Latest Odisha News

ସିଏମଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ଅଲୁ, କହିଲେ ‘ମୋ ଚରିତ୍ରକୁ ହତ୍ୟା କରାଯାଉଛି’

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା ୨’ର ସଫଳତା ପାଇଁ ଉତ୍ସବ ପାଳନ କରିବା ପୂର୍ବରୁ ଏକ ଗୁରୁତର ମାମଲାରେ ଛନ୍ଦି ହୋଇଯାଇଛନ୍ତି । ଗତ ଡିସେମ୍ବର ୪ ତଥା ଫିଲ୍ମର ପ୍ରିମିୟର୍ ସମୟରେ ସଂନ୍ଧ୍ୟା ଥିଏଟରରେ ଘଟିଥିବା ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲେ । ଯେଉଁଥିପାଇଁ ପୋଲିସ ଅଭିନେତା ଅଲୁ ଅର୍ଜୁନଙ୍କୁ ଗିରଫ କରିଥିଲା । ଗିରଫ କରିବାର କିଛି ଘଣ୍ଟା ପରେ ତାଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ସତ୍ତ୍ଵେ ମଧ୍ୟ ତାଙ୍କୁ ଗୋଟେ ରାତି ଜେଲରେ ବିତାଇବାକୁ ପଡିଥିଲା । ଜେଲ ଯିବା ପୂର୍ବରୁ ଏବଂ ଜେଲରୁ ବାହାରିବା ପରେ ମଧ୍ୟ ସେ ଗଣମାଧ୍ୟମକୁ ସୂଚନା ଦେଇ ପୀଡିତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ତଥାପି ତାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ଏବେ ଗଣମାଧ୍ୟମକୁ ସିଧାସଳଖ ଜବାବ ଦେଇ ତାଙ୍କ ଚରିତ୍ରକୁ ହତ୍ୟା କରାଯାଉଛି ବୋଲି କହିଛନ୍ତି ଅଲୁ ।

ତେବେ କହିରଖୁଛୁ ଯେ, ଏହି ଦଳାଚକଟା ପ୍ରସଙ୍ଗ ତେଲେଙ୍ଗାନା ବିଧାନସଭାରେ ମଧ୍ୟ ଉଠିଥିଲା । ଏଆଇଏମଆଇଏମ ବିଧାୟକ ଅକବଋଦ୍ଧିନ ଓବୈସୀ ବିଧାନସଭାରେ ଅଲୁଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ ମଧ୍ୟ ଅଭିନେତାଙ୍କୁ ଟାର୍ଗେଟ କରି କହିଥିଲେ ଅଲୁଙ୍କ ଅସାବଧାନତା ହେତୁ ଏପରି ଘଟିଛି । ମୃତ୍ୟୁ ଖବର ଜାଣି ମଧ୍ୟ ସେ ଥିଏଟର ବାହାରକୁ ଆସିଲେନି । ଏହାର ଉତ୍ତରରେ ଅଭିନେତା ଅଲୁ ଅର୍ଜୁନ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି,’ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଏହା ସଂପୂର୍ଣ୍ଣ ରୁପେ ଏକ ଦୁର୍ଘଟଣା ଅଟେ । ପୀଡିତାଙ୍କ ପରିବାର ପ୍ରତି ମୋର ସମବେଦନା ଅଛି । ମୁଁ ପ୍ରତି ଘଣ୍ଟାରେ ହସ୍ପିଟାଲରେ ଥିବା ଶିଶୁର ଅବସ୍ଥା ବିଷୟରେ ପଚାରି ବିଝୁଛି । ତାଙ୍କ ଅବସ୍ଥା ଏବେ ସୁଧୁରୁଛି, ପୂର୍ବ ଅପେକ୍ଷା ସେ ଏବେ ଭଲ ଅଛନ୍ତି । ତଥାପି ମୋ ବିଷୟରେ ବହୁତ ଭୁଲ ତଥ୍ୟ ଦିଆଯାଉଛି, ମିଥ୍ୟା ଅଭିଯୋଗ ମଧ୍ୟ କରାଯାଉଛି । ମୁଁ କୌଣସି ବିଭାଗ କିମ୍ବା ରାଜନେତାଙ୍କୁ ଦୋଷ ଦେବାକୁ ଚାହେଁ ନାହିଁ । କିନ୍ତୁ ମୋର ଚରିତ୍ରକୁ ହତ୍ୟା କରାଯାଉଛି । ଦୟାକରି ମୋତେ ଜଜ୍ କରନ୍ତୁ ନାହିଁ। ମୁଁ ସେପରି ବ୍ୟକ୍ତି ନୁହେଁ । ମୁଁ ନିଜ ପରିଶ୍ରମରେ ସମ୍ମାନ ଅର୍ଜନ କରିଛି । କିନ୍ତୁ ରାତାରାତି ଏହା ଉପରେ ପ୍ରଶ୍ନ ଉଠାଯାଉଛି ଯାହାକି ମୋ ଉପରେ ଗଭୀର ପ୍ରଭାବ ପକାଉଛି । ଏହା କାହା ପାଇଁ ବ୍ୟକ୍ତିଗତ ନୁହେଁ । ମୁଁ ଅମାନୁଷିକ ମଧ୍ୟ ନୁହେଁ। ସମଗ୍ର ଦେଶ ଏବେ ଉତ୍ସବ ପାଳନ କରୁଥିବାବେଳେ ମୁଁ ମୋ ଜୀବନର ସବୁଠାରୁ ତଳ ସ୍ଥାନରେ ଅଛି ।

ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ କାହାକୁ ଦାୟୀ କରୁନାହିଁ। ଅନେକ ଭୁଲ ଜିନିଷ ଚର୍ଚ୍ଚା କରାଯାଉଛି । ଯେଉଁଥିପାଇଁ ମୁଁ ଅତ୍ୟଧିକ ଅପମାନିତ ଅନୁଭବ କରୁଛି । ମୋ ଚଳଚ୍ଚିତ୍ରର ସଫଳତାକୁ ଗୋଟେ ପଟେ ଛାଡିଦେଲେ, ମୁଁ ଏପର୍ଯ୍ୟନ୍ତ ବାହାରକୁ ଯାଇ ନାହିଁ କିମ୍ବା ଥିଏଟରରେ ଫିଲ୍ମ ଦେଖି ନାହିଁ । ଏହାପୂର୍ବରୁ ମଧ୍ୟ ମୁଁ ଏହି ଥିଏଟର ବହୁତ ଥର ଯାଇଛି । କିନ୍ତୁ ଏପରି ଘଟଣା କେବେ ଘଟିନଥିଲା । ସେଦିନ କିନ୍ତୁ ଭୀଷଣ ଗହଳି ଥିଲା । ଘଟଣାର ପରଦିନ ମୋତେ ଜଣାପଡିଲା କି ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ମୁଁ ଟିମ୍ ର ସମସ୍ତଙ୍କୁ ପୀଡିତାଙ୍କ ପରିବାର ସହ ଭେଟିବାକୁ କହିଥିଲି । ମୁଁ ନିଜେ ମଧ୍ୟ ତାଙ୍କୁ ଭେଟିବାକୁ ଯାଇଥାନ୍ତି କିନ୍ତୁ ସେଦିନ ମୋତେ ଗିରଫ କରିଦିଆଗଲା । ମୁଁ ମୋ ପ୍ରଶଂସକ ମାନଙ୍କୁ ବହୁତ ଭଲ ପାଏ । ସେ ପରିବାର ଏବେ ମୋ ଦାୟିତ୍ଵ । ମୋ ଦ୍ଵାରା ଯାହା ହେଇ ପାରିବ ମୁଁ ତାହା କରିବି । କିନ୍ତୁ ମୋ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ମିଛ ବୋଲି କହିଛନ୍ତି ଅଭିନେତା ଅଲୁ ଅର୍ଜୁନ ।

Leave A Reply

Your email address will not be published.