Latest Odisha News

BREAKING NEWS

Forest Fire Control: ବନାଗ୍ନି ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯିବ କ୍ୟାମେରା ଓ ଡ୍ରୋନ;ନିଆଁ ଲାଗିଲେ ଏହି ନଂରେ କଲ୍‌…

ଭୁବନେଶ୍ବର:ଗ୍ରୀଷ୍ମ ପୂର୍ବରୁ ଜଙ୍ଗଲ ନିଆଁ ରୋକିବାକୁ ପ୍ରାକ୍‌ ପ୍ରସ୍ତୁତି । ରାଜ୍ୟରେ ଆସନ୍ତା ବନାଗ୍ନି ଋତୁକୁ ସଫଳତାର ସହ ମୁକାବିଲା କରିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ଭୁବନେଶ୍ୱରସ୍ଥିତ ‘ଅରଣ୍ୟ ଭବନ’ଠାରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ ଡ କେ. ମୁରୁଗେସନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନିଆଁ ଲାଗିଲେ 18003457158 ନଂରେ କଲ୍‌ ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି । ଜଙ୍ଗଲ ନିଆଁ ଆୟାତ୍ତ ପାଇଁ ୨୦୪୬୧ ଫାୟାର ଲାଇନ ସୃଷ୍ଟି କରାଯାଇଛି । ଜାଣିଶୁଣି ନିଆଁ ଲଗେଇଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ପିସିସିଏଫ ।

ବନାଗ୍ନି ମୁକାବିଲା ପାଇଁ ଏହି ବର୍ଷ ବୈଷୟିକ କୌଶଳ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଶିମିଳିପାଳ ଓ ରାଉରକେଲାରେ କ୍ୟାମେରା ଦ୍ୱାରା ନିଆଁ ଉପର ନଜର ରଖାଯିବ । ଆବଶ୍ୟକ ସ୍ଥଳେ ମିନି ଡ୍ରୋନ ବ୍ୟବହାର କରାଯାଉଛି ।

ପ୍ରାରମ୍ଭିକ ସ୍ତରରେ ନିଆଁକୁ ଚିହ୍ନଟ କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା ସଂଚାଳିତ କ୍ୟାମେରା ଏବଂ ଡ୍ରୋନ୍ ବ୍ୟବହାର କରାଯାଉଛି। ଏଥିସହିତ ବିଭିନ୍ନ ରେଞ୍ଜ ଏବଂ ବିଟ୍ ସ୍ତରରେ ୩୩୪ଟି ସ୍ୱତନ୍ତ୍ର ସୁରକ୍ଷା ଦଳ ମୁତୟନ ହୋଇଛନ୍ତି, ଯେଉଁମାନଙ୍କୁ ୫,୦୦୦ରୁ ଅଧିକ ଲିଫ୍ ବ୍ଲୋଅର୍ ଓ ଅନ୍ୟାନ୍ୟ ଅଗ୍ନି ନିର୍ବାପକ ସାମଗ୍ରୀ ଯୋଗାଇ ଦିଆଯାଇଛି। କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ୬୩୧ରୁ ଅଧିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ପ୍ରାୟ ୨୦୦ ଜଣ ଏନଡିଆରଏଫ (NDRF) କର୍ମଚାରୀଙ୍କୁ ମଧ୍ୟ ବନାଗ୍ନି ପ୍ରତିରୋଧ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି।

ଗତ ବର୍ଷର ପରିସଂଖ୍ୟାନ ଅନୁଯାୟୀ, ଓଡ଼ିଶାରେ ପ୍ରାୟ ୨୯,୭୦୯ଟି ବନାଗ୍ନି ସ୍ଥଳ ଚିହ୍ନଟ ହୋଇଥିଲା। ଶୁଷ୍କ ପାଗ ଏବଂ ଜଙ୍ଗଲରେ ସଞ୍ଚିତ ଶୁଖିଲା ପତ୍ର ସାଙ୍ଗକୁ ମାନବଜନିତ ଅବହେଳା ଯୋଗୁଁ ଏହି ଅଘଟଣମାନ ଘଟିଥିଲା। ତଥାପି, ଉପଗ୍ରହ ଆଧାରିତ ସତର୍କ ସୂଚନା ଏବଂ ବନ କର୍ମଚାରୀଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପ୍ରାୟ ୯୯.୭ ପ୍ରତିଶତ ଘଟଣାକୁ ନିୟନ୍ତ୍ରଣ କରାଯାଇ କ୍ଷତିର ପରିମାଣକୁ ସର୍ବନିମ୍ନ କରାଯାଇଥିଲା। ଏହି ସଫଳତାକୁ ଆଧାର କରି ଚଳିତ ବର୍ଷ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି।

ବନ ବିଭାଗ ପକ୍ଷରୁ ସ୍ଥାନୀୟ ସମୁଦାୟ ଏବଂ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସହଯୋଗ ପାଇଁ ନିବେଦନ କରାଯାଇଛି। ବନ ସୁରକ୍ଷା ସମିତି ଏବଂ ଇକୋ-ଡିଭେଲପମେଣ୍ଟ କମିଟି ମାଧ୍ୟମରେ ପ୍ରାୟ ୩୩୬ଟି ଗ୍ରାମରେ ସଚେତନତା ସୃଷ୍ଟି କରାଯାଉଛି ।

ବନାଗ୍ନି କେବଳ ଜଙ୍ଗଲ ନୁହେଁ, ବରଂ ବନ୍ୟପ୍ରାଣୀ ଏବଂ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବିକା ପାଇଁ ଏକ ବଡ଼ ସଙ୍କଟ ବୋଲି ବୈଠକରେ ମତପ୍ରକାଶ ପାଇଛି।

Leave A Reply

Your email address will not be published.