Latest Odisha News

BREAKING NEWS

ଜାତୀୟ ସ୍ତରରେ ଏମ୍ସ ଭୁବନେଶ୍ୱର ଆବାସିକ ଡାକ୍ତରୀ ଛାତ୍ରଙ୍କ କୃତିତ୍ୱ

ଭୁବନେଶ୍ୱର :  ଚଳିତ ମାସ ଏମ୍ସ ଭୁ‌ବନେଶ୍ବର ଜାତୀୟ ସ୍ତରରେ ଚମତ୍କାର ଭାବେ ସଫଳତା ପାଇଛନ୍ତି । ଏମ୍ସ ଭୁ‌ବନେଶ୍ବର ୬ଜଣ ଆବାସିକ ଡାକ୍ତରୀ ଛାତ୍ର ତିନି ଭିନ୍ନ ଭିନ୍ନ ଜାତୀୟ ଶୈକ୍ଷିକ କାର୍ଯ୍ୟକ୍ରମର ସଂପୃକ୍ତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଭୁ‌ବନେଶ୍ବର ଏମ୍ସ ପାଇଁ ଗୌରବ ଆଣିଛନ୍ତି।

ଏମ୍ସ ଭୁବନେଶ୍ୱର ପିଏମଆର (ଫିଜିକାଲ ମେଡିସିନ୍ ଏବଂ ପୁନର୍ବାସ) ବିଭାଗର ଜୁନିୟର୍ ରେସିଡେଣ୍ଟ୍ ଡ. ଦେବାଞ୍ଜନ ବରାଳ ଏବଂ ଡ. ସୌଭିକ୍ ଭଟ୍ଟାଚାର୍ଜୀଙ୍କୁ ନେଇ ଗଠିତ ଟିମ୍ ଏମ୍ସ ନାଗପୁରରେ ଅନୁଷ୍ଠିତ ଆଇଏପିଏମ୍ଆର (ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିକାଲ୍ ମେଡିସିନ୍ ଏବଂ ପୁନର୍ବାସ)ର ମିଡ୍ଟର୍ମ ସିଏମ୍ଇରେ ଆୟୋଜିତ କୁଇଜ୍ (ଅଫଲାଇନ୍ ମୋଡ୍) ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜାତୀୟସ୍ତରୀୟ କୁଇଜ୍ରେ କ୍ରମାଗତଭାବେ ଦ୍ୱିତୀୟ ଥର ପାଇଁ ଏମ୍ସ ଭୁବନେଶ୍ବର ପିଆରଏମ୍ର ଟିମ୍ ଚାମ୍ପିଅନ୍ ହୋଇ ଇତିହାସ ସୃଷ୍ଟି କରିଛି। ଚଳିତ ବର୍ଷ ଆଇଏପିଏମ୍ଆର ଏହାର ୫୦ତମ ଗୌରବମୟ ବର୍ଷ ପାଳନ କରୁଛି। ଉଲ୍ଲେଖଯୋଗ୍ୟଯେ ଚଳିତ ବର୍ଷ ମାର୍ଚ୍ଚରେ ଦିଲ୍ଲୀରେ ଅନୁଷ୍ଠିତ ଏହି ଜାତୀୟ କୁଇଜ୍ ପ୍ରତିଯୋଗିତା (ଅନ୍ଲାଇନ)ରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲା ଏମ୍ସ ଭୁବନେଶ୍ବର।
ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଆବାସିକ ଡାକ୍ତରୀ ଛାତ୍ର ଡ. କୌଶିକ ମହାଦିକ ଏବଂ ଡ. ଏମ୍‌ ବିଷ୍ଣୁ ସ୍ବରୂପ ରେଡ୍ଡୀଙ୍କୁ ନେଇ ଗଠିତ ଟିମ୍‌ ପୁନେସ୍ଥିତ ପ୍ରତିଷ୍ଠିତ ବିଜେ ସରକାରୀ ମେଡିକାଲ୍‌ କଲେଜ୍‌ ଏବଂ ସାଶୁନ୍‌ ଜେନେରାଲ୍‌ ହସ୍ପିଟାଲ୍‌ ପକ୍ଷରୁ ଭାସ୍କୁଲାର ଆକ୍ସେସ୍ ଅନ୍‌ ହେମୋଡାୟଲିସିସ୍ – ୨୦୨୨ ସନ୍ଦର୍ଭରେ ଆୟୋଜିତ ତୃତୀୟ ଜାତୀୟ ସିଏମ୍‌ଇରେ ମଧ୍ୟ ପ୍ରଥମ ପୁରସ୍କାର ଲାଭ କରିଛନ୍ତି।
ସେହିଭଳି, ଏମ୍ସର ଫୁସ୍‌ଫୁସ୍‌ ଓ ଯକ୍ଷ୍ମା ବିଭାଗର ଆବାସିକ ଡାକ୍ତରୀ ଛାତ୍ର ଡ. ଦେବୋପମ୍‌ ଚାଟ୍ଟାର୍ଜୀ ଏବଂ ଡ. ରୋହିତ ଶିରଗାଓଁକାର ପଲ୍ମୋକନ୍‌-୨୦୨୨ ଜାତୀୟ କୁଇଜ୍‌ରେ ପ୍ରଥମେ ସ୍ଥାନ ଅଧିକାର କରି କୃତିତ୍ବ ହାସଲ କରିଛନ୍ତି। କୋଲକାତାସ୍ଥିତ ସିଆଇଆଇ ସୁରେଶ ନେଟିଆ ସେଣ୍ଟରରେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲ୍ମୋକେୟାର ଏବଂ ରିସର୍ଚ୍ଚ ଦ୍ୱାରା ଆୟୋଜିତ ୨୦ତମ “ପଲ୍ମୋନାରୀ ମେଡିସିନ୍‌ର ବାର୍ଷିକ” କାର୍ଯ୍ୟକ୍ରମ ଅବସରରେ ଏହା ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ବାସ ସମସ୍ତ କୃତି ଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଜି ନିଜ କାର୍ଯ୍ୟାଳୟରେ ବିଭାଗୀୟ ମୁଖ୍ୟଙ୍କ ସହିତ ସେମାନଙ୍କୁ ସମ୍ବର୍ନ୍ଧିତ କରିଥିଲେ। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏମ୍ସ ଭୁବନେଶ୍ବରର‌ ଗୌରବ ବୃଦ୍ଧି ନିମନ୍ତେ ଛାତ୍ରଛାତ୍ରୀମାନେ ଏହିପରି ନିଷ୍ଠାପର ଉଦ୍ୟମ ଜାରି ରଖିବାକୁ ଆହ୍ବାନ କରିଥିଲେ ଡ. ବିଶ୍ବାସ। ଉଲ୍ଲେଖଯୋଗ୍ୟଯେ ଉପରୋକ୍ତ ତିନି ଜାତୀୟ କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ସଂଖ୍ୟାଧିକ ସରକାରୀ ଏବଂ ଘରୋଇ ମେଡିକାଲ୍‌ କଲେଜ୍ ଏବଂ ଏମ୍ସ ଭଳି ଅନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଡିନ୍‌ (ଏକାଡେମିକ୍) ଡ. ପି ଆର ମହାପାତ୍ର, କୁଳସଚିବ ବି ବି ମିଶ୍ର, ବର୍ଣ୍ଣସ୍‌ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଡ. ସଞ୍ଜୟ ଗିରି, ପିଏମ୍‌ଆର ବିଭାଗୀୟ ମୁଖ୍ୟ ଡ. ଜଗନ୍ନାଥ ସାହୁ ଏବଂ ଭାରପ୍ରାପ୍ତ ଡିଡିଏ ରଶ୍ମୀ ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ସଫଳ ଛାତ୍ର ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

Comments are closed.