ଖୋର୍ଦ୍ଧା: ଦୋଳ ଉତ୍ସବ ଅବସରରେ ଆୟୋଜିତ ହେବାକୁ ଥିବା ବାଣ ଶୋ’ ଉପରେ କଟକଣା। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏପରି କଟକଣା ଲଗାଇଛି। ବେଆଇନ ବାଣ ତିଆରି କାରଖାନାରେ ବିସ୍ଫୋରଣ ଜିଲ୍ଲା ପ୍ରଶାସନ ପାଇଁ ସତର୍କ ଘଣ୍ଟି ପାଲଟିଛି। ଏହାପରେ ପ୍ରଶାସନ ବାଣ ଶୋ’ ଉପରେ ରୋକ୍ ଲଗାଇଛି। ଏଥିସହ ବେଆଇନ ବାଣ ତିଆରି କରୁଥିବା ଅଭିଯୋଗରେ ପୋଲିସ ସାତ ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି।
ଖୋର୍ଦ୍ଧାରେ ବାଣ ବିସ୍ଫୋରଣ ଘଟଣା ପରେ ଜିଲ୍ଲାପାଳ, ଏସପି, ସମସ୍ତ ଥାନାର ଆଇଆଇସିଙ୍କୁ ନେଇ ଏକ ବୈଠକ ଡକାଯାଇଥିଲା। ବୈଠକ ପରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ଯେ ବିନା ଅନୁମତିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ କିଛି ଅଧିକାରୀଙ୍କ ସହ ଭୂଷଣ୍ଡପୁରରେ ବାଣ ତିଆରି କରାଯାଉଛି ଏବଂ କଞ୍ଚାମାଲ କେଉଁଠୁ ସଂଗ୍ରହ କରାଯାଇଛି ତାହାର ତଦନ୍ତ କରାଯିବ।
ଏକ ମିଳିତ ସ୍କ୍ୱାଡ୍ ଗଠନ କରାଯାଇଛି ଏବଂ ବେଆଇନ ବାଣ ୟୁନିଟ୍ଗୁଡ଼ିକୁ ଜବତ କରିବା ପାଇଁ ଚଢ଼ଉ କରାଯିବ।କମିଟି ସଦସ୍ୟମାନଙ୍କୁ ମଧ୍ୟ ବାଣ ନଫୁଟାଇବାକୁ ଏହି ଅବସରରେ ନିବେଦନ କରିଛନ୍ତି ଜିଲ୍ଲାପାଳ।
ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ କହିଛନ୍ତି, ଏଯାଏ 17ଟି ଚଢ଼ଉ କରି 7ଟି ମାମଲା ରୁଜୁ କରି 6 ଜଣଙ୍କୁ ଗିରଫ କରାଯାଇଛି। ଏହାସହ 62 କେ.ଜି ବାଣ ମଧ୍ୟ ଜବତ ହୋଇଛି। ବେଆଇନ ବାଣ କାରଖାନା ଉପରେ ଚଢ଼ଉ ଜାରି ରହିବା ଏବଂ ବେଆଇନ ବାଣ ତିଆରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବାଣପୁରରେ ଦୋଳ ଉତ୍ସବରେ ବାଣ ଫୁଟାଇବାର ପରମ୍ପରା ରହିଛି। ତେଣୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ କିଛି ଅଧିକାରୀଙ୍କ ସହ ସ୍ଥାନୀୟ ବାସିନ୍ଦା ଓ ପଞ୍ଚୁଡୋଳା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏ ସମ୍ପର୍କରେ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ କହିଛନ୍ତି, ଆମେ ସମସ୍ତ କମିଟି ସଦସ୍ୟଙ୍କୁ ଅନୁରୋଧ କରିଛୁ ଯେ, ବାଣ ଫୁଟାଇ ଶୋ’ ନକରିବାକୁ।
ଦୋଳ ଉତ୍ସବ ସମୟରେ ଏଠାରେ ବାଣ ଫୁଟାଇ ଆୟୋଜନ କରିବାର ପରମ୍ପରା ରହିଛି। ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଏଭଳି ଶୋ’ ଆୟୋଜନ କରିବାକୁ ଅନୁମତି ଦେବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ବାଣପୁର ପଞ୍ଚୁ ଦୋଳ କମିଟିର ସମ୍ପାଦକ ମାଧବ ଚନ୍ଦ୍ର ବାରିକ କହିଛନ୍ତି।
Comments are closed.