Latest Odisha News

BREAKING NEWS

ବୟସ ହାର ମାନିଛି ବିଗ୍ ବିଙ୍କ ପାଖରେ

ଭୁବନେଶ୍ୱର: ଆଜି ୭୮ ବର୍ଷରେ ପାଜ ଦେଲେ ମହାନାୟକ ଅମିତାଭ ବଚ୍ଚନ । କିନ୍ତୁ ବୟସ ତାଙ୍କ ପାଇଁ ଯେମିତି ଖାଲି ଗୋଟିଏ ନମ୍ବର । ଆଜି ବି ସେ ଆକ୍ଟିଭ୍ ଆଉ ୟଙ୍ଗ ।

ସାଧାରଣତଃ ଦେଖାଯାଏ ବୟସ ବଢିଲେ ଲୋକେ ଟିକେ ମାନ୍ଦା ହୋଇଯାଆନ୍ତି । କାମରୁ ବିରତି ବି ନିଅନ୍ତି । କିନ୍ତୁ ଏସବୁର ବ୍ୟତିକ୍ରମ ଦେଖାଯାଏ ବିଗ୍ ବିଙ୍କ ପାଖରେ । ଏବେ ବି ବହୁ ବଡ ବଡ ବଜେଟର ଫିଲ୍ମ ତାଙ୍କ ହାତରେ ।

ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ବଲିଉଡରେ ରାଜ କରୁଥିବା ଅମିତାଭ ବିଭିନ୍ନ ଭୂମିକାରେ ଅଭିନୟ କରିଆସିଛନ୍ତି । ଯାହାକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି । ତେବେ କେବଳ ବଲିଉଡ ପରଦାରେ ନୁହେଁ ଏବେ ସେ ଓଟିଟି ପ୍ଲାଟଫର୍ମରେ ବି ସେ ଯାଦୁ ଦେଖାଇଛନ୍ତି । ସମୟ ସହ ପାଦ ଦେଇ ସେ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଚଳଚଞ୍ଚଳ ।

ଯୁବାବସ୍ଥାରେ ଅମିତାଭ ‘ଆନନ୍ଦ’, ‘ପ୍ୟାର କି କାହାନୀ’, ‘ଗୁଡ୍ଡି’, ‘ବମ୍ବେ ଟୁ ଗୋଆ’, ‘ଜଞ୍ଚିର’, ‘ଅଭିମାନ’, ‘ଦିୱାର୍‌’, ‘ଜମିର୍ ସୋଲେ’, ‘ଅମର ଆକବର ଆନ୍ଥୋନୀ’, ‘ଡନ’ ଭଳି ଅନେକି ଫିଲ୍ମରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ।

ତେବେ ତାଙ୍କୁ ୬୦ ବର୍ଷ ହେବା ପରେ ସେ ଅଭିନୟ କରିଥିବା ଚଳଚ୍ଚିତ୍ର ବି ବକ୍ସ ଅଫିସରେ ହିଟ୍ ହୋଇଛି । ଏବେ ନଜର ପକାଇବା ଏପରି କିଛି ଚଳଚ୍ଚିତ୍ର ଉପରେ ।

ଅନେକ ୨୦୦୩ରେ ମୁକ୍ତିଲାଭ କରିଥିଲା ଫିଲ୍ମ ‘ଭାଗବାନ’ । ହେମାମାଳିନୀଙ୍କ ତାଙ୍କ ରୋମାନ୍ସ ବେଶ୍ ହୃଦୟ ସ୍ପର୍ଶୀ ହୋଇଥିଲା । ଏହା ପରେ ୨୦୦୫ରେ ସଂଜୟ ଲୀଳା ବନସାଲୀଙ୍କ ‘ବ୍ଲାକ୍‌’ ବି ବେଶ୍ ଲୋକପ୍ରିୟ ହୋଇଥିଲା । ବ୍ଲାକରେ ତାଙ୍କ ଅଭିନୟ ପାଇଁ ସେ ଜାତୀୟ ପୁରସ୍କାର ଓ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ୨୦୦୮ରେ ଭୂତନାଥରେ ବି ସେ ଭୂତ ଚରିତ୍ରରେ ଅଭିନୟ କରିଥିଲେ । ଜଣେ ଛୋଟ ପିଲା ସାଙ୍ଗେ ତାଙ୍କ ବନ୍ଧୁତ୍ୱ ପିଲାମାନଙ୍କୁ ବେଶ୍ ପସନ୍ଦ ଆସିଥିଲା ।

୨୦୦୯ରେ ତାଙ୍କ ଅଭିନୀତ ‘ପା’ ପାଇଁ ସେ ପାଇଥିଲେ ଜାତୀୟ ପୁରସ୍କାର । ୨୦୧୪ରେ ‘ଭୂତନାଥ ରିଟର୍ଣ୍ଣସ୍‌’ ଓ ୨୦୧୫ରେ ଆସିଥିବା କମେଡି ଓ ଡ୍ରାମା ଫିଲ୍ମ ‘ପିକୁ’, ୨୦୧୬ରେ ‘ପିଙ୍କ୍‌’, ୨୦୧୭ରେ ‘ସରକାର ଥ୍ରୀ’ରେ ଅମିତାଭଙ୍କ ଭୂମିକା ବେଶ୍ ହୃଦୟସ୍ପଶୀ ଥିଲା । କରୋନା ଭିତରେ ଅମିତାଭଙ୍କ ‘ଗୁଲାବୋ ସିତାବୋ’ ରିଲିଜ ହୋଇଛି, ଯାହାକୁ ଫ୍ୟାନମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି ।

ଏସବୁ ଚଳଚ୍ଚିତ୍ର ଉପରେ ନଜର ପକେଇଲେ ଜଣାପଡୁଛି ବୟସ ଯେତେ ବଢିଛି ଅମିତାଭ ସେତେ ଚମକିଛନ୍ତି । ଫିଲ୍ମ ‘କୁଲି’ ସୁଟିଂ ବେଳେ ସେ ଏକ ବଡ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସୁଦ୍ଧା ନିଜ ସମୟାନୁବର୍ତ୍ତିତା ପାଇଁ ବାର୍ଦ୍ଧକ୍ୟ ଯେପରି ତାଙ୍କୁ ଛୁଇଁ ପାରିନାହିଁ ।

Leave A Reply

Your email address will not be published.