ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦ ଏୟାରପୋର୍ଟରେ ଗୁରୁବାର ଦିନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଘଟିବା ପୂର୍ବରୁ ପାଇଲଟ୍ ନିକଟସ୍ଥ ଏଟିସି (ଏୟାର ଟ୍ରାଫିକ କଣ୍ଟ୍ରୋଲ)କୁ ଏକ ବିପଦ ସୂଚନା ପଠାଇଥିଲେ ଓ ଏହାର କିଛି ମୁହୂର୍ତ୍ତ ପରେ ହିଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ସୂଚନା ଅନୁଯାୟୀ ଜୁନ୍ ୧୨ ଅର୍ଥାତ୍ ଆଜି ଅପରାହ୍ନରେ ଏୟାର ଇଣ୍ଡିଆର ବିମାନ ବି ୭୮୭ ଅହମ୍ମଦାବାଦରୁ ଗ୍ୟାଟୱିକ୍ (AI-୧୭୧) ଅଭିମୁଖେ ଉଡ଼ାଣ ଭରିବା ମାତ୍ରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ଏଥିରେ ମୋଟ ୨୪୨ ଜଣ ଉପସ୍ଥିତ ଥିଲେ। ଯେଉଁଥିରେ ୨ ପାଇଲଟ୍ ଏବଂ ୧୦ କ୍ୟାବିନ କ୍ରୁ ଥିଲେ। ତେବେ ବିମାନକୁ କ୍ୟାପ୍ଟେନ୍ ସୁମିତ ସବରୱାଲ୍ ଉଡ଼ାଉଥିବା ବେଳେ କୋ- ପାଇଲଟ୍ କ୍ଲାଇଭ୍ କୁନ୍ଦର ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ତେବେ ସୁମିତଙ୍କର ୮୨୦୦ ଘଣ୍ଟା ଫ୍ଲାଇଟ୍ ଉଡାଇବାର ଅଭିଜ୍ଞତା ଥିବାବେଳେ କ୍ଲାଇଭ୍ ଙ୍କ ପାଖରେ ୧୧୦୦ ଘଣ୍ଟାର ଅଭିଜ୍ଞତା ଥିଲା।
‘Mayday Call’ କଣ…
ବିମାନଟି ଦିନ ୧.୩୯ ରେ ଅହମ୍ମଦାବାଦ ବିମାନବନ୍ଦରର ରନୱେ ୨୩ ରୁ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବା ମାତ୍ରେ ହିଁ ଏହା ନିକଟତମ ATC କୁ MAYDAY କଲ୍ ଦେଇଥିଲା।କିନ୍ତୁ ଏହା ପରେ ବିମାନ ଦ୍ୱାରା ATCକୁ ଆଉ କୌଣସି ସଙ୍କେତ ଦିଆଯାଇ ନଥିଲା।
ଯେକୌଣସି ଉଡ଼ାଣରେ ଏକ ଜରୁରୀକାଳୀନ ବାର୍ତ୍ତା କୁ ‘Mayday Call’ କୁହାଯାଏ। ଯାହାକି ପାଇଲଟ୍ ଦ୍ଵାରା ସେତେବେଳେ ଦିଆଯାଇଥାଏ ଯେତେବେଳେ ବିମାନରେ କୌଣସି ଗମ୍ଭୀର ସମସ୍ୟା ଦେଖାଦେଇଥାଏ। ଯେପରିକି ବିମାନର ଇଞ୍ଜିନ୍ ରେ କୌଣସି ସମସ୍ୟା କିମ୍ବା ବିମାନରେ ନିଆଁ ଲାଗିବା କିମ୍ବା ମଝି ଆକାଶରେ କୌଣସି ପ୍ରକାରର ଆକ୍ସିଡେଣ୍ଟର ଆଶଙ୍କା କିମ୍ବା ଅପହରଣ ଭଳି ପରିସ୍ଥିତି। ଅଥବା ଯେତେବେଳେ ଯାତ୍ରୀ କିମ୍ବା କ୍ରୁଙ୍କ ଜୀବନ ବିପଦରେ ଥାଏ।
ତେବେ ଏହି କଲ ଦେବା ମାତ୍ରେ ହିଁ ନିୟନ୍ତ୍ରଣ କକ୍ଷ ତରଫରୁ ସେହି ବିମାନକୁ ପ୍ରାଥମିକତା ଦିଆଯାଇଥାଏ ଏବଂ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ଦେବା ସହ ରନୱେକୁ କ୍ଲିୟର କରିବା ସହ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଥାଏ।
Comments are closed.