ମୁମ୍ବାଇ: ସାନ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଯାହା ଫଳରେ ମଙ୍ଗଳବାର କୋଲକାତା ବିମାନବନ୍ଦରରେ ଏହାର ନିର୍ଦ୍ଧାରିତ ରହଣି ସମୟରେ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ବାଧ୍ୟ କରାଯାଇଥିଲା।
ସୂଚନା ଅନୁଯାୟୀ, ବିମାନ AI180 ସମୟ ଅନୁସାରେ 0045 ଘଣ୍ଟାରେ ବିମାନବନ୍ଦରରେ ପହଞ୍ଚିଥିଲା କିନ୍ତୁ ବାମ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ବିଳମ୍ବ ହୋଇଥିଲା। ପ୍ରାୟ 0520 ଘଣ୍ଟାରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବାକୁ କୁହାଯାଇଥିଲା। ବିମାନର ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ଯାତ୍ରୀମାନଙ୍କୁ କହିଥିଲେ ବିମାନର କ୍ୟାପ୍ଟେନ।
ଏୟାର ଇଣ୍ଡିଆର ବିମାନ AI180 ନିର୍ଦ୍ଧାରିତ ସମୟ ଅନୁସାରେ ସାନ ଫ୍ରାନ୍ସିସ୍କୋ ବିମାନବନ୍ଦରରୁ ଉଡ଼ାଣ କରିଥିଲା। କିନ୍ତୁ ରାତି 12:45 ରେ କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ ଏହାର ବାମ ଇଞ୍ଜିନରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଚାରି ଘଣ୍ଟାରୁ ଅଧିକ ସମୟ ପରେ ସକାଳ 5:20 ସମୟରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବାକୁ କୁହାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେବ ଏୟାର ଇଣ୍ଡିଆର ବିମାନରେ କ୍ରମାଗତ ଭାବେ ତ୍ରୁଟି ଦେଖାଯାଉଛି। ଗତ ପାଞ୍ଚ ଦିନ ପୂର୍ବେ ଏକ ବିମାନ ଦୁର୍ଘଟଣା ହୋଇଥିଲା। ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନର ଗାଟୱିକ୍ ବିମାନବନ୍ଦରକୁ ଉଡ଼ାଣ ଭରିବାର କିଛି ସମୟ ପରେ ଏୟାର ଇଣ୍ଡିଆର ବିମାନ AI-171 ବିଜେ ମେଡିକାଲ କଲେଜର ହଷ୍ଟେଲ କୋଠା ସହିତ ଧକ୍କା ଦେଇଥିଲା। ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରେ ୨୪୨ ଜଣ ଥିଲେ। ଯେଉଁଥିରେ ୨୩୦ ଜଣ ଯାତ୍ରୀ, ୧୦ ଜଣ କ୍ୟାବିନ କ୍ରୁ ସଦସ୍ୟ ଏବଂ ଦୁଇଜଣ ପାଇଲଟ ଥିଲେ। ତେବେ ବ୍ରିଟିଶ ନାଗରିକ ବିଶ୍ୱାସ କୁମାର ରମେଶଙ୍କ ବ୍ୟତୀତ ସମସ୍ତଙ୍କ ମୃତ୍ୟୁ ହୋଇଥିଲା।
ସେହିପରି ହଂକଂରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ AI315 ଉଡ଼ାଣ ମଝିରେ ଯାନ୍ତ୍ରିକ ସମସ୍ୟା ଦେଖାଦେବାରୁ ଏହାକୁ ଏହାର ମୂଳ ସ୍ଥାନକୁ ଫେରିବାକୁ ପଡିଥିଲା। ଗତ ରବିବାର ଦିନ, ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ଚେନ୍ନାଇ (ଭାରତ) ଅଭିମୁଖେ ଯାତ୍ରା କରିଥିବା ବ୍ରିଟିଶ ଏୟାରୱେଜ୍ ବିମାନ BA35 ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା।
Comments are closed.