Rebels MPs: ବଢିଲା ବିଦ୍ରୋହୀ ସାଂସଦଙ୍କ ଅଡୁଆ, ସୁପ୍ରିମକୋର୍ଟ ପରେ ଏବେ ବାଚସ୍ପତିଙ୍କ ନୋଟିସ୍, ୭ ଦିନ ମଧ୍ୟରେ ଜବାବ ତଲବ
ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (TMC)ର ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ବିରୋଧରେ ଅଯୋଗ୍ୟତା ଦାବି ମାମଲାରେ ବଡ଼ ମୋଡ଼ ଆସିଛି। TMC ସାଂସଦ ଅଭିଷେକ ବାନାର୍ଜୀଙ୍କ ଆବେଦନ ପରେ ଏବଂ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାର ଦିନକ ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୦ ଜଣ ସାଂସଦଙ୍କୁ ନୋଟିସ୍ ଜାରି କରିଛନ୍ତି। ନୋଟିସ୍ରେ ସମସ୍ତ ସାଂସଦଙ୍କୁ ୭ ଦିନ ମଧ୍ୟରେ ଅଭିଷେକ ବାନାର୍ଜୀଙ୍କ ଦ୍ୱାରା ଦାଖଲ ଅଯୋଗ୍ୟତା ଆବେଦନ ଉପରେ ନିଜ ମତାମତ ଓ ଜବାବ ଦେବାକୁ କୁହାଯାଇଛି।
ତେବେ ୨୫ ଅଗଷ୍ଟରେ ଲୋକସଭା ସଚିବାଳୟ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି । ଏଥିରେ ଅଭିଷେକ ବାନାର୍ଜୀ ଗତ ୧୮ ଜୁନରେ ଲୋକସଭାର ୨୦ ଜଣ ସାଂସଦଙ୍କ ବିରୋଧରେ ଦାଖଲ କରିଥିବା ଆବେଦନର ନକଲ୍ ସଂଲଗ୍ନ କରାଯାଇଛି। ୧୯୮୫ ମସିହାର ଲୋକସଭା ସଦସ୍ୟଙ୍କ ଦଳବଦଳ ଆଧାରିତ ଅଯୋଗ୍ୟତା ନିୟମର ନିୟମ ୬ ଅନୁଯାୟୀ ଏହି ଆବେଦନ ଦାଖଲ ହୋଇଥିଲା। ନୋଟିସ୍ ପାଇବାର ୭ ଦିନ ମଧ୍ୟରେ ସାଂସଦମାନେ ନିଜ ପକ୍ଷ ରଖିବାକୁ ପଡ଼ିବ।
ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ, ଅର୍ଥାତ୍ ୨୫ ଅଗଷ୍ଟରେ, ସୁପ୍ରିମକୋର୍ଟ ଅଭିଷେକ ବାନାର୍ଜୀଙ୍କ ଆବେଦନ ଉପରେ ୨୦ ଜଣ ସାଂସଦଙ୍କ ଜବାବ ତଲବ କରିଥିଲେ। TMC ପକ୍ଷରୁ ଦାଖଲ ଅଯୋଗ୍ୟତା ଆବେଦନ ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଥିବା ଦାବି କରି ବାନାର୍ଜୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।
ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦ ଜଣ ସାଂସଦଙ୍କୁ ନୋଟିସ୍ ଜାରି କରିବା ସହ ବାଚସ୍ପତିଙ୍କ ନିକଟରେ ପଡ଼ିରହିଥିବା ଅଯୋଗ୍ୟତା ଆବେଦନଗୁଡ଼ିକର ଶୀଘ୍ର ବିଚାର କରିବାକୁ କହିଥିଲେ।
ଲୋକସଭା ବାଚସ୍ପତି ଓ ସାଧାରଣ ସଚିବଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଥିଲେ ଯେ ୨୦ ଜଣ ସାଂସଦଙ୍କୁ ଆଗରୁ ହିଁ ନୋଟିସ୍ ଜାରି କରାଯାଇଛି। ଏହା ଉପରେ ବିଚାରପତି ଜୟମାଲ୍ୟ ବାଗଚୀ କହିଥିଲେ ଯେ କେବଳ ନୋଟିସ୍ ଜାରି କରିବା ପ୍ରଶ୍ନ ନୁହେଁ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମଗ୍ର ପ୍ରକ୍ରିୟା ଶେଷ କରିବା ହିଁ ମୁଖ୍ୟ ପ୍ରଶ୍ନ।
TMCର ଅଭିଯୋଗ ହେଉଛି, ଏହି ୨୦ ଜଣ ସାଂସଦ ଦଳ ଛାଡ଼ି ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (NCPI) ସହ ଯୋଗ ଦେଇଛନ୍ତି। ଏହା ଦଳବଦଳ ନିରୋଧୀ ଆଇନ ଅନୁଯାୟୀ ଅଯୋଗ୍ୟତାର ଆଧାର ବୋଲି TMC ଦାବି କରିଛି। ଅଭିଷେକ ବାନାର୍ଜୀଙ୍କ ଆବେଦନରେ ଲୋକସଭା ବାଚସ୍ପତି ଓ ଲୋକସଭାର ସାଧାରଣ ସଚିବଙ୍କୁ ପ୍ରମୁଖ ପକ୍ଷ କରାଯାଇଛି। ଅଯୋଗ୍ୟତା ଦାବି ହୋଇଥିବା ୨୦ ଜଣ ସାଂସଦଙ୍କୁ ମଧ୍ୟ ମାମଲାରେ ପକ୍ଷଭୁକ୍ତ କରାଯାଇଛି।
ଏହି ବିବାଦ TMCର ସଂସଦୀୟ ଦଳ ମଧ୍ୟରେ ଦେଖାଦେଇଥିବା ବିଦ୍ରୋହରୁ ଆରମ୍ଭ ହୋଇଥିଲା। ୨୦ ଜଣ ଲୋକସଭା ସାଂସଦ NCPIରେ ଯୋଗ ଦେଇଥିବା କିମ୍ବା ଦଳ ସହ ମିଶିଥିବା ଘୋଷଣା କରିଥିଲେ। ସେମାନେ ସଂସଦରେ ନିଜ ପାଇଁ ଅଲଗା ଗୋଷ୍ଠୀର ମାନ୍ୟତା ମଧ୍ୟ ଦାବି କରିଥିଲେ। ପରେ ବିଦ୍ରୋହୀ ସାଂସଦମାନଙ୍କୁ ଲୋକସଭାରେ NCPI ଗୋଷ୍ଠୀ ଭାବେ ମାନ୍ୟତା ମିଳିଥିବା ଏବଂ ସେମାନେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର କାର୍ଯ୍ୟକଳାପରେ ମଧ୍ୟ ଅଂଶ ନେଇଥିବା କୁହାଯାଇଛି। TMCର ଯୁକ୍ତି ହେଉଛି, ଏହି ସାଂସଦମାନେ ଦଳର ଚିହ୍ନରେ ନିର୍ବାଚିତ ହୋଇଥିଲେ। ତେଣୁ ଅନ୍ୟ ଏକ ରାଜନୈତିକ ଦଳ ସହ ଯୋଗଦାନ କରିବା ଅର୍ଥ ସେମାନେ ସ୍ୱଇଚ୍ଛାରେ TMCର ସଦସ୍ୟତା ଛାଡ଼ିଛନ୍ତି। ଏହା ଦଳବଦଳ ନିରୋଧୀ ଆଇନ ଅନୁଯାୟୀ ଅଯୋଗ୍ୟତାର କାରଣ ହୋଇପାରେ ବୋଲି TMC କହିଛି। ଅନ୍ୟପକ୍ଷରେ, ବିଦ୍ରୋହୀ ସାଂସଦମାନଙ୍କ ଯୁକ୍ତି ହେଉଛି ଯେ ସେମାନଙ୍କର ପଦକ୍ଷେପ ଏକ ବୈଧ ଦଳୀୟ ମିଶ୍ରଣ ଅଟେ। ତେଣୁ ଏହାକୁ ଦଳବଦଳ ଭାବେ ଦେଖାଯାଇପାରିବ ନାହିଁ ବୋଲି ସେମାନେ ଦାବି କରୁଛନ୍ତି।
ଅଭିଷେକ ବାନାର୍ଜୀଙ୍କ ଆବେଦନରେ ଥିବା ୨୦ ଜଣ ସାଂସଦ ହେଲେ, କାକୋଲି ଘୋଷ ଦସ୍ତିଦାର, ସୁଦୀପ ବନ୍ଦୋପାଧ୍ୟାୟ, ଶତାବ୍ଦୀ ରାୟ, ପ୍ରସୂନ ବାନାର୍ଜୀ, ରଚନା ବାନାର୍ଜୀ, ଜଗଦୀଶ ଚନ୍ଦ୍ର ବର୍ମା ବସୁନିଆ, ପାର୍ଥ ଭୌମିକ, ଅରୂପ ଚକ୍ରବର୍ତ୍ତୀ, ଅଧିକାରୀ ଦୀପକ ଦେବ, ସାୟନୀ ଘୋଷ, ବାପି ହାଲଦାର, ମହମ୍ମଦ ଅବୁ ତାହେର ଖାନ, କାଳୀପଦ ସରେନ ଖେରୱାଲ, ଅସିତ କୁମାର ମାଲ, ଜୁନ୍ ମାଲିଆ, ମିତାଲି ବାଗ, ଖଲିଲୁର ରହମାନ, ମାଳା ରାୟ, ଶର୍ମିଳା ସରକାର ଏବଂ ୟୁସୁଫ ପଠାନ।
ଏବେ ଲୋକସଭା ବାଚସ୍ପତିଙ୍କ ନୋଟିସ୍ ପରେ ଏହି ୨୦ ଜଣ ସାଂସଦଙ୍କୁ ନିଜ ପକ୍ଷ ରଖିବାକୁ ୭ ଦିନ ସମୟ ମିଳିଛି। ଏହା ପରେ ମାମଲାର ପରବର୍ତ୍ତୀ ପ୍ରକ୍ରିୟା କେଉଁ ଦିଗକୁ ଯିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

