ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ବିମାନରେ ଯାତ୍ରୀଙ୍କ ଦ୍ୱାରା କ୍ରୁ ସଦସ୍ୟଙ୍କ ସହ ଅନେକ ଅସଦାଚରଣ କରୁଥିବା ଘଟଣା ବୃଦ୍ଧି ପାଇଛି। ଏୟାର ଇଣ୍ଡିଆ ବିମାନର ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଟୋରଣ୍ଟୋରୁ ଦିଲ୍ଲୀକୁ ଆସୁଥିବା ବିମାନରେ କ୍ରୁ ସଦସ୍ୟଙ୍କ ସହ ଯାତ୍ରୀଙ୍କ ଦ୍ୱାରା ଦୁର୍ବ୍ୟବହାର ଏବଂ ଅସଦାଚରଣ କରାଯାଇଥିବା ଖବର ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିମାନରେ ସିଗାରେଟ୍ ଟାଣିବା ଏବଂ ଶୌଚାଳୟ କବାଟ ଭାଙ୍ଗିବା ଅଭିଯୋଗରେ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଯାତ୍ରୀ ଜଣକ ନେପାଳର ନାଗରିକ ଏବଂ ତାଙ୍କ ନାମ ମହେଶ ପଣ୍ଡିତ ବୋଲି କୁହାଯାଉଛି।
ଗଣମାଧ୍ୟମ ସୂଚନା ଅନୁଯାୟୀ, ବିମାନରେ ଯାତ୍ରା କରୁଥିବା ଏହି ଯାତ୍ରୀ କ୍ରୁ ସଦସ୍ୟମାନଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ବିମାନ ଭିତରେ ସିଗାରେଟ୍ ଟାଣିବା ପାଇଁ ତାଙ୍କୁ ଅଟକାଇବା ପରେ ହଙ୍ଗାମା ଆରମ୍ଭ କରିଥିଲେ। ଏହା ପରେ ତାଙ୍କୁ ବହୁତ କଷ୍ଟରେ ନିୟନ୍ତ୍ରଣକୁ ନିଆଯାଇଥିଲା। ଏଫଆଇଆର ଅନୁଯାୟୀ ପୀଡିତା କ୍ରୁ ସଦସ୍ୟ ଆଦିତ୍ୟ କୁମାର କହିଛନ୍ତି ଯେ ଟୋରଣ୍ଟୋରୁ ଦିଲ୍ଲୀ ଯାଉଥିବା ଯାତ୍ରୀ ମହେଶ ପଣ୍ଡିତ ପ୍ରଥମେ ନିଜ ଆସନ ବଦଳାଇ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ଏହା ପରେ, ବିମାନର ଶୌଚାଳୟକୁ ଯାଇ ସିଗାରେଟ ଟାଣିବା ସହ ଶୌଚାଳୟର କବାଟ ଖୋଲିବା ମାତ୍ରେ ସେ କ୍ରୁ ସଦସ୍ୟଙ୍କୁ ଠେଲି ଦେଇ ନିଜ ଆସନ ଆଡକୁ ଦୌଡ଼ିଗଲେ ଏବଂ ଟଏଲେଟ୍ ଗେଟ୍ 3F-RC ଭାଙ୍ଗିଦେଲେ।
ଯାତ୍ରୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ କ୍ୟାପଟେନଙ୍କୁ ସୂଚନା ଦିଆଯାଇଥିଲା ବୋଲି କ୍ରୁ ସଦସ୍ୟ କହିଛନ୍ତି। ଏହା ପରେ କ୍ରୁ ସଦସ୍ୟ ଏବଂ ଯାତ୍ରୀମାନେ ତାଙ୍କୁ ନିୟନ୍ତ୍ରଣକୁ ଆଣିଥିଲେ। ସେ କହିଛନ୍ତି ଯେ ଅଭିଯୁକ୍ତ ଯାତ୍ରୀ ଏତେ ଅନିୟନ୍ତ୍ରିତ ହୋଇଗଲେ ଯେ ତାଙ୍କୁ ୧୦ ଜଣ ଯାତ୍ରୀଙ୍କ ସହାୟତାରେ ନିୟନ୍ତ୍ରଣକୁ ନିଆଯାଇଥିଲା। ସେ ବିମାନରେ ଅନ୍ୟ ଯାତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।
ସୂଚନା ଥାଉକି, ଗତ କିଛି ମାସ ମଧ୍ୟରେ ବିମାନରେ ଏଭଳି ମାମଲା ବହୁତ ବୃଦ୍ଧି ପାଇଛି। ଏହାପୂର୍ବରୁ ମେ ମାସରେ ଏୟାର ଇଣ୍ଡିଆ ବିମାନର ଏକ ସମାନ ମାମଲା ସାମ୍ନାକୁ ଆସିଥିଲା। ଏହି ସମୟରେ ଜଣେ ଯାତ୍ରୀ ଦୁର୍ବ୍ୟବହାର କରିବା ପରେ କ୍ରୁ ସଦସ୍ୟମାନଙ୍କୁ ଆକ୍ରମଣ କରିଥିଲେ। ଏପ୍ରିଲରେ ମଧ୍ୟ ସମାନ ମାମଲା ଦେଖିବାକୁ ମିଳିଥିଲା। ଏପରି ମାମଲା ଦିନକୁ ଦିନ ବଢିଚାଲିଲେ ବିମାନର କ୍ରୁ ସଦସ୍ୟ କେତେ ଦୂର ସୁରକ୍ଷିତ ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Comments are closed.