ଏହା ବ୍ୟତୀତ ୩୦ ସେପ୍ଟେମ୍ବର ୨୦୨୬ ସୁଦ୍ଧା ରାଙ୍କିଂର ଶୀର୍ଷ-୮ ଦଳ ସିଧାସଳଖ ଖେଳିବେ । ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା, ଇଂଲଣ୍ଡ ଏବଂ ଆଫଗାନିସ୍ତାନ ସିଧାସଳଖ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିସାରିଛନ୍ତି । ବାକି ଥିବା ଗୋଟିଏ ସ୍ଥାନ ପାଇଁ ବାଂଲାଦେଶର ଦାବି ସବୁଠାରୁ ମଜବୁତ ରହିଛି । ଗତ ବିଶ୍ୱକପ୍‌ରେ ଇଂଲଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଭଳି ବଡ଼ ଦଳକୁ ହରାଇ ଚର୍ଚ୍ଚାରେ ଥିବା ଆଫଗାନିସ୍ତାନ ଦଳ ପାଇଁ ଏହା ଏକ ବିଶାଳ ସଫଳତା ।

Leave A Reply

Your email address will not be published.