Latest Odisha News

ଏୟାର ଇଣ୍ଡିଆ ବିମାନ ଭୁଲରେ ପଠାଇଲା ହାଇଜାକ୍ ହେବାର ସିଗନାଲ୍ ଆଉ ତା’ପରେ…

ନୂଆଦିଲ୍ଲୀ: ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦ୍ୱାରା ହାଇଜ୍ୟାକ ସିଗନାଲ ପଠାଯାଇଥିବା ଏକ ମାମଲା ସାମ୍ନାକୁ ଆସିଛି । ସୂତ୍ରରୁ ପ୍ରକାଶ ଯେ, ଏହି ଘଟଣା ୨୭ ଜାନୁଆରୀର । ସେହି ଦିନ, ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏୟାର ଇଣ୍ଡିଆର ଏକ ବିମାନ ଅସାବଧାନତାବଶତଃ ‘ହାଇଜ୍ୟାକ’ ସଙ୍କେତ ପଠାଇଥିଲା । ଯାହା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଘଟଣାର ତଦନ୍ତ ଆରମ୍ଭ କରାଗଲା । ତଥାପି, ଏହି ମାମଲାରେ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ ।

ସୂତ୍ର ଅନୁଯାୟୀ, ହାଇଜ୍ୟାକ ଆଲର୍ଟ ପଠାଯିବା ପରେ ତୁରନ୍ତ ସୁରକ୍ଷା ପ୍ରୋଟୋକଲ କାର୍ଯ୍ୟକାରୀ କରାଯାଇଥିଲା । ଏହା ପରେ, ଯେତେବେଳେ ବିମାନଟି ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଲା, ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଦିଆଯାଇଥିଲା ଏବଂ ବିମାନକୁ ଆଇସୋଲେସନ ଓ୍ବେକୁ ନିଆଯାଇଥିଲା ।

ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ବିମାନ AI 2957 ‘7500’ ସ୍କ୍ୱାକ୍ କୋଡ୍ ସହିତ ସିଗନାଲ ପଠାଇଥିଲା । ଏହି କୋଡ୍ ହାଇଜାକ୍ ବିଷୟରେ ସତର୍କ କରିବା ପାଇଁ ବ୍ୟବହୃତ ହୁଏ । ଜଣେ ଅଧିକାରୀ କହିଛନ୍ତି ଯେ, ପ୍ରାୟ ତିନି ମିନିଟ୍ ପାଇଁ ସ୍କ୍ୱାକ୍ କୋଡ୍ ଦବାଇ ଦିଆଯାଇଥିଲା । କୋଡ୍ ଜାରି ହେବା ପରେ, ପାଇଲଟ୍ ଇନ୍ କମାଣ୍ଡ (ପିଆଇସି) ସମ୍ପୃକ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ (ଏଟିସି)ଙ୍କୁ ଜଣାଇଥିଲେ ଯେ କୋଡ୍ ଅସାବଧାନତାବଶତଃ ଦବାଇ ଦିଆଯାଇଥିଲା ।

ଅଧିକାରୀ କହିଛନ୍ତି ଯେ, ଏହା ଏକ ଜରୁରୀକାଳୀନ କୋଡ୍ ହୋଇଥିବାରୁ, ପ୍ରାସଙ୍ଗିକ ସୁରକ୍ଷା ପ୍ରୋଟୋକଲ୍ ଆରମ୍ଭ କରାଯାଇଥିଲା । ଏହି ଘଟଣାରେ କୌଣସି କ୍ରୁ ସଦସ୍ୟଙ୍କ ସମ୍ପୃକ୍ତିର କୌଣସି ସୂଚନା ମିଳିନାହିଁ ବୋଲି ଏୟାରଲାଇନ୍ସ ସୂତ୍ରରୁ ଜଣାପଡ଼ିଛି । ଏହା ଏକ ଯାନ୍ତ୍ରିକ ତ୍ରୁଟି ହୋଇପାରେ । ତେଣୁ ଏହି ଘଟଣାର ତଦନ୍ତ ଜାରି ରହିଛି ।

Comments are closed.