ଜାହାଙ୍ଗୀରପୁରୀ ଘଟଣା ଦେଖିଲେ ଅନୁଭବ ହେଉଛି ଦେଶରେ ଏନଆରସି ଲାଗୁ ହେବା ଦରକାର: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ
ଭୁୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଜାହାଙ୍ଗିରପୁରୀ ଦଙ୍ଗା ଓ ବସ୍ତି ଉଚ୍ଛେଦକୁ ନେଇ ଗୁରୁବାର କଡ଼ା ପ୍ରତିକ୍ରିୟା ରଖିଛନ୍ତି । ହନୁମାନ ଜୟନ୍ତୀ ରେ ହୋଇଥିବା କାଣ୍ଡକୁ ଦେଖିଲେ ଲାଗୁଛି, ଦେଶରେ ଖୁବ୍ ଶୀଘ୍ରୀ ଏନଆରସି ଲାଗୁ କରିବା ଦରକାର । ମୁସଲମାନ ସଂପ୍ରଦାୟ ଆଡ଼କୁ ଆକ୍ଷେପ କରି ଗିରିରାଜ ଏଭଳି ମନ୍ତବ୍ୟ ରଖିଛନ୍ତି । ଗିରିରାଜ କହିଛନ୍ତି, ହନୁମାନ ଜୟନ୍ତୀ ଯାତ୍ରାରେ ଯାହା ହେଲା ତାହା ସନାତନ ଧର୍ମ ଉପରେ ଆକ୍ରମଣ ।
ଗିରିରାଜ କହିଛନ୍ତି ଯେ, ଏଠାରେ ଦଙ୍ଗା କରିଥିବା ଲୋକ, ସିଏଏକୁ ବିରୋଧ କରିଥିଲେ । ରାମ ଜନ୍ମଭୂମିକୁ ବିରୋଧ, ସରିଆତ୍ ଆଇନ୍ ଆଣିବା ପାଇଁ ଚାହିଁଥିଲେ । ପୁଣି ହିଜାବ ଆନ୍ଦୋଳନ କରିବାକୁ ଚାହୁଁଥିଲେ । ଏବେ ରାମ ନବମୀରେ ପଥର ମାରିଲେ, ଖଣ୍ଡା ଉଠେଇଲେ । ଗୋରଖପୁରରେ ମୁଖ୍ୟମନ୍ତ୍ରୀଙ୍କ ମନ୍ଦିରକୁ ଆକ୍ରମଣ କରିଥିଲେ ।
ଏହି ସବୁ ଘଟଣା ବର୍ଣ୍ଣନା କରି ଗିରିରାଜ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟକୁ ଟାର୍ଗେଟ କରିଥିଲେ । ଏଭଳି ଘଟଣା ସନାତନ ସମାଜ ପ୍ରତି ବିପଦ । ଏମାନଙ୍କ ପାଇଁ ଏନଆରସି ଲାଗୁ ହେବା ଦରକାର । ସବୁ ଦେଶରେ ନିଜର ନାଗରିକ ରେକର୍ଡ ଅଛି । ଭାରତର ମଧ୍ୟ ରହିବା ଦରକାର । ତେଣୁ ଭାରତରେ ଏନଆରସି ଲାଗୁ ହେବା ଦରକାର ବୋଲି ଗିରିରାଜ କହିଛନ୍ତି ।
ସୂଚନାଯୋଗ୍ୟ ଦେଶରେ ଏନଆରସି ଓ ସିଏଏ ଲାଗୁ ହେବା ବିଷୟ ଚାଲିବା ବେଳେ ସଂଖ୍ୟାଲଘୁ ସଂପ୍ରଦାୟର ଆନ୍ଦୋଳନରେ ମୁସଲମାନ ସଂପ୍ରଦାୟର ସଂଗଠନ ଗୁଡ଼ିକ ବଡ଼ ଭୂମିକା ନେଇଥିଲା । ହନୁମାନ ଜୟନ୍ତୀରେ ଦିଲ୍ଲୀର ଜାହାଙ୍ଗିରପୁରୀରେ ହିନ୍ଦୁ-ମୁସଲମାନ ଦଙ୍ଗା ହୋଇ ୨୬ ଜଣ ଗିରଫ ହୋଇଛନ୍ତି ।
Comments are closed.