ଭୁବନେଶ୍ୱର: ଶାନ୍ତ ପଡିଯାଇଛି ଗଣମାଧ୍ୟମରେ ଖବର, ଆଉ ବିଜେବି କଲେଜକୁ ନାହିଁ ପୂୂର୍ବଭଳି ଚର୍ଚ୍ଚା । ଇତି ମଧ୍ୟରେ ରାଗିଂ ଅଭିଯୋଗ ଆଣି ଜୁଲାଇ ୨ରେ ଆତ୍ମହତ୍ୟା କରିଥିବା ମେଧାବୀ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁକୁ ପୁରିଛି ସପ୍ତାହେ । କଲେଜ ଏବେ ପୂର୍ବଭଳି ସ୍ୱାଭାବିକ ହୋଇଥିବା ବେଳେ କାରୁବାକୀ ହଷ୍ଟେଲ ଅନ୍ତବାସୀ ରୁଚିକାଙ୍କୁ ଭୁଲି ଆଗକୁ ବଢିଛନ୍ତି । ପରୀକ୍ଷା ବି ଦେଉଛନ୍ତି। କିନ୍ତୁ ନ୍ୟାୟ ଦାବିରେ ରୁଚିକାଙ୍କ ମା’ କଲେଜ ଆଗରେ ଧାରଣାରେ ବସିଛନ୍ତି ।
ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ରୁଚିକାଙ୍କ ନ୍ୟାୟ ପାଇଁ ତାଙ୍କ ମାଙ୍କ ସହ କିଛି ଯୁବପିଢି କାନ୍ଧ ମିଳାଇଥିଲେ । ହେଲେ ଏହା କଲେଜର ସମ୍ମାନ ଉପରେ ପ୍ରଶ୍ନ ଉଠାଇଥିଲା । ଆଉ ପୋଲିସ ଆସି ରୁଚିକାଙ୍କ ମାଙ୍କୁ ଛାଡି ବଳ ପୂର୍ବକ ଭାବେ ଅନ୍ୟମାନଙ୍କୁ ଉଠାଇ ନେଇଛି । ଶୁକ୍ରବାର ପୋଲିସ ବଳପୂର୍ବକ ଭାବେ ରୁଚିକାଙ୍କ ମା’କୁ ମଧ୍ୟ ଉଠାଇନେଇଥିଲା । କିନ୍ତୁ ରୁଚିକାଙ୍କ ମୃତ୍ୟୁ ପଛରେ ଥିବା ତିନି ସିନିୟର ଛାତ୍ରୀ କିଏ ତାର ଉତ୍ତର ରୁଚିକାଙ୍କୁ ମା’କୁ ଦେବାରେ ପୋଲିସ ବିଫଳ ହୋଇଥିଲା ।
ରୁଚିକା ନିଜ ସୁଇସାଇଡ ନୋଟରେ ଯେଉଁ ୩ ଜଣ ସିନିୟରଙ୍କ କଥା କହିଥିଲେ, ଏଯାଏଁ ସେମାନଙ୍କୁ ଚିହ୍ନଟ କାହିଁକି କରାଯାଇପାରିନି। ତେଣୁ ସେହି ତିନି ସିନିୟର ଛାତ୍ରୀଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ପୋଲିସ ଏ ବାବଦରେ ଏକଦମ ନିରବ ରହିଛି । କେଉଁ କାରଣ ପାଇଁ ସେହି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇପାରୁନି ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନା ସେହି ତିନି ସିନିୟର ଛାତ୍ରୀଙ୍କ ଚାପରେ ପୋଲିସ ମଧ୍ୟ ଚେପା?
ରୁଚିକାଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ତଦନ୍ତକୁ ଚାପି ଦେବାକୁ ପୋଲିସକୁ ଉପରୁ ଚାପ ପଡୁଛି । ତେଣୁ ତଦନ୍ତ ଆଗକୁ ବଢ଼ୁ ନାହିଁ । ରୁଚିକାଙ୍କ ବାପା ପୋଲିସ ଏବଂ ରାଜ୍ୟ ସରକାର ଉପରେ ଆସ୍ଥା ହରାଇଛନ୍ତି ବୋଲି କହିଛନ୍ତି । ତେଣୁ ଏହି ମାମଲାର ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି । ରୁଚିକାଙ୍କ ବାପା ମଧ୍ୟ ଜଣେ କଲେଜର ଅଧ୍ୟାପକ ।
ଉଲ୍ଲେଖଯୋଗ୍ୟ, ସିବିଆଇ ଯେଉଁ ଅଭିଯୁକ୍ତକୁ ଖୋଜିବାରେ ସଫଳ ହୋଇନଥିଲା ସେହି ଅଭିଯୁକ୍ତକୁ କମିଶନରେଟ ପୋଲିସ ଖୋଜିବାରେ ସଫଳ ହୋଇଥିଲା । ଆଉ କେତେ କ’ଣ ପ୍ରଶଂସା ପାଇଛି । ଏବେ କିନ୍ତୁ ଗୋଟିଏ ମା’ କୋଳରୁ ସବୁଦିନ ପାଇଁ ବିଦାୟ ନେଇଥିବା ଗୋଟିଏ ଝିଅର ମୃତ୍ୟୁ ଘଟଣାରେ ପୋଲିସର ନିରବତା ଖାକିର ପାରିବାପଣିଆ ଉପରେ ଶତ ପ୍ରତିଶତ ପ୍ରଶ୍ନ ଛିଡା କରିଛି ।
Comments are closed.