Latest Odisha News

BREAKING NEWS

Cyclone montha: ଆସୁଛି “ମୋନ୍ଥା; ଅମଳ ହୋଇସାରିଥିବା ଫସଲକୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ପରାମର୍ଶ

ଭୁବନେଶ୍ୱର:ସମ୍ଭାବ୍ୟ ବାତ୍ୟା “ମୋନ୍ଥା”କୁ ଦୃଷ୍ଟିରେ ରଖି କୃଷି ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଅକ୍ଟୋବର ୩୧ ତାରିଖ ଯାଏଁ କୌଣସି କୃଷି ଅଧିକାରୀ ଛୁଟି ନେଇପାରିବେ ନାହିଁ ବୋଲି ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅବମାନନା କ୍ଷେତ୍ରରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । ଏହାବ୍ୟତୀତ, କୃଷି ବିଭାଗ ଦ୍ଵାରା ଜାରୀ ହୋଇଥିବା ପରାମର୍ଶକୁ ଚାଷୀଙ୍କ ନିକଟକୁ ସମସ୍ତ ପ୍ରକାର ମାଧ୍ୟମରେ ପହଞ୍ଚାଇବା ଜରୁରୀ । ଯଥା ଅମଳ ସରିଥିବା ଫସଲକୁ ଉଚ୍ଚ ତଥା ସୁରକ୍ଷିତ ସ୍ଥାନରେ ଘୋଡ଼ାଇ ରଖିବା, ଜମିରୁ ଜଳ ନିଷ୍କାସନ ଇତ୍ୟାଦି । ବାତ୍ୟା ପରବର୍ତ୍ତୀ ପଦକ୍ଷେପ ଅନୁଯାୟୀ, ଜମିରୁ ପାଣି ଛାଡ଼ିଗଲା ମାତ୍ରେ, କୃଷି ଅଧିକାରୀମାନେ ତୁରନ୍ତ ବିଲକୁ ଯାଇ ଫସଲ କ୍ଷୟକ୍ଷତିର ଆକଳନ କରିବେ।

ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କ ନିର୍ଦ୍ଦେଶ ଅନୁଯାୟୀ, ଫସଲ କ୍ଷୟକ୍ଷତି ଆକଳନରେ କୌଣସି ବି କ୍ଷତିଗ୍ରସ୍ତଚାଷୀ ବାଦ ନ ପଡ଼ିବା ଆବଶ୍ୟକ । ତଥ୍ୟ ଅନୁଯାୟୀ, ରାଜ୍ୟରେ ୧୪.୧୭ ଲକ୍ଷ ହେକ୍ଟର ଚାଷଜମି ବୀମାଭୁକ୍ତ ଅଟେ । ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଅନୁବନ୍ଧିତ ଚାଷୀ ଇନ୍ସୁରାନ୍ସ ବାବଦରେ ଏନସିଆଇପି ପୋର୍ଟାଲରେ ଆବେଦନ କରିପାରିବେ, କିମ୍ବା ଟୋଲ ଫ୍ରି ନମ୍ବର ୧୪୪୪୭ ରେ କଲ କରିପାରିବେ କିମ୍ବା Whatsapp chatbot ନମ୍ବର ୭୦୬୫୫୧୪୪୪୭ ରେ ଯୋଗାଯୋଗ କରିପାରିବେ । କୃଷି ବିଭାଗ ପକ୍ଷରୁ କଣ୍ଟ୍ରୋଲ ରୁମର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ସମସ୍ତ ପ୍ରକାର ମୁକାବିଲା ପାଇଁ କୃଷି ବିଭାଗ ସଜାଗ ରହିଛି ।

ଏହି ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଅତିରିକ୍ତ ସଚିବ ଡ଼ ଗଣେଶ୍ବର ଜେନା, ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉଦ୍ୟାନ କୃଷି ଅଧିକାରୀମାନେ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଯୋଗଦେଇଥିଲେ ।

 

Comments are closed.