ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଦେବାଳିଆ ରିଲାଏନ୍ସ କମ୍ୟୁନିକେସନ୍ସର ଋଣ ଆକାଉଣ୍ଟକୁ ଫ୍ରଡ ବୋଲି ଘୋଷଣା କରିଛି। ଏହି ମାମଲାରେ କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ଅନିଲ ଅମ୍ବାନୀଙ୍କ ନାମ ମଧ୍ୟ ରଖିଛି। ଷ୍ଟକ୍ ମାର୍କେଟକୁ ଦିଆଯାଇଥିବା ସୂଚନାରେ, ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ) ୨୦୧୬ରେ ପାଣ୍ଠି ହେରଫେରର ଅଭିଯୋଗ ଉଦ୍ଧୃତ କରିଛି।
ବିଓଆଇ ଅଗଷ୍ଟ ୨୦୧୬ରେ ରିଲାଏନ୍ସ କମ୍ୟୁନିକେସନ୍ସ (ଆରକମ)କୁ ଏହାର ଚଳିତ ପୁଞ୍ଜି ଖର୍ଚ୍ଚ ଏବଂ ପରିଚାଳନାଗତ ଖର୍ଚ୍ଚ ପାଇଁ ୭୦୦ କୋଟି ଟଙ୍କାର ଋଣ ଦେଇଥିଲା। ଷ୍ଟକ୍ ଏକ୍ସଚେଞ୍ଜକୁ ଦିଆଯାଇଥିବା ଏକ ଫାଇଲିଂରେ ଆରକମ କହିଛି, ଅଗଷ୍ଟ ୨୨ ତାରିଖରେ କମ୍ପାନିକୁ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଏକ ଚିଠି ମିଳିଥିଲା। ଯେଉଁଥିରେ କମ୍ପାନି ଅନିଲ ଅମ୍ବାନୀ (ପୂର୍ବ ନିର୍ଦ୍ଦେଶକ) ଏବଂ ମଞ୍ଜରୀ ଅଶୋକ କକ୍କର (ପୂର୍ବ ନିର୍ଦ୍ଦେଶକ)ଙ୍କ ଆକାଉଣ୍ଟକୁ ‘ଫ୍ରଡ୍’ ଘୋଷଣା କରାଯାଥିବା ସୂଚନା ରହିଥିଲା।
ପୂର୍ବରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ମଧ୍ୟ ଚଳିତ ବର୍ଷ ଜୁନ୍ ମାସରେ ସମାନ କାର୍ଯ୍ୟ କରିଥିଲା। ଋଣ ସର୍ତ୍ତାବଳୀ ଉଲ୍ଲଂଘନ କରି ବ୍ୟାଙ୍କ ପାଣ୍ଠିର ଅପବ୍ୟବହାର ଅଭିଯୋଗ କରିଥିଲା। ଏସବିଆଇ ଅଭିଯୋଗ କ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ରିଲାଏନ୍ସ କମ୍ୟୁନିକେସନ୍ସ ଏବଂ ଅମ୍ବାନୀଙ୍କ ବାସଭବନ ସହିତ ଜଡିତ ପରିସରରେ ଯାଞ୍ଚ କରିଥିଲା।
Comments are closed.