ନୂଆଦିଲ୍ଲୀ: ବିରୋଧୀଙ୍କ ବିରୋଧ, ଯୁକ୍ତିତର୍କ, ପ୍ରାୟ ୧୨ ଘଣ୍ଟାର ସମର ପରେ ଲୋକସଭାରେ ରାତି ଅଧରେ ପାରିତ ହୋଇଛି ୱାକଫ (ସଂଶୋଧନ) ବିଲ୍ । ଲୋକସଭା ବାଧା ଅତିକ୍ରମ କରିବା ପରେ, ଆଜି ରାଜ୍ୟସଭାରେ ବିଲ୍ ଉପସ୍ଥାପନ ହେବାକୁ ଯାଉଛି । ଗତକାଲି ୧୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ବିତର୍କ ପରେ, ଲୋକସଭା ଗୁରୁବାର ସକାଳେ ଶାସକ ଏନଡିଏ ଏବଂ ବିରୋଧୀ ଦଳ ଇଣ୍ଡି ମେଣ୍ଟ ମଧ୍ୟରେ ଉଷ୍ମତା ପରେ ବିବାଦୀୟ ୱାକଫ (ସଂଶୋଧନ) ବିଲ୍,୨୦୨୫କୁ ପାସ୍ କରିଛି ।
ନିମ୍ନ ସଦନରେ ବିଲ୍ ଉପରେ ବିତର୍କରେ ବିଜେପି ନେତୃତ୍ୱାଧୀନ ଏନଡିଏ, ଏହି ଆଇନକୁ ସଂଖ୍ୟାଲଘୁଙ୍କ ପାଇଁ ଲାଭଦାୟକ ବୋଲି କହି,ଦୃଢ଼ ଭାବରେ ସମର୍ଥନ କରିଥିଲା । ହେଲେ ବିରୋଧୀ ଏହାକୁ “ମୁସଲିମ ବିରୋଧୀ” ବୋଲି ବାଖ୍ୟା କରିଥିଲେ । ବିରୋଧୀ ସଦସ୍ୟମାନଙ୍କ ଦ୍ୱାରା ଆଗତ ସମସ୍ତ ସଂଶୋଧନକୁ ଭଏସ୍ ଭୋଟ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯିବା ପରେ ବିଲ୍ ଗୃହୀତ ହୋଇଥିଲା । ଭୋଟ ବିଭାଜନ ପରେ ଏହା ଏହାର ସପକ୍ଷରେ ୨୮୮ଟି ମତ ରହିଥିବା ବେଳେ ବିପକ୍ଷରେ ୨୩୨ଟି ଭୋଟ ରହିଥିଲା । ଆଉ ଆଜି ଏହା ଉପର ଗୃହ ରାଜ୍ୟସଭାରେ ପାରିତ ହୋଇପାରେ ।
ତେବେ ଆସନ୍ତୁ ଜାଣିବା ରାଜ୍ୟସଭାରେ କ’ଣ ରହିଛି ବିଲ୍ ପାରିତ ହେବାର ସ୍ଥିତି… ତେବେ ଲୋକସଭା ପରି, ରାଜ୍ୟସଭାରେ ମଧ୍ୟ ବିଜେପି ନେତୃତ୍ୱାଧୀନ ଏନଡିଏ ଭଲ ସ୍ଥିତିରେ ଅଛି । ୧୨୫ ସାଂସଦଙ୍କ ସହିତ, ଯେଉଁଥିରେ ସାଫରନ୍ ଦଳର ୯୮, ଜେଡିୟୁର ୪, ଏନସିପିର ୩, ଟିଡିପିର ୨ ଏବଂ ୬ ଜଣ ମନୋନୀତ ସଦସ୍ୟ ରହିଛନ୍ତି । ଯାହା ସଂଖ୍ୟା ଗରିଷ୍ଠତା ଉର୍ଦ୍ଧ୍ବରେ ।
ସେହିପରି ବିରୋଧୀ ଇଣ୍ଟି ମେଣ୍ଟର ଶକ୍ତି ବିଷୟରେ କହିବାକୁ ଗଲେ, ଏହାର ୮୮ ସାଂସଦ ଅଛନ୍ତି, ଯେଉଁଥିରେ କଂଗ୍ରେସର ୨୭ ଏବଂ ତୃଣମୂଳ କଂଗ୍ରେସର ୧୩, ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିର ୭ ଜଣ ସାଂସଦ ବିରୋଧୀ ଦଳ ସହିତ ରହିଛନ୍ତି । ଯାହାର ସଂଖ୍ୟା ବିଲକୁ ରାଜ୍ୟ ସଭାରେ ପାରିତ କରିବାରୁ ରୋକି ପାରିବ ନାହିଁ । ତେଣୁ ଆଶା କରାଯାଉଛି, ଏହି ବିଲ୍ ରାଜ୍ୟସଭାରେ ମଧ୍ୟ ସୁରୁଖୁରୁରେ ପାରିତ କରିପାରିବ ଶାସକ ଦଳ ।
ତେବେ ଯଦି ବିବାଦୀୟ ୱାକଫ (ସଂଶୋଧନ) ବିଲ୍ କଥା କହିବା, ସଂଶୋଧିତ ବିଲ୍ ଅନୁଯାୟୀ, ୱାକଫ୍ ବୋର୍ଡଗୁଡ଼ିକରେ ୱାକଫ୍ ପ୍ରତିଷ୍ଠାନଗୁଡ଼ିକର ବାଧ୍ୟତାମୂଳକ ଅବଦାନ ୭ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇବ । ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଥିବା ୱାକଫ୍ ପ୍ରତିଷ୍ଠାନଗୁଡ଼ିକ ରାଜ୍ୟ-ପ୍ରାୟୋଜିତ ଅଡିଟରଙ୍କ ଦ୍ୱାରା ଅଡିଟ୍ କରାଯିବ । ଏକ କେନ୍ଦ୍ରୀୟ ପୋର୍ଟାଲ୍ ୱାକଫ୍ ସମ୍ପତ୍ତି ପରିଚାଳନାକୁ ସ୍ୱୟଂଚାଳିତ କରିବ । ଏଥିସହିତ କିକରି ଏହାର ଦକ୍ଷତା ଏବଂ ସ୍ୱଚ୍ଛତାକୁ ଆହୁରି ଉନ୍ନତ କରିବ, ତାହା ଉପରେ ମଧ୍ୟ କାମ କରିବ । ଏହା ବ୍ୟତୀତ ବିଲରେ ଏହା ବି ପ୍ରସ୍ତାବିତ ଅଛି ଯେ, ଅଭ୍ୟାସରତ ମୁସଲମାନମାନେ (ଅତି କମ ପାଞ୍ଚ ବର୍ଷ ପାଇଁ) ସେମାନଙ୍କର ସମ୍ପତ୍ତି ୱାକଫ୍ ପାଇଁ ଉତ୍ସର୍ଗ କରିପାରିବେ । ଯାହା ୨୦୧୩ ପୂର୍ବ ନିୟମକୁ ପୁନରୁଦ୍ଧାର କରିବ । ଯାହାର ସର୍ତ୍ତ ରହିଛି, ମହିଳାମାନେ ୱାକଫ୍ ଘୋଷଣା ପୂର୍ବରୁ ସେମାନଙ୍କର ଉତ୍ତରାଧିକାର ପାଇବା ଆବଶ୍ୟକ । ଏତିସହିତ ବିଧବା, ପରିତ୍ୟକ୍ତା ମହିଳା ଏବଂ ଅନାଥଙ୍କ ପାଇଁ ବିଶେଷ ବ୍ୟବସ୍ଥା ରହିବ ।
ବିଲ୍ ଏହା ବି ପ୍ରସ୍ତାବ ଦେଇଛି ଯେ, କଲେକ୍ଟର ପଦରୁ ଉପର ଜଣେ ଅଧିକାରୀ ୱାକଫ୍ ଭାବରେ ଦାବି କରାଯାଇଥିବା ସରକାରୀ ସମ୍ପତ୍ତିର ତଦନ୍ତ କରିବେ । ଏଥିରେ ଅନ୍ତର୍ଭୁକ୍ତି ପାଇଁ ଅଣ-ମୁସଲମାନ ସଦସ୍ୟମାନଙ୍କୁ କେନ୍ଦ୍ରୀୟ ଏବଂ ରାଜ୍ୟ ୱାକଫ୍ ବୋର୍ଡରେ ଅନ୍ତର୍ଭୁକ୍ତ କରିବାର ପ୍ରସ୍ତାବ ମଧ୍ୟ ଦିଆଯାଇଛି ।
Comments are closed.