Latest Odisha News

BREAKING NEWS

ଦିଲ୍ଲୀରେ ୩ ଗୁଣା ହେବ କରୋନା ଟେଷ୍ଟ: ଶାହା

ନୂଆଦିଲ୍ଲୀ: କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ରବିବାର ଦିଲ୍ଲୀରେ ବଢୁଥିବା କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ବୈଠକରେ ଦିଲ୍ଲୀରେ କରୋନାକୁ ରୋକିବା, ଟେଷ୍ଟିଂ କ୍ଷମତା ବଢାଇବା, ହସ୍ପିଟାଲରେ ରୋଗୀଙ୍କୁ ଶଯ୍ୟା ସୁନିଶ୍ଚିତ କରିବା ଏବଂ ବାକି ସ୍ଵାସ୍ଥ୍ୟ ଭିତ୍ତିଭୂମି ସଜାଡିବା ଉପରେ ଗୁରୁତ୍ଵାରୋପ କରାଯାଇଛି।

ରୋଗୀଙ୍କ ଲାଗି ଶଯ୍ୟାର ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ରର ମୋଦୀ ସରକାର ତୁରନ୍ତ ୫୦୦ ରେଲଓ୍ଵେ କୋଚ୍ ଦିଲ୍ଲୀକୁ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ମିଶାଇ ଦିଲ୍ଲୀରେ ଶଯ୍ୟା ସଂଖ୍ୟା ୮୦୦୦କୁ ବୃଦ୍ଧି ଘଟିବ। ଦିଲ୍ଲୀରେ କଣ୍ଟେନମେଣ୍ଟ ଅଞ୍ଚଳରେ ଘର ଘର ଯାଇ ପ୍ରତିଟି ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟ ଯାଞ୍ଚ କରାଯିବ। ଏହାର ରିପୋର୍ଟ ଗୋଟିଏ ସପ୍ତାହରେ ଦିଆଯିବ।

ଶାହା କହିଛନ୍ତି, ଦିଲ୍ଲୀରେ କରୋନା ସଂକ୍ରମଣ ରୋକିବା ଲାଗି ଆଗାମୀ ଦୁଇ ଦିନରେ କରୋନା ଟେଷ୍ଟିଂ ବଢାଯାଇ ଦୁଇ ଗୁଣ କରାଯିବ। ୬ ଦିନରେ ଟେଷ୍ଟିଂକୁ ବଢାଇ ତିନି ଗୁଣ କରାଯିବ। କିଛି ଦିନ ପରେ କଣ୍ଟେନମେଣ୍ଟ ଜୋନ୍‌ରେ ପ୍ରତି ପୋଲିଂ ଷ୍ଟେସନରେ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ କରାଯିବ। ଦିଲ୍ଲୀର ଛୋଟ ହସ୍ପିଟାଲ ପର୍ଯ୍ୟନ୍ତ କରୋନା ପାଇଁ ସଠିକ୍ ସୂଚନା ଏବଂ ମାର୍ଗଦର୍ଶିକା ପାଇଁ ଏମ୍ସରେ ଟେଲିଫୋନ ଗାଇଡାନ୍ସ ପାଇଁ ବରିଷ୍ଠ ଡାକ୍ତରଙ୍କ ଏକ କମିଟି ଗଠନ କରାଯିବ।

ଘରୋଇ ହସ୍ପିଟାଲରେ ୬୦ ପ୍ରତିଶତ ଶଯ୍ୟା କମ୍‌ ଦରରେ ଉପଲବ୍ଧ କରାଇବା, କରୋନା ଚିକିତ୍ସା ଓ ଟେଷ୍ଟିଂ ଦର ସ୍ଥିର କରିବା ଲାଗି ଏକ କମିଟି ଗଠନ କରାଯାଇଛି, ଯିଏ କାଲି ସୁଦ୍ଧା ନିଜର ରିପୋର୍ଟ ପ୍ରଦାନ କରିବେ। ସରକାର ଅନ୍ତିମ ସଂସ୍କାର ପାଇଁ ନୂତନ ଗାଇଡ୍‌ଲାଇନ୍‌ ଜାରି କରିବାକୁ ନିର୍ଣ୍ଣୟ ନେଇଛନ୍ତି। ଏଥିରେ ଅନ୍ତିମ ସଂସ୍କାର ଶୀଘ୍ର ହୋଇ ପାରିବ। ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ୍ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ ସାମିଲ ଥିଲେ।

Leave A Reply

Your email address will not be published.