ଭୁବନେଶ୍ବର : ଏମ୍ସ ଭୁବନେଶ୍ବରର ସଫଳତାରେ ଯୋଡି ହୋଇଛି ଆଉ ଏକ ଅଧ୍ୟାୟ । ଡାକ୍ତରୀ ଶିକ୍ଷା ତଥା ଗବେଷଣା କ୍ଷେତ୍ରରେ ଦେଶରେ ସୁନାମ ଅର୍ଜନ କରିଥିବା ଭୁବନେଶ୍ବର ଏମ୍ସର ନିର୍ଦ୍ଦେଶିକା ବି. ଗୀତାଞ୍ଜଳିଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏମ୍ସ ଗୌହ୍ବାଟିର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୧୮ ତାରିଖରୁ ଏମ୍ସ ଗୌହ୍ବାଟିର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ । କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଜାନୁଆରୀ ୧୨ ତାରିଖରେ ଏମ୍ସ ଗୌହ୍ବାଟିରେ ପାଠପଢ଼ା ଆରମ୍ଭ ହୋଇଥିଲା । ଯାହାକୁ ସଫଳତାର ପରିଚାଳନା କରିଥିଲେ ଏମ୍ସ ଭୁବନେଶ୍ବର ନିର୍ଦ୍ଦେଶିକା । ସଫଳତାର ସହିତ ଶିକ୍ଷାବର୍ଷ ସମାପ୍ତ ପରେ ଏମ୍ସ ଗୌହ୍ବାଟି ଏହାର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପରିଚାଳନା କରିବ । ଏମ୍ସ ଭୁବନେଶ୍ବର ମାର୍ଗଦର୍ଶନରେ ଏମ୍ସ କଲ୍ୟାଣୀ (ପଶ୍ଚିମବଙ୍ଗ) ଏବଂ ଏମ୍ସ ଗୌହ୍ବାଟି ସଫଳତାର ସହିତ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଏମ୍ସ ଭୁବନେଶ୍ବର ଡେପୁଟି ଡାଇରେକ୍ଟର ଆଡ୍ମିନିଷ୍ଟ୍ରେସନ୍ ପି.କେ ରାୟ ମଧ୍ୟ ଏମ୍ସ ଗୌହ୍ବଟିରେ ଡିଡିଏ ଦାୟିତ୍ବରେ ଅଛନ୍ତି । ସେହିପରି ଏମ୍ସ ଭୁବନେଶ୍ବରର ଡାକ୍ତର ସୁଦୀପ୍ତ ରଞ୍ଜନ ସିଂ ଏମ୍ସ ଗୌହ୍ବାଟିର ନୋଡାଲ୍ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଏହାସହ ଭୁବନେଶ୍ବର ଏମସର ଅଧ୍ୟାପକମାନେ ଏମ୍ସ ଗୌହ୍ବାଟିର ପରୀକ୍ଷା ପରିଚାଳନା ପାଇଁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ପାଇଛନ୍ତି । ଗୁଣାତ୍ମକ ସ୍ବାସ୍ଥ୍ୟସେବା ଏବଂ ଚିକିତ୍ସା କ୍ଷେତ୍ରରେ ଉନ୍ନତ ଗବେଷଣା ପାଇଁ ଏମ୍ସ ଭୁବନେଶ୍ବର ଦେଶରେ ଏବେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମଗ୍ର ପୂର୍ବ ଭାରତରେ ଏକ ପ୍ରମୁଖ ଭୂମିକା ବହନ କରିଛି ଭୁବନେଶ୍ବର ଏମସ ।
Comments are closed.