ବଲାଙ୍ଗୀର: ପୁଣି ଘାରିଲାଣି ଗନ୍ଧମାର୍ଦ୍ଦନ ଖଣି ଖନନ ଚିନ୍ତା । ଏକଜୁଟ ହେଲେଣି ଗାଁ ଲୋକେ । ଘନ ଘନ ବୈଠକ କରିବା ସହିତ ଗନ୍ଧମାର୍ଦ୍ଦନକୁ ସୁରକ୍ଷା ଦେବାକୁ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଲାଣି । ତେବେ କାହିଁକି ପୁଣି ଏବେ ଗନ୍ଧମାର୍ଦ୍ଦନକୁ ନେଇ ତେଜିଛନ୍ତି ସ୍ଥାନୀୟ ଲୋକେ ?
ତେବେ ବଲାଙ୍ଗୀର ଏବଂ ବରଗଡ ଜିଲ୍ଲା ସୀମାରେ ରହିଥିବା ଏହି ଐତିହାସିକ ଗନ୍ଧମାର୍ଦ୍ଦନ ପର୍ବତ କାହିଁ କେତେ କାଳରୁ ଏମିତି ଛିଡା ହୋଇଆସିଛି । ଏହା ମଧ୍ୟରୁ ମିଳୁଥିବା ବିଭିନ୍ନ ମୂଲ୍ୟବାନ ଔଷଧୀୟ ବୃକ୍ଷ, ଆୟୁର୍ବେଦିକ ଜଡିବୁଡି ବିଭିନ୍ନ ମୃତ୍ୟୁମୁଖୀ ରୋଗକୁ ମଧ୍ୟ ଭଲ କରିବାରେ ସଫଳ ହୋଇଛି । ଏହି ନିକଟ ଅତୀତରେ ଏହା କ୍ୟାନସର ଭଳି ରୋଗର ଉପଶମ ମଧ୍ୟ ନିଜ ଭିତରେ ରଖିଛି ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ଏଥିସହିତ ପୌରାଣିକ କଥା ବସ୍ତୁରେ ମଧ୍ୟ ଗନ୍ଧମାର୍ଦ୍ଦନର ଚିରାଚରିତ କାହାଣୀ ରହିଛି । ରାମାୟଣରେ କିପରି ଏହି ପର୍ବତର ସଂଜୀବନୀ ଜଡିବୁଟି, ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇଥିଲା ତାହା ଆମେ ସମସ୍ତେ ଜାଣିଛେ । କିନ୍ତୁ ଏହା ବ୍ୟତୀତ ଏଠିକାର ଅନ୍ୟ ଏକ ବିଶେଷତ୍ବ ହେଉଛି, ଏହି ପର୍ବତରେ ପ୍ରଚୁର ପରିମାଣର ବକ୍ସାଇଟ ରହିଛି । ଯାହା ଉପରେ ବିଭିନ୍ନ ଖଣି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ରହିଛି ।
ପୂର୍ବରୁ ମଧ୍ୟ ବାଲକୋ କମ୍ପାନୀ ୧୯୮୦ ମସିହାରେ ଏଠାରୁ ବକ୍ସାଇଟ ଉଠାଇବା ପାଇଁ ଅନୁମତି ପାଇଥିଲା । ହେଲେ ଉକ୍ତି କମ୍ପାନୀ କାର୍ଯ୍ୟ ଆରମ୍ଭ କରିବା କ୍ଷଣି ହିଁ ସେତେବେଳେ ଏହାକୁ ଜୋରସୋର ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ଖଣି ଖନନ ଦ୍ବାରା ଗନ୍ଧମାର୍ଦ୍ଦନ, ଜୈବ ବିବିଧତା ଐତିହ୍ୟ ଧ୍ବଂସ ହେବା ଦାବି କରି କମ୍ପାନୀକୁ ଖୁବ୍ ବିରୋଧ କରିଥିଲେ । ଏମିତିକି ୧୯୮୩ ମସିହାରେ ଆନ୍ଦୋଳନକାରୀମାନେ ବିପୁଳ ସଂଖ୍ୟାରେ ଗାଡି ପୋଡିଦେଇଥିଲେ । ପରେ ଜନତା ଦଳ ସରକାର ଆସିବା ପରେ ବାଲକୋ କମ୍ପାନୀ ଗନ୍ଧମାର୍ଦ୍ଦନ ଛାଡି ଯିବାକୁ ବାଧ୍ୟ ହୋଇଥିଲା । ଫଳରେ ଏବେବି ସେହି ପ୍ରାକୃତିକ ସୌନ୍ଦର୍ଯ୍ୟ ବଞ୍ଚି ରହିଛି ।
କିନ୍ତୁ ଏବେ ପୁଣି ଥରେ ଗନ୍ଧମାର୍ଦ୍ଦନ ଚିନ୍ତା ସ୍ଥାନୀୟ ଲୋକଙ୍କୁ ଘାରିଛି । କାରଣ ପାଟଣାଗଡରେ ଏୟାରଷ୍ଟ୍ରିପ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବା ନେଇ ଆଲୋଚନା ହେଉଥିବା ବେଳେ ନିର୍ଦ୍ଦିଷ୍ଟ ଏକ କମ୍ପାନୀର କିଛି ଅଧିକାରୀ ହରିଶଙ୍କର ଅଞ୍ଚଳରେ ବୁଲି ଦେଖିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆହୁରି ମଧ୍ୟ ପୁଣି ଥରେ ଏବେ ଏହି ପ୍ରାକୃତିକ ସଂପଦକୁ ବ୍ୟବସାୟୀଙ୍କ ହାତକୁ ଟେକି ଦେବାକୁ ଷଡଯନ୍ତ୍ର କରାଯାଉଥିବା କିଛି ଦିନ ପୂର୍ବରୁ କୋଶଳ ରାଜ୍ୟ ସଂଘର୍ଷ ସମିତି ଅଭିଯୋଗ କରିଛି । ଯାହାକୁ ନେଇ ଏବେ ପୁଣି ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ନେଇ ତାତିଛନ୍ତି ସ୍ଥାନୀୟ ଲୋକେ ।
ଅନ୍ୟପକ୍ଷରେ ଏନେଇ ସରକାରଙ୍କ ତରଫରୁ କୌଣସି ସ୍ପଷ୍ଟତା ମିଳିନଥିବା ବେଳେ ଗାଁ ଲୋକେ ମାନେ ଗନ୍ଧମାର୍ଦ୍ଦନକୁ ବଞ୍ଚାଇବାକୁ ପୂର୍ବ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି ।
Comments are closed.