ନୂଆଦିଲ୍ଲୀ: ବଜେଟ୍ ୨୦୨୬ରେ ଚାଷୀମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ଉଚ୍ଚ ମୂଲ୍ୟର କୃଷିଜାତ ଦ୍ରବ୍ୟ ଯଥା କାଜୁ, କୋକୋ ଏବଂ ଚନ୍ଦନ ଚାଷକୁ ନେଇ ବଜେଟରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛନ୍ତି । ୨୦୩୦ ସୁଦ୍ଧା ଭାରତୀୟ କାଜୁ ଓ କୋକୋକୁ ବିଶ୍ୱର ଏକ ପ୍ରିମିୟମ୍ ବ୍ରାଣ୍ଡ୍ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ ରଖାଯାଇଛି ।
ଚନ୍ଦନ ଚାଷକୁ ବୃଦ୍ଧି କରିବାକୁ ସରକାର ରାଜ୍ୟମାନଙ୍କ ସହ ସହଭାଗିତା କରିବେ । ଏଥିପାଇଁ ବୈଜ୍ଞାନିକ ଚାଷ ପ୍ରଣାଳୀ ଏବଂ ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ ଉପରେ ଫୋକସ୍ କରାଯିବ । ଅଖରୋଟ୍, ଆଲମଣ୍ଡ୍ ଏବଂ ପାଇନ୍ ନଟ୍ସର ଘନ ଚାଷ ପାଇଁ ସରକାରୀ ସହାୟତା ପ୍ରଦାନ କରାଯିବ।ଏହି ଯୋଜନାଗୁଡ଼ିକରେ ଗ୍ରାମୀଣ ଯୁବକମାନଙ୍କୁ ସାମିଲ କରାଯାଇ ମୂଲ୍ୟ ବୃଦ୍ଧି ଉପରେ ଜୋର୍ ଦିଆଯିବ, ଯାହା ଚାଷୀଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହେବ ।
ଏଥିସହିତ କଞ୍ଚାମାଲ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ ସରକାର ଏକ ସମର୍ପିତ କାର୍ଯ୍ୟକ୍ରମ ଆରମ୍ଭ କରିବେ ।