ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ଧୀରେ ଧୀରେ ରୋମାଂଚ ପର୍ଯ୍ୟାୟଆଡକୁ ଗତି କରୁଛି । ମଙ୍ଗଳବାର ନ୍ୟୁଜିଲାଣ୍ଡ ଓ କାନାଡା ମ୍ୟାଚ ପରେ ୩ଟି ଟିମ ସୁପର ଏଇଟରେ ପ୍ରବେଶ କରି ନ ପାରି ଟୁର୍ଣ୍ଣାମେଂଟରୁ ବିଦାୟ ନେଇଛନ୍ତି । ନ୍ୟୁଜିଲାଣ୍ଡ ୮ ୱିକେଟରେ କାନାଡାକୁ ପରାସ୍ତ କରି ସୁପର ଏଇଟରେ ପ୍ରବେଶ କରିଛି । ପୂର୍ବରୁ ଗ୍ରୁପ ଡିରୁ ଦକ୍ଷିଣ ଆଫ୍ରିକା ପ୍ରଥମ ଦଳ ଭାବେ ସୁପର ଏଇଟରେ ପ୍ରବେଶ କରିଥିଲା । ଏବେ ଆଫଗାନିସ୍ତାନ, କାନାଡା ଓ ୟୁଏଇର ସୁପର ଏଇଟକୁ ପ୍ରବେଶ ଆଶା ଧୂଳୀସାତ ହୋଇଛି । ଗ୍ରୁପ ସିରୁ ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ଏବଂ ଗ୍ରୁପ ଏ ଓ ବିରୁ ଭାରତ, ଶ୍ରୀଲଙ୍କା ମଧ୍ୟ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି ।
ଚେପକରେ ଖେଳାଯାଇଥିବା ମ୍ୟାଚରେ କାନାଡା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ବିନିମୟରେ ୧୭୩ ରନ କରିଥିଲା । ଓପନର ଯୁବରାଜ ସାମରା ଐତିହାସିକ ୧୧୦ ରନର ଇନିଂସ ଖେଳିଥିଲେ । ମାଟ୍ଟ ହେନେରୀ ଓ ଜ୍ୟାକବ ଡଫି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ନ୍ୟୁଜିଲାଣ୍ଡ ୧୫.୧ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ରଚୀନ ରବୀନ୍ଦ୍ର ୩୯ ବଲରୁ ୫୯ ଓ ଗ୍ଲେନ ଫିଲିପ୍ସ ୩୬ ବଲରୁ ୭୬ ରନ ସଂଗ୍ରହ କରି ଅପରାଜିତ ରହିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଯୁବରାଜଙ୍କ ଶତକକୁ ଫିକା କରି ଦେଇଥିଲା ।