Latest Odisha News

ମୁଖ୍ୟ ସଚେତକ ପଦରୁ ହଟିବା ପରେ ମିଡିଆକୁ ସମାଲୋଚନା କଲେ ସୁଲତା, କହିଲେ, ‘ବିନା ମେଘରେ ବଜ୍ରପାତ କାହିଁକି ?’

ଭୁବନେଶ୍ୱର: ରାଜ୍ୟ ସଭାର ମୁଖ୍ୟ ସଚେତକ ପଦବୀରୁ ହଠାତ ସୁଲତା ଦେଓଙ୍କୁ କାଢି ମାନସ ମଙ୍ଗରାଜଙ୍କୁ ଦିଆଯିବା ଘଟଣା ରାଜ୍ୟ ରାଜନୀତିରେ ଏବେ ବି ଚର୍ଚ୍ଚାର ବିଷୟ ହୋଇଛି । ବିଜେଡିର ହଠାତ୍ ଏପରି ଏକ ଅଦଳବଦଳକୁ ନେଇ ବିଭିନ୍ନ ମିଡିଆରେ କଳ୍ପନାଜଳ୍ପନା ପ୍ରକାଶ ପାଉଥିବାବେଳେ ମୁହଁ ଖୋଲିଛନ୍ତି ନିଜେ ସୁଲତା ଦେଓ ।

ମିଡିଆକୁ କଡା ସମାଲୋଚନା କରି ସୁଲତା ନିଜ ଫେସ ବୁକରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ମଡିଆକୁ କଡା ବାର୍ତ୍ତା ଦେଇ କହିଛନ୍ତି, ବିନା ମେଘରେ ବଜ୍ରପାତ କାହିଁକି ? ଯଦି କାହାକୁ ସମ୍ମାନ ଦେଇ ପାରିବନି ତେବେ ଅସମ୍ମାନ ତ କରନି ।’

ସେ ନିଜ ଲେଖାରେ ଆହୁରି କହିଛନ୍ତି, MP ମୁଁ ପରେ ହୋଇଛି, ପ୍ରଥମେ କାହାର ଭଉଣୀ, କାହାର ମାଆ। ମୋ ଭଳି ଜଣେ ଓବିସି ମହିଳାଙ୍କୁ ଦେଶର ମର୍ଯ୍ୟାଦା ସମ୍ପନ୍ନ ରାଜ୍ୟ ସଭାକୁ ପଠାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ମୋର ନେତାଙ୍କ ପ୍ରତି ମୁଁ ଆଜୀବନ କୃତଜ୍ଞ।  ଏଇ କିଛି ଦିନ ହେବ ଯେପରି ଭାବେ କିଛି ମିଡ଼ିଆ  ଲାଂଛିତ କରି କହୁଛନ୍ତି, ତା ଅସହ୍ୟ ହୋଇଛି। ମହିଳାଙ୍କୁ ଲାଂଚ୍ଛନା ଯଦି ସେହି ମିଡ଼ିଆମାନଙ୍କ ଅଧିକାର, ତେବେ ଗଣତନ୍ତ୍ରର ଗତି କେଉଁଆଡ଼େ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି,  ଯେଉଁ ଘଟଣାକୁ ନେଇ ମିଡ଼ିଆ ମତେ ଦୋଷ ଦେଇଛି, ସେଥିରେ କେଉଁଠି ସେମାନେ ମୋ ଦୋଷ ଦେଖିଛନ୍ତି ? ଯଦି ଦେଖିଛନ୍ତି, କହିଲେ କୃତଜ୍ଞ ରହିବି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ କେଉଁଠାରେ ଦୋଷ ଦେଇ ନଥିଲେ ମଧ୍ୟ କିଛି ମହିଳା ଲାଂଚ୍ଛନାକାରୀ ମତେ ଦୋଷ ଦେଇ କେଉଁ ମେଡାଲ ପାଇବାକୁ ଚାହୁଁଛନ୍ତି ?‘

ମାନସ ମଙ୍ଗରାଜଙ୍କୁ ମୁଖ୍ୟ ସଚେତକ ଦାୟିତ୍ୱ ଦିଆ ଯିବା ନେଇ ସେ କହିଛନ୍ତି, ଏପରି କରାଯିବାର ଆବଶ୍ୟକତା ଥିଲା । ଏକଥା ମୁଁ ଆଗରୁ କହି ଆସୁଥିଲି  । ସେ ଏକଥା ମଧ୍ୟ କହିଛନ୍ତି ଯେ,   ‘ମାନସ ମଙ୍ଗରାଜଙ୍କ ତତ୍ତ୍ୱାବଧାନରେ ମୁଁ, ସାଂସଦ ସସ୍ମିତ ପାତ୍ର ପ୍ରମୁଖ ମୁଖପାତ୍ର ରହି ଆସିଛୁ।’

ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି କହିଛନ୍ତି,   ‘ମୋ ଭଳି ଜଣେ ଓବିସି PRI ମେମ୍ବରଙ୍କୁ ରାଜ୍ୟସଭା ସଦସ୍ୟ ମନୋନୀତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ  ଉଦାହରଣ ଉଦାହରଣ ସୃଷ୍ଟି କରିଛନ୍ତି ।’

ସୁଲତାଙ୍କ ଏହି ପୋଷ୍ଟ ଉପରେ ୟୁଜର୍ସମାନେ ବିଭିନ୍ନ ପ୍ରତିକ୍ରିୟା ବି ରଖିଛନ୍ତି ।

ସୂଚନାଥାଉ କି, ନିକଟରେ ଭୁବନେଶ୍ୱରରେ ଜନସଂପର୍କ ପଦଯାତ୍ରା ପାଇଁ ଆୟୋଜିତ ସଭାରେ ସାଂସଦ ସୁଲତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବେକରେ ଉତ୍ତରୀୟ ପକାଇବା ବେଳେ ନବୀନ ବିରକ୍ତି ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ଏପରିକି ଏହି ଉତ୍ତରୀୟ ନବୀନ କାଢି ଦେଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ପରେ  ସୁଲତାଙ୍କୁ ହଟାଇ ସାଂସଦ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ   ଦାୟିତ୍ୱ  ଦେଇଥିଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ତେଣୁ ଏହାକୁ ନେଇ ନବୀନଙ୍କ ବିରକ୍ତି ଏବଂ ସୁଲତାଙ୍କୁ ହଟାଇ ମାନସ ମଙ୍ଗରାଜଙ୍କୁ ସଚେତକ କରିବା ଘଟଣାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ କରାଯାଉଥିଲା ।

Leave A Reply

Your email address will not be published.