Latest Odisha News

BREAKING NEWS

ନରିଙ୍କ ପରେ ଦୟାଙ୍କୁ ଯାତ୍ରାରୁ କରାଗଲା ବାସନ୍ଦ, ଜାଣନ୍ତୁ କଣ ରହିଛି କାରଣ…

ଭୁବନେଶ୍ୱର: ଓଡ଼ିଶାର ଯାତ୍ରା ଜଗତରେ ଏକ ନାଟକୀୟ ମୋଡ଼ ଦେଖାଦେଇଛି। ଖ୍ୟାତନାମା କମେଡ଼ିଆନ୍‌ ନରି ପଣ୍ଡାଙ୍କ ପରେ ଦୟାନିଧି ଉପାଧ୍ୟାୟାଙ୍କୁ ବାସନ୍ଦ କରାଯାଇଛି। ଯାତ୍ରା ସ୍କ୍ରିପ୍ଟର ଗୁଣବତ୍ତାକୁ ନେଇ ସେ ସୋଶିଆଲ ମିଡିଆରେ ଖୋଲାଖୋଲି ସମାଲୋଚନା କରିବାରୁ ଦୟାନିଧିଙ୍କୁ ସୋମବାର ଓଡ଼ିଶା ଅପେରା ମାଷ୍ଟର୍ସ ଆସୋସିଏସନ ବାସନ୍ଦ କରିଥିବା ଜଣାପଡ଼ିଛି। ଏହି ଘଟଣା ରାଜ୍ୟର କଳାକାର ଓ ସ୍କ୍ରିପ୍ଟ ରାଇଟରଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଛି ।

ଦୟାନିଧି ଅଭିଯୋଗ କରିଛନ୍ତି ଯେ, କମେଡ଼ି ସ୍କ୍ରିପ୍ଟରେ ସେଭଳି ଆକର୍ଷଣୀୟ ସଂଳାପର ଅଭାବ ରହିଛି । ଯେଉଁଥିପାଇଁ ଦର୍ଶକଙ୍କ ପାଖରେ ଆକୃଷ୍ଟ ହୋଇପାରୁନି। ସେ ଦାବି କରିଛନ୍ତି ଯେ, ସଂଳାପ ଲେଖକ ଓ ନିର୍ଦ୍ଦେଶକମାନେ ଆକର୍ଷଣୀୟ କାହାଣୀ ପରିବେଷଣ କରିବାରେ ଅସମର୍ଥ। ଏହି ମନ୍ତବ୍ୟକୁ ଗୁରୁତର ଭାବେ ଗ୍ରହଣ କରି ଆସୋସିଏସନ ଦୟାଙ୍କ ବିରୋଧରେ ଏହି କଠୋର ପଦକ୍ଷେପ ନେଇଛି।

ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଯାତ୍ରା ପାର୍ଟି ମାଲିକ ସଂଘ ସମ୍ପାଦକ ସତ୍ୟ ଜେନାଙ୍କ ସମେତ ପ୍ରାୟ ୭୦ରୁ ୭୨ ଜଣ ନିର୍ଦ୍ଦେଶକ ଓ ସଂଳାପ ଲେଖକ ଉପସ୍ଥିତ ଥିଲେ। ବୈଠକରେ ସର୍ବସମ୍ମତିରେ ଦୟାନିଧିଙ୍କ ମନ୍ତବ୍ୟକୁ ଅସମ୍ମାନଜନକ ବୋଲି ମତ ପ୍ରକାଶ ପାଇଥିଲା । ଏଣୁ ତାଙ୍କୁ ଚଳିତ ଓ ଭବିଷ୍ୟତ ପ୍ରୋଜେକ୍ଟରୁ ବାସନ୍ଦ କରାଯାଇଛି। ଆସୋସିଏସନ ସ୍ପଷ୍ଟ କରିଛି ଯେ, ସ୍କ୍ରିପ୍ଟ ଲେଖକଙ୍କ ପ୍ରତି ଅସମ୍ମାନ ସହ୍ୟ କରାଯିବ ନାହିଁ ଏବଂ ଦୟାନିଧି କ୍ଷମା ନ ମାଗିବା ପର୍ଯ୍ୟନ୍ତ ଏହି ନିଷେଧାଦେଶ ଜାରି ରହିବ।

ଏହା ପୂର୍ବରୁ ଅଭିନେତା ସଞ୍ଜୟ ଭୋଲଙ୍କ ସହ ମଧ୍ୟ ଏକ ସମାନ ଘଟଣା ଘଟିଥିଲା, କିନ୍ତୁ ସେ ପରେ ନିଜର ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ। ତେବେ ଦୟାନିଧି ଏଯାଏ ଏପରି କୌଣସି ପଦକ୍ଷେପ ନେଇନାହାନ୍ତି। ଆସୋସିଏସନର ଆଭିମୁଖ୍ୟ କଠୋର ରହିଛି ଏବଂ ତାଙ୍କର ଭବିଷ୍ୟତ ସମ୍ପୃକ୍ତି କ୍ଷମାପ୍ରାର୍ଥନା ଉପରେ ନିର୍ଭର କରୁଛି।

ଦୟାନିଧି ବର୍ତ୍ତମାନ ‘ବିଶ୍ୱ ଦରବାର’ ଯାତ୍ରାରେ କାର୍ଯ୍ୟ କରୁଛନ୍ତି। ଏହି ଟ୍ରୁପର ମାଲିକ କିଶୋର ମିଶ୍ର ଆସୋସିଏସନର ନିର୍ଦ୍ଦେଶ ବିଷୟରେ ଅବଗତ ଥିବା ସ୍ୱୀକାର କରିଛନ୍ତି। ତେବେ ଦୟାନିଧି ନିଜ ବିରୋଧରେ ଲଗାଯାଇଥିବା ଅଭିଯୋଗର ପ୍ରମାଣ ମାଗିଛନ୍ତି ଏବଂ ଯଦି ଅଭିଯୋଗ ମିଥ୍ୟା ପ୍ରମାଣିତ ହୁଏ, ତାହା ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛନ୍ତି।

ଆସୋସିଏସନର ମିଡ଼ିଆ ସଂଯୋଜକ ହର ବାରିକ କହିଛନ୍ତି, “ଯଦି ଜଣେ କଳାକାର (ଦୟାନିଧି), ଯିଏ ମାଷ୍ଟରଙ୍କ ଦ୍ୱାରା ଗଢ଼ା ହୋଇଛନ୍ତି, ସେମାନଙ୍କୁ ଅଣଦେଖା କରି ଅବମାନନା କରୁଛନ୍ତି, ତେବେ ମାଷ୍ଟରମାନେ ସେହି ସଂଗଠନରେ କାମ କରିବା ଉଚିତ ନୁହେଁ । ଯଦି ସେ କ୍ଷମା ନମାଗିବେ ତାହେଲେ କୌଣସି ମାଷ୍ଟର ଦୟାଙ୍କ ପାଇଁ ସଂଳାପ ଲେଖିବେ ନାହିଁ । ଯଦି ମାଷ୍ଟରମାନେ ଦକ୍ଷ ନୁହନ୍ତି, ତେବେ ତାଙ୍କୁ ମାଷ୍ଟରଙ୍କ ଲେଖା ସ୍କ୍ରିପ୍ଟରେ ଅଭିନୟ କରିବା ଉଚିତ ନୁହେଁ।”

ଉଲ୍ଲେଖଯୋଗ୍ୟ, ନିକଟରେ ଓଡ଼ିଶା ଯାତ୍ରା ଅନ୍ୟତମ ଲୋକପ୍ରିୟ କଳାକାର ନରି ପଣ୍ଡାଙ୍କୁ ବ୍ୟାନ କରାଯାଇଛି । ଏହାବାଦ ଅଭିନେତା ପୀୟୁଷ ତ୍ରିପାଠୀ ଦୁଇଟି ପାର୍ଟିରୁ ପଇସା ନେଇ ବିବାଦକୁ ଆସିବା ପରେ ଏବେ ଆଗାମୀ ବର୍ଷକ ପାଇଁ କୌଣସି ଯାତ୍ରାରେ ସାମିଲ ହେବେନି ବୋଲି ସ୍ପଷ୍ଟ କରିଛନ୍ତି ।

Comments are closed.