Latest Odisha News

BREAKING NEWS

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ଦାବି

ଭୁବନେଶ୍ବର : ବୃଦ୍ଧି କରାଯାଉ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ଏନେଇ ପୁଣି ଦାବି କରିଛନ୍ତି ରାଜ୍ୟ ସରକାର । ଏକ ସମ୍ବାଦିକ ସମ୍ମିଳନୀରେ କୃଷିମନ୍ତ୍ରୀ ଅରୁଣ ସାହୁ ଏମଏସପି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା କରିବାକୁ କୃଷିମନ୍ତ୍ରୀ ଦାବି କରିଛନ୍ତି । ଏହା ହେଲେ ଚାଷୀମାନେ ୨୫ ପ୍ରତିଶତ ଲାଭ ପାଇପାରିବେ ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

ଚଳିତ ମାସ ୯ ତାରିଖରେ କେନ୍ଦ୍ର ସରକାର ୨୦୧୧-୨୨ ଖରିଫ ବିପଣନ ଋତୁ ପାଇଁ ଧାନ ସମେତ ଅଣଧାନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି । ସାଧାରଣ ମାନର ଧାନର ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୧୮୬୮ ଟଙ୍କାରୁ ୧୯୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଗ୍ରେଡ-ଏ ଧାନର ଏମଏସପି ୧୯୬୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଗତବର୍ଷ ଠାରୁ ମାତ୍ର ୭୨ଟଙ୍କା ବୃଦ୍ଧି ହୋଇଛି । ଯାହାକି ରାଜ୍ୟର ଚାଷୀ ମାନଙ୍କୁ ସହାୟତା କରିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଦାବି କରିଛନ୍ତି କୃଷିମନ୍ତ୍ରୀ । ଧାନର ଏମଏସପି ବୃଦ୍ଧି କରିବାକୁ ୨୦୧୭ ମସିହାରେ ବିଧାନସଭାରେ ଓ ପୁଣି ୨୦୧୮ ମସିହାରେ ସର୍ବ ସମ୍ମତି କ୍ରମେ ସଙ୍କଳ୍ପ ପାରିତ ହୋଇଥିଲା ।

ଧାନର ଏମଏସପି ବୃଦ୍ଧି କରିବାକୁ ବାରମ୍ବାର କେନ୍ଦ୍ର ନିକଟରେ ଦାବି କରିଆସୁଛି ରାଜ୍ୟ । କିନ୍ତୁ କେନ୍ଦ୍ର ସରକାର ରାଜ୍ୟର ଦାବି ପୂରଣ କରିବାରେ ପଛଘୁଞ୍ଚା ଦେଉଛନ୍ତି ବୋଲି କହିଛନ୍ତି କୃଷିମନ୍ତ୍ରୀ । ରାଜ୍ୟ ସରକାର କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଷ୍ଠାପର ଉଦ୍ୟମ ଜାରି ରଖିଛନ୍ତି । କୃଷକଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପ ବଦ୍ଧ । ତେଣୁ ଧାନର ସହାୟକ ମୂଲ୍ୟରେ ଏତ କମ ବୃଦ୍ଧି କଲେ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବନାହିଁ । ତେଣୁ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ସହଯୋଗ ଲୋଡ଼ାଯାଇଛି ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

Leave A Reply

Your email address will not be published.