Latest Odisha News

ଶୁଣ ସରକାର…ହାଣ୍ଡିଶାଳରେ ହାହାକାର

ଭୁବନେଶ୍ବର: ଆଳୁ ପରେ ପିଆଜ ଦର ଆକାଶଛୁଆଁ। ପରିବା ବଜାରରେ ବି ନିଆଁ। ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ମଧ୍ୟବିତ୍ତ । ବିଗିଡିଲାଣି ବଜେଟ୍, କେମିତି ଚାଲିବ ପରିବାର? ଗତ ମାସେ ହେଲା ଆଳୁକୁ ନେଇ ଚିନ୍ତାରେ ଥିବା ଖାଉଟିଙ୍କ ଉପରେ ଏବେ ପଡିଛି ପିଆଜ ଚଡ଼କ । ପରିବା ଦର ବି ଯାହାକୁ ଯେତେ । ଆଳୁ ଦର ୪୦ଟଙ୍କା ତଳକୁ ଖସି ନଥିବା ବେଳେ ପିଆଜ କିଲୋ ପିଛା ୫୦ଟଙ୍କା ହେଲାଣି । ବିଶେଷ କରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ଅଚାନକ ଦରବୃଦ୍ଧିକୁ ନେଇ ଚିନ୍ତାରେ । ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।

ପିଆଜ ମାରିଲା ହାଫ୍ ସେଞ୍ଚୁରୀ

ଗତମାସରେ ପିଆଜ କିଲୋ ୨୦ରୁ ୩୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଗତ ୧୫ଦିନ ମଧ୍ୟରେ ଦର ୫୦ଟଙ୍କା ଟପିଛି । ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ପିଆଜ ଫସଲ ନଷ୍ଟ ହୋଇଛି । ତେଣୁ ଆଗକୁ ବି ପିଆଜ ଦର ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ସେହିପରି ଆନ୍ଧ୍ରପ୍ରଦେଶ କର୍ଣ୍ଣୁଲରୁ ନୂଆ ଫସଲ ଆସିବା ବିଳମ୍ବ ହେଉଛି । ତେଣୁ ପିଆଜ ଦର ଓଡିଶା ବଜାରରେ ବଢି ବଢି ଚାଲିଛି। ଏଭଳି ଧାରା ଚାଲୁ ରହିଲେ ଦୁର୍ଗାପୂଜା ସମୟ ବେଳକୁ ପିଆଜ ସେଞ୍ଚୁରୀ ମାରିପାରେ ବୋଲି ଆକଳନ  କରାଯାଉଛି ।

ପରିବା ଦର ବି ଆକାଶଛୁଆଁ

କେବଳ ଆଳୁ କି ପିଆଜ ନୁହେଁ ପରିବା ଦର ବି ଆକାଶଛୁଆଁ ହେଲାଣି । ପରିବା ଦର ଏତେ ଯେ, ୫ଶହ ଟଙ୍କାର ପରିବା ଆଣିଲେ ବି ବ୍ୟାଗ ଫୁଲ୍ ହେଉନି । ବାଇଗଣ କିଲୋ ୮୦ଟଙ୍କା ହେଲାଣି ତ କଲରା, ଭେଣ୍ଡି, ଜହ୍ନି, କାକୁଡି କିଲୋ ୬୦ରୁ ୭୦ଟଙ୍କା। ବିନ୍ସ ଶହେ ଟଙ୍କା ତ ସଜନାଛୁଇଁ କିଲୋ ହେଲାଣି ଦେଢ ଶହ । ଟମାଟୋ ଦର ବି ହେଲାଣି ଲାଲ୍ । ହାଟ କି ମାର୍କେଟ୍ ଗଲେ କେଉଁ ପରିବା କିଣିବେ, ସେନେଇ ଚିନ୍ତା କରିପାରୁନାହାନ୍ତି ଖାଉଟି । କିଲେ ଜାଗାରେ ଅଢେଇଶହ କିଣି ଘରକୁ ଫେରୁଛନ୍ତି । ବର୍ଷା ପାଇଁ ଲୋକାଲ୍ ପରିବା ବି ପଚି ଷଢି ନଷ୍ଟ ହେଉଛି । ତେଣୁ କେତେଦିନ ଏମିତି ଚଢା ଦର ରହିବ, କେବେ ଦରଦାମ୍ କମିବ, ସେନେଇ ବି କିଛି ଜଣାପଡୁନି ।

ସରକାର ଆସୁ ଆସୁ ଆଳୁ ଚଡ଼କ

ରାଜ୍ୟରେ ବିଜେପି ସରକାର ଆସୁ ଆସୁ ଆଳୁ ସଂକଟ ଦେଖାଦେଇଥିଲା । ଗତ ମାସେ ହେଲା ନିୟନ୍ତ୍ରଣକୁ ଆସିପାରୁନି ଆଳୁ ଦର। ପଶ୍ଚିମବଙ୍ଗ ସରକାର ଆଗ ଆଳୁ ଦେବାକୁ ମନା କରିବା ପରେ ଉତ୍ତରପ୍ରଦେଶରୁ ଆଳୁ ମଗାଇଥିଲେ ରାଜ୍ୟ ସରକାର । ହେଲେ ଏତେ ଦୂରରୁ ଆଳୁ ଆସିବା ଯୋଗୁଁ ଆଳୁ ନଷ୍ଟ ହେଲା। ତେଣୁ ୟୁପି ଆଳୁର ଗ୍ରହଣୀୟତା ରହିଲାନି। ଯେତିକି ଆଳୁ ଆସିଲା ତାହା ନିଅଣ୍ଟ ହେଲା । ଫଳରେ ଆଳୁ ଦର ୫୦ଟଙ୍କା ଉପରକୁ ଗଲା । ଏବେ ପଶ୍ଚିମବଙ୍ଗରୁ ଆଳୁ ଆସିବା ପରେ ରେଟ୍ ଅଳ୍ପ କମିଛି । ହେଲେ ବି କିଲୋ ପିଛା ୪୦ଟଙ୍କା ଉପରେ ରହିଛି ।

ଦରଦାମ୍ ବୃଦ୍ଧି ସିଧାସଳଖ ସାଧାରଣ ଜନତାଙ୍କୁ ପ୍ରଭାବିତ କରେ । ମଧ୍ୟବିତ୍ତ ହୁଅନ୍ତୁ କି ଗରିବ, ଆଳୁ, ପିଆଜ, ପରିବା ଦରବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ଗତ ମାସେ ହେଲା ଆଳୁ ସଂକଟ ଲାଗି ରହିଥିଲା ତ ଏବେ ପିଆଜ ପରିବା କନ୍ଦାଇଲାଣି । ତେଣୁ କଳାବଜାରୀ ରୋକିବା ସହ ଧାର୍ଯ୍ୟ ମୂଲ୍ୟରୁ ଅଧିକ ରେଟରେ ବିକ୍ରି ନକରିବାକୁ ଘନଘନ ରେଡ୍ ହେବା ଜରୁରୀ । ଦରଦାମକୁ ନେଇ ପୂର୍ବରୁ ବି ଅନେକ ସରକାର ଖସିବାର ନଜିର ରହିଛି । ତେଣୁ ମୋହନ ସରକାର ଏହାକୁ ନେଇ ସମ୍ବେଦନଶୀଳ ନହେଲେ ବିଜେପି ପ୍ରତି ଜନଆକ୍ରୋଶ ବଢିପାରେ ।

Comments are closed.