Latest Odisha News

BREAKING NEWS

ନେପାଳରେ ଓଡ଼ିଆ ଯାତ୍ରୀଙ୍କ ମୃତ୍ୟୁ ଘଟଣା: କେନ୍ଦ୍ରମନ୍ତ୍ରୀ ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡ଼ିଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଯିଏକି ନିକଟରେ ପୁରୀ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟି ନେପାଳରେ ଓଡ଼ିଆ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ଏହି ଦୁର୍ଘଟଣାରେ ମୃତକ ସମସ୍ତ ଓଡ଼ିଆ ଯାତ୍ରୀମାନଙ୍କ ଶବ ବ୍ୟବଚ୍ଛେଦ ସହିତ ମରଶରୀର ଗୁଡ଼ିକୁ କିପରି ନେପାଳରୁ ଓଡ଼ିଶାକୁ ଯଥାଶିଘ୍ର ଅଣାଯାଇପାରିବ ସେ ନେଇ ସେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି ।

ଏହି ଘଟଣା ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଏହିକି ଯେ, ଏକ ଯାତ୍ରୀବାହୀ ବସ୍ କିଛି ଓଡ଼ିଆ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ନେପାଳର ରୌତହାଟ ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ନିକଟରେ ଏକ ଟ୍ରକ ସହିତ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ମଙ୍ଗଳବାର ଦିନ ୨ଜଣ ଓଡ଼ିଆ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ତିନିଜଣ ଓଡ଼ିଆ ଯାତ୍ରୀଙ୍କ ସମେତ ସମୁଦାୟ ୨୧ ଜଣ ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨ ଜଣ ଓଡ଼ିଆଙ୍କ ମଧ୍ୟରୁ ଜଣେ ହେଲେ ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଗ୍ରାମର ଚରଣ ବିଶ୍ୱାଳ (୫୪) ଏବଂ ଜମୁନା ଗ୍ରାମର ବିଜୟ ଜେନା (୫୨) ।

ଆହତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, ସର୍ବେଶ୍ୱର ଜେନା (୫୫), ଶେଷଦେବ ଜେନା (୫୩) ଏବଂ କରୁଣା କାର୍ଜୁନ ଅଗସ୍ତି (୬୩) । ଏହି ୩ ଜଣ ଆହତ ବ୍ୟକ୍ତିମାନେ ବର୍ତ୍ତମାନ କର୍କିସ୍ଥିତ ବିର୍ଜଂ ନ୍ୟୁରୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏବେ ମୃତ ଶରୀରଗୁଡ଼ିକୁ ଚନ୍ଦ୍ରାଣୀଗ୍ରହପୁର ମ୍ୟୁନିସିପାଲିଟିଠାରେ ପୋଷ୍ଟମର୍ଟମ ଲାଗି ସୁରକ୍ଷିତ ଭାବେ ରଖାଯାଇଛି ।

ମିଳିଥିବା ସୂଚନାନୁଯାୟୀ, ୨୩ ଜଣ ତୀର୍ଥଯାତ୍ରୀଙ୍କୁ ନେଇ କାଠମାଣ୍ଡୁରୁ ଜନକପୁରକୁ ଯାଉଥିବା ବେଳେ ବସଟି ଗନ୍ତବ୍ୟପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବସରେ ଓଡ଼ିଶାର ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ତୀର୍ଥଯାତ୍ରୀ ରହିଥିଲେ ଏବଂ ସମସ୍ତେ ଜୁନ ୬ ତାରିଖରେ ଓଡ଼ିଶାରୁ ନେପାଳ ଯାଇଥିଲେ ।

Leave A Reply

Your email address will not be published.