Latest Odisha News

BREAKING NEWS

ରକ୍ତ ଦେଇ ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଭୁବନେଶ୍ବର ଏମ୍ସ ଡାକ୍ତର

ଭୁବନେଶ୍ୱର: ଆମେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କହୁ । ଆଜି ସେହି ଭଗବାନ ପ୍ରସୂତୀଙ୍କୁ ବିପଦ ମୁହଁରୁ ବଞ୍ଚାଇଛନ୍ତି । ଆଉ କିଛି ସମୟ ବିଳମ୍ବ ହୋଇଥିଲେ ରକ୍ତ ଅଭାବରୁ ବୋଧହୁଏ ଜଣେ ଗୁରୁତର ପ୍ରସୂତୀ ମହିଳାଙ୍କର ଜୀବନ ବିପଦରେ ପଡିଥାଆନ୍ତା । ମାତ୍ର ଠିକ୍ ସମୟରେ ଆଗକୁ ଆସି ସହୃଦୟତାର ସହିତ ରକ୍ତଦାନ କରିଥିଲେ ଏମ୍ସ ଭୁବନେଶ୍ୱର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଦେବାଶିଷ ମିଶ୍ର ।

ଗୁରୁତର ଏକ୍ଟୋପିକ୍ ଗର୍ଭ ପୀଡ଼ା ଭୋଗୁଥିବା ଜଣେ ମହିଳାଙ୍କୁ ତୁରନ୍ତ ବି ନେଗେଟିଭ ଗ୍ରୁପର ରକ୍ତ ଆବଶ୍ୟକ ଥିଲା । ଏହା ଜାଣିବାକୁ ପାଇଥିଲେ ଡ୍ୟୁଟିରେ ଥିବା ଏମ୍ସ ଭୁବନେଶ୍ବର ଡାକ୍ତର ମିଶ୍ର । ପ୍ରସୂତୀଙ୍କୁ ରକ୍ତ ଦେବାକୁ ସାଙ୍ଗରେ କେହି ସମ୍ପର୍କୀୟ ନଥିଲେ କିମ୍ବା ତତକ୍ଷଣାତ୍ ରକ୍ତ ଭଣ୍ଡାରରେ ବି ନେଗେଟିଭ ଗ୍ରୁପ ରକ୍ତ ମଧ୍ୟ ମହଜୁଦ୍ ନଥିଲା । ମାତ୍ର ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଏବଂ ରକ୍ତସ୍ରାବ ହେଉଥିବା ଉକ୍ତ ପ୍ରସୂତୀଙ୍କ ପାଇଁ ତୁରନ୍ତ ରକ୍ତ ଆବଶ୍ୟକ ଥିଲା । ତେଣୁ ଜନନୀ ଯନ୍ତ୍ରଣା ଭୋଗୁଥିବା ଜଣେ ମହିଳାଙ୍କୁ ରକ୍ତ ଦେବାକୁ ଆଗେଇଆସିଥିଲେ ଡା. ମିଶ୍ର ।

ଯଦି ସେହି ସମୟରେ ଉକ୍ତ ମହିଳାଙ୍କୁ ରକ୍ତ ପ୍ରଦାନ କରାଯାଇ ନଥାନ୍ତା ତେବେ କିଛି ବି ଅଘଟଣ ଘଟିବାର ଆଶଙ୍କା ଥିଲା ବୋଲି ଚିକିତ୍ସା କରିଥିବା ସ୍ତ୍ରୀ ରୋଗ ବିଶଷଜ୍ଞ ପ୍ରକାଶ କରିଛନ୍ତି । ସଠିକ୍ ସମୟରେ ରକ୍ତ ପ୍ରଦାନ କରାଯାଇଥିବାରୁ ପ୍ରସୂତିଙ୍କ ଜୀବନ ବଞ୍ଚାଯାଇ ପାରିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି । ପ୍ରସୂତୀଙ୍କୁ ଏମ୍ସରେ କିଛିଦିନ ଚିକିତ୍ସା ପରେ ଡିସଚାର୍ଜ କରି ଦିଆ ଯାଇଛି । ବର୍ତ୍ତମାନ ପ୍ରସୂତୀ ଜଣଙ୍କ ସୁସ୍ଥ ଥିବା ଜଣାପଡ଼ିଛି ।

ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ, ଡ. ମିଶ୍ରଙ୍କ ଏପରି ମହନୀୟ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଏହା ଏକ ଅନୁକରଣୀୟ ଉଦାହରଣ ବୋଲି କହିଛନ୍ତି । ଡାକ୍ତରମାନେ କେବଳ ରୋଗୀମାନଙ୍କର ଚିକିତ୍ସା କରନ୍ତି ନାହିଁ, ବରଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥାଆନ୍ତି । ଏପରି କରି ଡକ୍ଟର ମିଶ୍ର ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଡାକ୍ତର ବିଶ୍ୱାସ ମତବ୍ୟକ୍ତ କରିଛନ୍ତି । ଏମ୍ସ ଭୁବନେଶ୍ୱରର ଜଣେ ଡାକ୍ତରଙ୍କ ଏପରି ମାନବତାପୂର୍ଣ୍ଣ ଆଚରଣକୁ ସବୁଠି ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.