ଭୁବନେଶ୍ବର: ପ୍ରାୟ ଦୁଇଘଣ୍ଟା ବନ୍ଦ ହୋଇଯାଇଥିଲା ହୃତ ସ୍ପନ୍ଦନ । କାମ କରୁ ନଥିଲା ହୃତପିଣ୍ଡ। ହେଲେ ଚିକିତ୍ସା ବିଜ୍ଞାନ ଦେଖାଇଲା ଚମତ୍କାରିତା। ଜଣେ ୨୪ ବର୍ଷୀୟ ରୋଗୀ ପାଇଲେ ନୂଆ ଜୀବନ। ଏପରି ଘଟଣା ଘଟିଛି ଭୁବନେଶ୍ୱର ଏମ୍ସ ହସପିଟାଲରେ। ମୃତ ଯୁବକ ତଥା ଭାରତୀୟ ସେନାର ଯବାନ ଶୁଭକାନ୍ତ ସାହୁଙ୍କୁ ବଞ୍ଚାଇଛନ୍ତି ଏମ୍ସ ଡାକ୍ତର।
ନୟାଗଡ଼ ଜିଲ୍ଲା ଓଡ଼ପଲା ଗାଁର ୨୪ ବର୍ଷୀୟ ଶୁଭକାନ୍ତ ସାହୁ ସେପ୍ଟେମ୍ବର ୩୦ ତାରିଖ ରାତିରେ ହଠାତ ଦୁର୍ବଳ ଅନୁଭବ କରିଥିଲେ। ଘର ଲୋକ ପ୍ରଥମେ ତାଙ୍କୁ ସ୍ଥାନୀୟ ରଣପୁର ମେଡିକାଲକୁ ନେଇ ଯାଇଥିଲେ। ହେଲେ ସେଠାରେ ହାର୍ଟ ବିଟ୍ ସ୍ତର କମୁଥିବାର ଦେଖି ଡାକ୍ତର ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରିଥିଲେ।
ଏମ୍ସରେ ପହଞ୍ଚିବା ପରେ କାର୍ଡିଓଜେନିକ ସକ୍ କାରଣରୁ ଶୁଭକାନ୍ତଙ୍କ ହାର୍ଟ ଫଙ୍କସନ୍ କରିବା ବନ୍ଦ କରି ସାରିଥିଲା। ରକ୍ତଚାପ ମଧ୍ୟ ବହୁତ କମି ଯାଇଥିଲା।ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏକ୍ମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାୟ ୮୦ ମିନିଟ୍ର ମାରାଥନ୍ ସିପିଆର୍ ପରେ ଯୁବକଙ୍କୁ ଏକ୍ମୋ ପ୍ରଣାଳୀ ପ୍ରଦାନ ଆରମ୍ଭ କରିଥିଲେ। ତେବେ ଇସିପିଆର୍ ଦେବାର ୪୦ ମିନିଟ୍ ପରେ ଯୁବକଙ୍କ ହୃଦୟ କାର୍ଯ୍ୟ ଆରମ୍ଭ କରିଥିଲା। ପରବର୍ତ୍ତୀ ୩୦ ଘଣ୍ଟା ମଧ୍ୟରେ, ହୃଦୟର କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ହେଲା, ଏବଂ ୯୬ ଘଣ୍ଟା ପରେ ରୋଗୀଙ୍କୁ ସଫଳତାର ସହିତ ଏକ୍ମୋରୁ ବାହାର କରାଯାଇଥିଲା।
ଅପର ପକ୍ଷରେ ପୁଅକୁ ଦ୍ବିତୀୟ ଜୀବନ ପ୍ରଦାନ କରିଥିବାରୁ ଏମ୍ସ ଭୁବନେଶ୍ୱର ଡାକ୍ତରୀ ଦଳକୁ କୃତଜ୍ଞତା ପ୍ରଦାନ କରିଛନ୍ତି ଯବାନଙ୍କ ମା।