ଢେଙ୍କାନାଳ (ଆଶୁତୋଷ ପଟ୍ଟନାୟକ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧିନସ୍ଥ ୫୩ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ 12 ଚକିଆ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହାପରେ ଟ୍ରକ ସହ ହୁତୁ ହୁତୁ ହୋଇ ଜଳିଯାଇଛନ୍ତି ଟ୍ରକ ଡ୍ରାଇଭର।
ବଡଝରା ଗାଁ ନିକଟ ରେଙ୍ଗାଲି ବାମ ପାର୍ଶ୍ଵ କେନାଲ ପାଖରେ ସୋମବାର ସନ୍ଧ୍ୟାରେ ଏକ ୧୨ ଚକିଆ କୋଇଲା ବୁଝେଇ ଟ୍ରକ (ଓଡ଼ି ୩୫ ସି ୦୪୩୬) ଭାରସାମ୍ୟ ହରାଇ ରାସ୍ତାର ବାମ ପାର୍ଶ୍ଵକୁ ଓଲଟି ପଡ଼ିଥିଲା। ଗାଡ଼ିର ଗରମ ଓ କୋଇଲାର ଚାପରେ ନିର୍ଗତ ଗ୍ୟାସରୁ କୋଇଲାରେ ନିଆଁ ଲାଗି ଯାଇଥିଲା। ଫଳରେ ଗାଡ଼ିର ଚାଳକ ଭିତରେ ଚାପି ହୋଇ ବାହାରି ପାରିନଥିଲା। ଚାହୁଁ ଚାହୁଁ ଏହି ନିଆଁ ଆୟତ୍ତ ବାହାରକୁ ଚାଲି ଯାଇଥିଲା। ଏହି ଅଣାୟତ ନିଆଁରେ ଟ୍ରକ ଜଳି ଯାଇଥିବା ସହ ଟ୍ରକ ଚାଳକ ଅର୍ଦ୍ଧ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି। ତାଳଚେରରୁ କୋଇଲା ଲୋଡ କରି ଟ୍ରକଟି କାମାକ୍ଷାନଗର ଅଭିମୁଖେ ଯାଉଥିଲା ବୋଲି ସୂଚନା ରହିଛି।
ତେବେ ବାଟରେ ଦୁର୍ଘଟଣାର ଶିକାର ହୋଇଥିଲା। ଏହାପରେ ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁକୁ ଆୟତ୍ତ କରିନହେବାରୁ ସ୍ଥାନୀୟ ଲୋକ ପରଜଙ୍ଗ ଅଗ୍ନିଶମ ବିଭାଗ ତଥା ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥାନରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଦମକଳ ଟିମ୍।
ଘଟଣାସ୍ଥଳରେ ପହଞ୍ଚି ମୃତ ଟ୍ରକ ଚାଳକଙ୍କ ଅର୍ଦ୍ଧ ଦଗ୍ଧ ଶରୀରକୁ ଉଦ୍ଧାର କରି ପରିଚୟ ପାଇବାକୁ ଚେଷ୍ଟା ଚଲାଇଛନ୍ତି। ଘଟଣା ସ୍ଥଳରେ ପରଜଙ୍ଗ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ଏସ ଆଈ ଶକ୍ତି ପ୍ରସାଦ ସାହୁ , ଏ ଏସ ଆଈ ସୁରେଶ ଚନ୍ଦ୍ର ଧଳ,ପଦ୍ମନାଭ ସାହୁ, ବନିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.