ନୂଆଦିଲ୍ଲୀ: ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ପରେ ପରିସ୍ଥିତି ଏମିତି ବଦଳିଯିବ କେହି ଆଶା କରିନଥିଲେ। ତାଲିବାନ ଦିନକୁ ଦିନ ଆହୁରି ହିଂସ୍ର ହେବାରେ ଲାଗିଛି। ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ଆଣିବାକୁ ସବୁ ସୀମା ଟପିଲାଣି ତାଲିବାନ। ଆଫ୍ଗାନିସ୍ତାନ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିଛି ତାଲିବାନ।
ତାଲିବାନ ଆଫଗାନିସ୍ତାନର ଅନେକ ପ୍ରମୁଖ ଅଞ୍ଚଳକୁ କାବୁ କରି ନେଇଛି। ତାଲିବାନର ଆତଙ୍କରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କର ଅତ୍ୟାଚାରର କ୍ଷତି ନିରୀହ ପିଲାମାନଙ୍କୁ ମଧ୍ୟ ଭୋଗିବାକୁ ପଡ଼ୁଛି। ମିଳିତ ଜାତିସଂଘ ଶିଶୁ ଏଜେନ୍ସି ସୋମବାର କହିଛି ଯେ ଗତ ତିନି ଦିନ ମଧ୍ୟରେ ଆଫଗାନିସ୍ତାନର ତିନୋଟି ପ୍ରଦେଶରେ ଅତି କମରେ ୨୭ ଶିଶୁଙ୍କର ମୃତ୍ୟୁ ଘଟିଛି ଏବଂ ୧୩୬ ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ ଅନେକ ନିରୀହ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି।
ଆଫଗାନିସ୍ତାନ ସୁରକ୍ଷା ବାହିନୀ ଏବଂ ତାଲିବାନ ମଧ୍ୟରେ ଚାଲିଥିବା ଏହି ବିବାଦ ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହେଉଛନ୍ତି। ତାଲିବାନ ଆଫଗାନିସ୍ତାନର ବୃହତ ଗ୍ରାମାଞ୍ଚଳ ଦଖଲ କରି ବର୍ତ୍ତମାନ ପ୍ରାଦେଶିକ ରାଜଧାନୀ ଆଡକୁ ମୁହାଁଇଛି। ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳରେ ଆତଙ୍କବାଦୀମାନେ ସେମାନଙ୍କ ଚାପ ବୃଦ୍ଧି କରିଛନ୍ତି।
Comments are closed.