Latest Odisha News

ବିହାର ପାଇଁ କଂଗ୍ରେସ ମନରେ କ’ଣ ?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ସ୍ଥିତି ମଜବୁତ କରିବାକୁ ଉଦ୍ୟମ କରୁଛି କଂଗ୍ରେସ । ପ୍ରଥମେ ବିହାରରେ ପ୍ରଭାରୀ ବଦଳାଇଥିଲା କଂଗ୍ରେସ ଆଉ ଏବେ ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ଅଖିଳେଶ ପ୍ରସାଦ ସିଂଙ୍କ ଜାଗାରେ ରାଜେଶ କୁମାରଙ୍କୁ ବିହାରର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କରିଛି ଦଳ । ଅଖିଳେଶ ଭୂମିହାର ଥିବା ବେଳେ ରାଜେଶ କୁମାର ହେଉଛନ୍ତି ଦଳିତ ନେତା । ବିହାରରେ ରାହୁଲ ଗାନ୍ଧୀ ଦଳିତ ଭୋଟରଙ୍କୁ ଫୋକସ୍ କରୁଥିବା ବେଳେ ଜଣେ ଦଳିତ ଚେହେରାକୁ ରାଜ୍ୟ ନେତୃତ୍ବ ଦେଇଛି ଦଳ । ତେବେ ପ୍ରଶ୍ନ ଉଠୁଛି, ଦିଲ୍ଲୀ ଭଳି ବିହାରରେ ବି ଏକା ଲଢିବାକୁ ପ୍ରସ୍ତୁତି କରୁଛି କି କଂଗ୍ରେସ?

କଂଗ୍ରେସ ଫୋକସରେ ଦଳିତ ଭୋଟ୍
ଦଳିତ ଭୋଟ୍ ନିଜ ଖାତାକୁ ନେବା ପାଇଁ ଲଗାତର ଉଦ୍ୟମ କରୁଛି କଂଗ୍ରେସ । ପୂର୍ବରୁ କଂଗ୍ରେସର କୋର ଭୋଟର ରହିଥିବା ଦଳିତ ଭୋଟବ୍ୟାଙ୍କ ଗତ ଲୋକସଭା ନିର୍ବାଚନରେ ଦଳ ସପକ୍ଷରେ ଯାଇଥିଲା । ଆଉ ବିହାରରେ ବି ଦଳିତ ଭୋଟ ନିଜ ଆଡକୁ ନେବାକୁ ଉଦ୍ୟମ କରୁଛି ଦଳ । ରାଜ୍ୟରେ ସମ୍ବିଧାନ ବଞ୍ଚାଅ ରାଲିରେ ସାମିଲ ହେଉଛନ୍ତି ରାହୁଲ ଗାନ୍ଧୀ। ବିହାରରେ ଦଳିତ ସମାଜର ବଡ଼ ନେତା ଜଗଲାଲ ଚୋଧୁରୀଙ୍କ ଜୟନ୍ତୀ ସମାରୋହରେ ବି ରାହୁଲ ଯୋଗ ଦେଇଥିଲେ । ବିହାରରେ ଦଳିତ ଭୋଟବ୍ୟାଙ୍କ ହାତେଇବାକୁ ଏବେ ପ୍ରଦେଶ କଂଗ୍ରେସ ସଭାପତି ବଦଳାଇଛି କଂଗ୍ରେସ । ୨୦୨୦ରେ ବିହାର କୁଟୁମ୍ବା ବିଧାନସଭା କ୍ଷେତ୍ରରୁ ବିଧାୟକ ରହିଛନ୍ତି ରାଜେଶ କୁମାର । ତାଙ୍କ ନେତୃତ୍ବରେ ହିଁ ବିହାର ନିର୍ବାଚନ ଲଢିବାକୁ ରଣନୀତି କରୁଛି କଂଗ୍ରେସ । ତେବେ ପ୍ରଶ୍ନ ଉଠୁଛି, ସିଟ୍ ଭାଗ ନଛିଣ୍ଡିଲେ ଦିଲ୍ଲୀ ଭଳି ବିହାରରେ ବି ଏକା ଲଢିବ କି କଂଗ୍ରେସ ?

ଜାତି ଜନଗଣନା…ଲାଲୁଙ୍କ ପରିବାରକୁ ନିଶାନା
୨୦୨୪ ଲୋକସଭା ନିର୍ବାଚନରେ ଜାତି ଜନଗଣନା ପ୍ରସଙ୍ଗକୁ ଜୋରଦାର ଉଠାଇଥିଲେ ରାହୁଲ ଗାନ୍ଧୀ । ତେଜସ୍ବୀ ଯାଦବ ମଧ୍ୟ ଜାତିଭିତ୍ତିକ ସଂରକ୍ଷଣ ପାଇଁ ନିଜେ ଶ୍ରେୟ ନେଇଥିଲେ। ତେବେ କିଛି ଦିନ ପୂର୍ବରୁ ସମ୍ବିଧାନ ସୁରକ୍ଷା ସମ୍ମେଳନରେ ବିହାର ଜାତି ଜନଗଣନାକୁ ଭୁଲ କହି ତେଜସ୍ବୀଙ୍କୁ ଅଡୁଆରେ ପକାଇଥିଲେ ରାହୁଲ ଗାନ୍ଧୀ । ତେଲେଙ୍ଗାନାରେ ଜାତି ଜନଗଣନା କରି ଓବିସି ସଂରକ୍ଷଣ ବଢାଇବାକୁ ଯାଉଛି କଂଗ୍ରେସ । ଏହାର ପ୍ରଭାବ ବିହାରରେ ବି ପଡିପାରେ । ଯଦି ରାଜ୍ୟରେ କଂଗ୍ରେସ ଅଲଗା ଲଢେ, ତେବେ ଆରଜେଡି ସମସ୍ୟାରେ ପଡିପାରେ ।

କହ୍ନେୟା, ପପ୍ପୁ ଯାଦବ ସକ୍ରିୟ
କହ୍ନେୟା କୁମାର ହୁଅନ୍ତୁ କି ପପ୍ପୁ ଯାଦବ, ଲାଲୁଙ୍କ ପରିବାର ଅସନ୍ତୁଷ୍ଟ ଥିବା ନେତା ଏବେ କଂଗ୍ରେସରେ ବେଶ୍ ସକ୍ରିୟ ରହିଛନ୍ତି । ଆରଜେଡି ଭରସାରେ ହିଁ ବିହାରରେ କଂଗ୍ରେସ ନିର୍ବାଚନ ଲଢୁଛି । ଗତ ବିଧାନସଭା ନିର୍ବାଚନରେ ୭୦ଟି ସିଟ୍ ଲଢି ୧୯ଟି ଜିତିଥିଲା କଂଗ୍ରେସ । ଏପରିକି କଂଗ୍ରେସକୁ କମ୍ ସିଟ୍ ଦେଇଥିଲେ ବିହାରରେ ମହାଗଠବନ୍ଧନ ସରକାର କରିଥାନ୍ତା ବୋଲି ଲାଲୁଙ୍କ ସମର୍ଥକ ଯୁକ୍ତି କରିଥିଲେ। ତେବେ ଏଥର ସେଇ ଲାଲୁଙ୍କ ଆରଜେଡିକୁ ହିଁ ଅଡୁଆରେ ପକାଉଛି କଂଗ୍ରେସ । ପଦଯାତ୍ରାରେ କହ୍ନେୟା କୁମାର ତ ବୟାନବାଜିରେ ପପ୍ପୁ ଯାଦବ ସକ୍ରିୟ ରହିଛନ୍ତି । ଯାହା ଆରଜେଡିର ସମସ୍ୟା ବଢାଇପାରେ ।

ବିହାର କଂଗ୍ରେସର ପୂର୍ବତନ ସଭାପତି ଅଖିଳେଶ ପ୍ରସାଦ ସିଂଙ୍କର ଲାଲୁପ୍ରସାଦ ଯାଦବଙ୍କ ସହ ଘନିଷ୍ଠତା ରହିଛି । ନିର୍ବାଚନ ପୂର୍ବରୁ ତାଙ୍କୁ ପଦରୁ ହଟାଇ କଂଗ୍ରେସ ଭିନ୍ନ ସଙ୍କେତ ଦେଇଛି । ବିଜେପି ପରି କଂଗ୍ରେସ ବି ବିହାରରେ ଜୁନିଅର ପାର୍ଟନର ହୋଇ ରହିବାକୁ ଚାହୁଁନି । ଲାଲୁ ଯାଦବଙ୍କ ଛତ୍ରଛାୟାରୁ ବାହାରିବାକୁ ରାଜ୍ୟ କଂଗ୍ରେସର ଅନେକ ନେତା ଚାହୁଁଛନ୍ତି । ତେଣୁ କଂଗ୍ରେସ ପିସିସି ସଭାପତି ପରିବର୍ତ୍ତନ କରିଥିବା କୁହାଯାଉଛି । ବିହାରରେ କଂଗ୍ରେସ ଦୁର୍ବଳ ହେଲେବି ଏକା ନିର୍ବାଚନ ଲଢିଲେ ହରିୟାଣା, ଦିଲ୍ଲୀ ଭଳି ଫଳାଫଳ ହୋଇପାରେ । ଆମ ଆଦମୀ ପାର୍ଟି ପରି କ୍ଷତି ସହିପାରେ ଆରଜେଡି ।

ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Leave A Reply

Your email address will not be published.