Latest Odisha News

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ କାହାର ଦରଦ କେତେ?

ସୀତାରମଣଙ୍କୁ ନବୀନଙ୍କ ଚିଠି, ବିଜେପି କହିଲା ଡ୍ରାମା କରୁଛନ୍ତି

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ବେଳେ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ମଧ୍ୟ ଗୋଟିଏ ପ୍ରସଙ୍ଗ ରହିଛି। ଏହାକୁ ନେଇ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିର୍ବାଚନୀ ପ୍ରସଙ୍ଗ କରି ଶାସକ ଦଳର ନେତାଙ୍କୁ ଘେରୁଛନ୍ତି। ଏହି ସମୟରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ରରୁ ଜିଏସଟି ଛାଡ଼ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି। ବିଜେଡି ଏପରି କରି କେନ୍ଦୁପତ୍ର ତୋଳାଳି ଭୋଟ୍ ବ୍ୟାଙ୍କ ଉପରେ ନଜର ପକାଉଥିବା ବେଳେ ବିଜେପି ମଧ୍ୟ କଡା ଜବାବ ଦେଇଛି।

ରାଜ୍ୟ ସରକାର କେନ୍ଦୁପତ୍ରରୁ ବର୍ଷକୁ ଦୁଇ ଶହ କୋଟି ଟଙ୍କା ଆୟ କରୁଛନ୍ତି କିନ୍ତୁ କେନ୍ଦୁପତ୍ର ଶ୍ରମିକ, କର୍ମଚାରୀଙ୍କ ଦୁଃଖ ବୁଝୁନାହାନ୍ତି । ଆଜି ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉପରେ ଜିଏସଟି ଛାଡକୁ ନେଇ ଯେଉଁ ଚିଠି ଲେଖଛନ୍ତି ତାହା କେବଳ ପଦମପୁର ଉପନିର୍ବାଚନକୁ ଆଖି ଆଗରେ ରଖି । ଉପନିର୍ବାଚନ ଆସିବାରୁ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁପତ୍ର ଶ୍ରମିକଙ୍କ କଥା ମନେପଡିଲା। ରାଜ୍ୟ ସରକାର ନିଜେ କେନ୍ଦୁପତ୍ର ଉପରେ ନେଉଥିବା ୯ ପ୍ରତିଶତ ଜିଏସଟି ଟିକସ ପ୍ରଥମେ ଛାଡ କରନ୍ତୁ। ମୁଖ୍ୟମନ୍ତ୍ରୀ ନିଜେ ଏବେ ଯେଉଁ ଚିଠିର ଡ୍ରାମା କରୁଛନ୍ତି ତାହା ଲୋକ ବୁଝିଗଲେଣି । ରାଜ୍ୟ ସରକାର କାହିଁକି ଆଜି ପର୍ଯ୍ୟନ୍ତ ଥରେ ହେଲେ ବି ଜିଏସଟି କାଉନସିଲରେ କେନ୍ଦୁପତ୍ର ଉପରେ ଜିଏସଟି ଛାଡ ନେଇ ପ୍ରସ୍ତାବ ଦେଇ ନାହାନ୍ତି ତାହାର ଜବାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ।

ନିଜେ ମୁଖ୍ୟମନ୍ତ୍ରୀ ୨୦୧୩ ମସିହା ଜାନୁୟାରୀ ୧୩ରେ ରେଢାଖୋଲରେ ଲକ୍ଷାଧିକ ତୋଳାଳୀ ଓ ଶ୍ରମିକଙ୍କ ସମାବେଶରେ ସିଜନାଲ ଷ୍ଟାଫଙ୍କ ଚାକିରି ସର୍ତାବଳୀ ଲାଗୁହେବ ପାଇଁ ଘୋଷଣା କରିଥିଲେ । ଏହି ଘୋଷଣାକୁ ୯ ବର୍ଷ ବିତିସାରିଥିଲା ବେଳେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ବିଜୁ ଜନତା ଦଳର ସରକାର କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ କୁମ୍ଭୀର କାନ୍ଦଣା ଛାଡନ୍ତୁ ବୋଲି ମୋହନ ମାଝୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି କହିଥିଲେ, କେନ୍ଦୁପତ୍ର ଉପରେ ଜିଏସଟି (୧୮%) ଲାଗୁ ହେବା ଫଳରେ ବ୍ୟବସାୟୀ, କେନ୍ଦୁପତ୍ର ତୋଳାଳି, ଓ ଶ୍ରମିକଙ୍କ ଜୀବିକା ଉପରେ ପ୍ରଭାବ ପକାଉଛି।

କେନ୍ଦୁପତ୍ର ଏକ ଲଘୁ ବନଜାତ ଦ୍ରବ୍ୟ। ଓଡ଼ିଶାର ପ୍ରାୟ ୮ ଲକ୍ଷ ପତ୍ର ତୋଳାଳି ସହିତ ଅନେକ ଶ୍ରମିକ ରହିଛନ୍ତି। ଜିଏସଟି ଛାଡ ହେଲେ ଏହି ବର୍ଗର ଲୋକଙ୍କ ଆର୍ଥିକ ପରିସ୍ଥିତି ସୁଧୁରିପାରନ୍ତା।

Leave A Reply

Your email address will not be published.