ଭୁବନେଶ୍ବର : ଆସନ୍ତା ୭ ତାରିଖରୁ ଖୋଲିବ ଭୁବନେଶ୍ବର ଏମସ ଓପିଡି । ମହାମାରୀ କରୋନା ସଂକ୍ରମଣ କାରଣରୁ ଗତ ଜାନୁଆରୀ ୧୭ ତାରିଖରୁ ବନ୍ଦ ଥିଲା ଭୁବନେଶ୍ବର ଏମ୍ସର ଓପିଡି ସେବା । ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ ଓପିଡିକୁ ଆସନ୍ତା ୭ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷ ।
ଏମସ ଓପିଡି ଖୋଲିବା ପାଇଁ ବାରମ୍ବାର ଦାବି ହେଉଥିଲା । ତେଣୁ ସବୁ ଦିଗକୁ ବିଚାର କରି ଆସନ୍ତା ୭ ତାରିଖରୁ ଓପିଡି ସେବା ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବଭଳି ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀକୁ ଅନୁକରଣ କରିବେ ବୋଲି ଏମସ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିଭଳି ପୂର୍ବଭଳି ସମସ୍ତ ଆଇପିଡି ଆଡ୍ମିସନ ଏବଂ ଓଟି ଗୁଡିକ କାର୍ଯ୍ୟକାରୀ ହେବ । କୋଭିଡ୍ ଲେବର ରୁମ୍ ଆହୁରି ସପ୍ତାହେ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି କହିଛନ୍ତି ମୁବନେଶ୍ବର ଏମସ କର୍ତ୍ତୃପକ୍ଷ । ଜାନୁଆରୀ ମାସରେ ସଂକ୍ରମଣ ବଢ଼ିବା ପରେ ଭୁବନେଶ୍ବର ଏମସର ଓପିଡିକୁ ବନ୍ଦ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ, କୋଭିଡ୍ ସ୍ଥିତିରେ ହଠାତ୍ ବୃଦ୍ଧି କାରଣରୁ ଜାନୁଆରୀ ୧୭ରୁ ଏମ୍ସ ଭୁବନେଶ୍ବରରେ ସମସ୍ତ ଓପିଡି ସେବାକୁ ସାମୟିକ ସମୟ ପାଇଁ ବନ୍ଦ କରାଯାଇଥିଲା । ତେବେ ଏହି ସମୟ ମଧ୍ୟରେ କିନ୍ତୁ ରୋଗୀସେବାରେ କୌଣସି ବାଧା ପହଞ୍ଚିନାହିଁ । ବନ୍ଦ ଦିନରୁ ଗତକାଲି ପର୍ଯ୍ୟନ୍ତ ଏମସରେ ୧୨ ହଜାର ୪୧୪ ଜଣ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯାଇଛି । ଟେଲିମେଡିସିନ୍ ଏବଂ ଏମ୍ସ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ୍ ମାଧ୍ୟମରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଇଛି ।
ଯେଉଁମାନେ ଶାରୀରିକ ପରାମର୍ଶ ଆବଶ୍ୟକ କରନ୍ତି ସେମାନଙ୍କୁ ଓପିଡିକୁ ଡକାଯାଇଛି । ଆବଶ୍ୟକ କ୍ଷେତ୍ରରେ ସେମାନଙ୍କୁ ଚିକିତ୍ସା ପାଇଁ ଇନ୍ଡୋର ସୁବିଧାରେ ଭର୍ତ୍ତି କରାଯାଇଥିବା ମେଡିକାଲ ଅଧୀକ୍ଷକ ଡାକ୍ତର ଏସ୍.ଏନ୍ ମହାନ୍ତି ସୂଚନା ଦେଇଛନ୍ତି । ଡାକ୍ତରଖାନା ବନ୍ଦ ହେବା ସତ୍ତ୍ବେ ଏମ୍ସରେ ପୂର୍ବଭଳି ରେଡିଓଥେରାପି, କେମୋଥେରାପି, ଡାୟଲିସିସ୍, ଜରୁରୀକାଳୀନ ଅସ୍ତ୍ରୋପଚାର ଆଦି ଉତ୍ସାହଜନକ ସଂଖ୍ୟାରେ କରାଯାଇଛି । ସେହିପରି ପିଏସି ଏବଂ ପେନ୍ କ୍ଲିନିକରେ ରୋଗୀ ସେବା, ଡାୟଲିସିସ୍, କେମୋଥେରାପି, ରେଡିଓଥେରାପି, କୋଭିଡ୍ ଟିକାକରଣ, ପ୍ରତିରୋପଣ ଏବଂ ରୋଗୀ ସେବା ମଧ୍ୟ ପୂର୍ବଭଳି କରାଯାଇଛି । ସେହିଭଳି ଏମ୍ସରେ କୋଭିଡ ରୋଗୀଙ୍କୁ ମଧ୍ୟ ଉତ୍ତମ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି ।
Comments are closed.