Latest Odisha News

Kirana Hills: ପାକିସ୍ତାନର ପରମାଣୁ ଠିକଣାକୁ ଆକ୍ରମଣ କରିଥିଲା କି ଭାରତ? ଅପରେସନ ସିନ୍ଦୂରର ଗୁମର ଖୋଲିଲେ ପୂର୍ବତନ CDS

ନୂଆଦିଲ୍ଲୀ: ଗତବର୍ଷ ହୋଇଥିବା ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର କିରାନା ହିଲ୍ସ ଅଞ୍ଚଳରେ ଭାରତୀୟ ଏକ ଲୋଇଟରିଂ ମ୍ୟୁନିସନ୍ ଆଘାତ କରିଥିଲା। ତେବେ ଏହା କିରାନା ହିଲ୍ସକୁ ଲକ୍ଷ୍ୟ କରି କରାଯାଇଥିବା ଆକ୍ରମଣ ନଥିଲା, ବରଂ ଦୁର୍ଘଟଣାବଶତଃ ଏହା ସେଠାରେ ପଡ଼ିଥିଲା ବୋଲି ପୂର୍ବତନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଜେନେରାଲ ଅନିଲ ଚୌହାନ ସ୍ପଷ୍ଟ କରିଛନ୍ତି।

ନୂଆଦିଲ୍ଲୀର ବିବେକାନନ୍ଦ କେନ୍ଦ୍ରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜେନେରାଲ ଚୌହାନ ଅପରେସନ ସିନ୍ଦୂର ସମୟର ଘଟଣା ସମ୍ପର୍କରେ ଏହି ସୂଚନା ଦେଇଛନ୍ତି। ଜେନେରାଲ ଅନିଲ ଚୌହାନଙ୍କ କହିବା ଅନୁସାରେ, ଭାରତୀୟ ସେନା ସରଗୋଧା ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ରାଡାରଗୁଡ଼ିକୁ ଖୋଜିବା ପାଇଁ ଲୋଇଟରିଂ ମ୍ୟୁନିସନ୍ ବ୍ୟବହାର କରିଥିଲା। ପାକିସ୍ତାନର ସରଗୋଧାର ପ୍ରାୟ ୧୦ କିଲୋମିଟର ଉତ୍ତରରେ କିରାନା ହିଲ୍ସ ଅବସ୍ଥିତ।

ଏହି ଅଞ୍ଚଳକୁ ପାକିସ୍ତାନର ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଅଞ୍ଚଳ ଭାବେ ବିବେଚନା କରାଯାଏ ଏବଂ ଏହାର ପରମାଣୁ ସମ୍ପର୍କିତ ସାମରିକ ଭିତ୍ତିଭୂମିକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ରହିଛି। ଚୌହାନ କହିଛନ୍ତି ଯେ, ଲୋଇଟରିଂ ମ୍ୟୁନିସନ୍‌ର ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଉଡ଼ିବା ଓ ଲକ୍ଷ୍ୟ ଖୋଜିବାର କ୍ଷମତା ରହିଥାଏ। ରାଡାର ଭଳି ଲକ୍ଷ୍ୟ ନମିଳିଲେ ଏହା ନିଜର ଉଡ଼ାଣ ସମୟ ଶେଷ ହେବା ପରେ କୌଣସି ସ୍ଥାନରେ ଆଘାତ କରିପାରେ। ଏହି କାରଣରୁ ଏହା କିରାନା ହିଲ୍ସର ଗୋଟିଏ ପାହାଡ଼ରେ ପଡ଼ିଥିବା ସମ୍ଭାବନା ରହିଛି।

ଜେନେରାଲ ଚୌହାନଙ୍କ କଥା ଅନୁସାରେ, ଏହି ଲୋଇଟରିଂ ମ୍ୟୁନିସନ୍ ସମ୍ଭବତଃ ଇସ୍ରାଏଲୀ ଡିଜାଇନ୍‌ର ହାରୋପ୍ ଡ୍ରୋନ୍ ହୋଇଥାଇପାରେ। ଏହାର ଉଡ଼ାଣ ସମୟ ସୀମିତ ଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ଲକ୍ଷ୍ୟ ଖୋଜିବା ପରେ ମଧ୍ୟ ଯଦି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ମିଳିନଥାଏ, ତେବେ ଏହା ଅନ୍ୟ କୌଣସି ସ୍ଥାନରେ ଆଘାତ କରିପାରେ। ଏହି କାରଣରୁ ପାକିସ୍ତାନୀ ଗଣମାଧ୍ୟମରେ କିରାନା ହିଲ୍ସରୁ ଧୂଆଁ ବାହାରୁଥିବା କିଛି ଛବି ପ୍ରକାଶ ପାଇବା ପରେ ଭାରତ କିରାଣା ହିଲ୍ସକୁ ଆକ୍ରମଣ କରିଥିବା ନେଇ ପ୍ରଶ୍ନ ଉଠିଥିଲା। ତେବେ ଏହା ଜାଣିଶୁଣି କରାଯାଇଥିବା ଆକ୍ରମଣ ନଥିଲା ବୋଲି ଚୌହାନ ସ୍ପଷ୍ଟ କରିଛନ୍ତି।

ଅପରେସନ ସିନ୍ଦୂର ସମ୍ପର୍କରେ ଆଉ ଏକ ବଡ଼ ଖୁଲାସା କରିଛନ୍ତି ଜେନେରାଲ ଚୌହାନ। ତାଙ୍କ କହିବା ଅନୁସାରେ, ପାକିସ୍ତାନ ଅଧିକୃତ କାଶ୍ମୀରର ସ୍କାର୍ଦୁ ଅଞ୍ଚଳରେ ଆକ୍ରମଣ ପାଇଁ ଭାରତୀୟ ବାୟୁସେନାକୁ ଅନୁମତି ମିଳିଥିଲା। କିନ୍ତୁ ପ୍ରତିକୂଳ ପାଣିପାଗ କାରଣରୁ ଏହି ଅଭିଯାନକୁ ଶେଷରେ ବାତିଲ କରିବାକୁ ପଡ଼ିଥିଲା। ଅପରେସନ ସିନ୍ଦୂର ସମୟରେ ଭାରତୀୟ ଆକ୍ରମଣରେ କେଉଁ ଲକ୍ଷ୍ୟ ଧ୍ୱଂସ ହୋଇଥିଲା, ତାହାର ପ୍ରମାଣ ଖୋଜିବା ପାଇଁ ପାକିସ୍ତାନ ଚେଷ୍ଟା କରିଥିବା ମଧ୍ୟ ଜେନେରାଲ ଚୌହାନ କହିଛନ୍ତି।

ସେ କହିଛନ୍ତି ଯେ, ଏଥିପାଇଁ ପାକିସ୍ତାନ ଚୀନ୍ ସମେତ ବିଭିନ୍ନ ଦେଶର ବାଣିଜ୍ୟିକ ଉପଗ୍ରହ ଛବି ହାସଲ କରିବାକୁ ଚେଷ୍ଟା କରିଥିଲା। ବାଣିଜ୍ୟିକ ଉପଗ୍ରହ ଛବି କୌଣସି ଗୋଟିଏ ଦେଶ ପାଇଁ ସୀମିତ ନୁହେଁ। ଆବଶ୍ୟକ ଅର୍ଥ ପ୍ରଦାନ ଓ ଚୁକ୍ତି ପ୍ରକ୍ରିୟା ପରେ ଏଭଳି ଛବି ଯେକୌଣସି ପକ୍ଷ ହାସଲ କରିପାରିବ। ତେବେ ଭାରତୀୟ ଆକ୍ରମଣରେ ଲକ୍ଷ୍ୟଗୁଡ଼ିକ ଧ୍ୱଂସ ହୋଇଥିବାର ପ୍ରମାଣ ପାଇବାରେ ପାକିସ୍ତାନ ସଫଳ ହୋଇନଥିବା ଜେନେରାଲ ଚୌହାନ ଦାବି କରିଛନ୍ତି।

ଅପରେସନ ସିନ୍ଦୂର ସମ୍ପର୍କରେ ପୂର୍ବତନ CDSଙ୍କ ଏହି ମନ୍ତବ୍ୟ ପରେ କିରାନା ହିଲ୍ସ ଘଟଣାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ନୂଆ ଦିଗ ମିଳିଛି।

Leave A Reply

Your email address will not be published.