Latest Odisha News

ପାଇଲଟଙ୍କ ମୃତ୍ୟୁ ପଛର ସତ

ମୁମ୍ବାଇ: କେମିତି ହେଲା ପାଇଲଟ୍ ସୃଷ୍ଟି ତୁଲିଙ୍କ ମୃତ୍ୟୁ? ଆତ୍ମହତ୍ୟା କରିଛନ୍ତି ନା କରାଯାଇଛି ହତ୍ୟା ? ପାଇଲଟଙ୍କ ମୃତ୍ୟୁ ପଛର ସତ କଣ? ସନ୍ଦେହ ଘେରରେ ଉତ୍ତରପ୍ରଦେଶ ଗୋରଖପୁରର ପାଇଲଟ ସୃଷ୍ଟି ତୁଲିଙ୍କ ମୃତ୍ୟୁ । ବୟଫ୍ରେଣ୍ଡ ଆଦିତ୍ୟ ପଣ୍ଡିତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ସେପଟେ ସଂଗୀନ ଅଭିଯୋଗ ଆଣିଛନ୍ତି ସୃଷ୍ଟିଙ୍କ ପରିବାର ଲୋକେ । ଆଦିତ୍ୟ ସର୍ବସାଧାରଣରେ ସୃଷ୍ଟିଙ୍କୁ ଅପମାନିତ କରୁଥିଲେ, ମାନସିକ ନିର୍ଯାତନା ଦେବା ସହ ବ୍ଲାକମେଲିଂ କରି ତାଙ୍କଠାରୁ ଟଙ୍କା ନେଉଥିଲେ ବୋଲି ଅଭିଯୋଗ ହୋଇଛି। ସୃଷ୍ଟିଙ୍କ ମୃତ୍ୟୁ ପଛରେ ସୁଇସାଇଡ୍ ଥିଓରିକୁ ତାଙ୍କ ପରିବାର ଲୋକେ ମାନି ନାହାନ୍ତି । ସୃଷ୍ଟିଙ୍କୁ ହତ୍ୟା କରାଯାଇଛି ଓ ଆଦିତ୍ୟ ହିଁ ହତ୍ୟାକାରୀ ବୋଲି କହିଛନ୍ତି ।

କାହିଁକି ସୁଇସାଇଡ୍ ଥିଓରୀକୁ ସନ୍ଦେହ?

ମୁମ୍ବାଇ ମାରୋଲ ଅଞ୍ଚଳରେ ଭଡାଘରୁ ସୃଷ୍ଟିଙ୍କ ମୃତଦେହ ସୋମବାର ଉଦ୍ଧାର କରାଯାଇଥିଲା । ବୟଫ୍ରେଣ୍ଡ ଆଦିତ୍ୟ ପଣ୍ଡିତଙ୍କ ସହ ଝଗଡା ପରେ ଏକ ଡାଟା କେବୁଲରେ ଝୁଲି ପଡିଥିଲେ ସୃଷ୍ଟି । ଆଦିତ୍ୟ ସଙ୍ଗେ ସଙ୍ଗେ ସୃଷ୍ଟିଙ୍କ ଫ୍ଲାଟରେ ପହଞ୍ଚିଥିଲେ । ତେବେ କବାଟ ବନ୍ଦ ଥିଲା । ନକଲି ଚାବି ତିଆରି କରି କବାଟ ଖୋଲି ସୃଷ୍ଟିଙ୍କୁ ହସପିଟାଲ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ତାଙ୍କ ବୟଫ୍ରେଣ୍ଡ ଆଦିତ୍ୟ କହିଛନ୍ତି । ତେବେ ପୋଲିସକୁ ଫ୍ଲାଟରେ କୌଣସି ସୁଇସାଇଡ୍ ନୋଟ୍ ମିଳିନି । ସେପଟେ ଚାର୍ଜିଂ କେବୁଲରେ ଝୁଲି କେମିତି ଜଣେ ଆତ୍ମହତ୍ୟା କରିପାରିବ? ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି । ଆଦିତ୍ୟଙ୍କୁ ଯଦି ଲାଗିଲା ସୃଷ୍ଟି ଆତ୍ମହତ୍ୟା କରିପାରନ୍ତି, ସେ କାହିଁକି ପୋଲିସକୁ ଜଣାଇଲେନି? ଏପରିକି କ୍ରାଇମସିନରେ ବି ପ୍ରମାଣ ନଷ୍ଟ କରାଯାଇଥିବା ସୃଷ୍ଟିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଆମିଷ ଖାଇଲେ କରୁଥିଲେ ଅପମାନ !

ସୃଷ୍ଟି ଆମିଷ ଖାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ସୃଷ୍ଟିଙ୍କୁ ଆମିଷ ଖାଇବାକୁ ମନା କରୁଥିଲେ ଆଦିତ୍ୟ । ଏପରିକି ଏହାକୁ ନେଇ ଅନ୍ୟମାନଙ୍କ ଆଗରେ ଅପମାନିତ କରୁଥିଲେ । ଥରେ ସାଙ୍ଗ ମାନଙ୍କ ସହ ଆମିଷ ଖାଇବାକୁ ନେଇ ଆଦିତ୍ୟ ତାଙ୍କୁ ସମସ୍ତଙ୍କ ସାମନାରେ ଦୁର୍ବ୍ୟବହାର କରିଥିଲେ । ନିକଟରେ ଏହାକୁ ନେଇ ଝଗଡା ହେବାରୁ ଆଦିତ୍ୟଙ୍କ ଭଉଣୀର ଏନଗେଜମେଣ୍ଟରେ ସାମିଲ ହୋଇନଥିଲେ ସୃଷ୍ଟି । ଆଦିତ୍ୟ ସୃଷ୍ଟିଙ୍କୁ ଲଗାତର ମାନସିକ ନିର୍ଯାତନା ଦେଉଥିଲେ । ଶେଷରେ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି ।

ବ୍ଲାକମେଲିଂ କରୁଥିଲେ ଆଦିତ୍ୟ !

କମର୍ସିଆଲ୍ ଫ୍ଲାଇଟ୍ ଚଳାଇବା ଟ୍ରେନିଂ ବେଳେ ଆଦିତ୍ୟଙ୍କ ସହ ସୃଷ୍ଟିଙ୍କ ଦେଖା ହୋଇଥିଲା । ସୃଷ୍ଟି ପୂରା କୋର୍ସ ଶେଷ କରିଥିଲେ, ତେବେ ଆଦିତ୍ୟ କୋର୍ସ ଅଧାରୁ ଛାଡିଥିଲେ। ବିମାନ ଉଡାଣ ଲାଇସେନ୍ସ ପାଇବା ପରେ ସୃଷ୍ଟି ଗତବର୍ଷ ମୁମ୍ବାଇ ଆସିଥିଲେ ।  ତେବେ ଫ୍ଲାଇଂ କୋର୍ସ ଅଧାରେ ଛାଡିଥିବା ଆଦିତ୍ୟ ସୃଷ୍ଟିଙ୍କୁ ଇର୍ଷା କରୁଥିଲେ । ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ସୃଷ୍ଟିଙ୍କ ପରିବାର ଲୋକେ କହିଛନ୍ତି । ଏପରିକି ବ୍ଲାକମେଲିଂ କରି ସୃଷ୍ଟିଙ୍କଠାରୁ ଟଙ୍କା ନେଉଥିଲେ ଆଦିତ୍ୟ । ସୃଷ୍ଟିଙ୍କ ବ୍ୟାଙ୍କ ଆକାଉଣ୍ଟ ଦେଖିବା ପରେ ଗତ ଦିପାବଳୀରେ ସେ ଆଦିତ୍ୟଙ୍କ ପରିବାର ଲୋକଙ୍କୁ ୬୫ ହଜାର ଟଙ୍କା ଦେଇଥିବା ଜଣାପଡିଛି । ଟଙ୍କା ପାଇଁ ମନା କରିବାରୁ ଆଦିତ୍ୟ ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି ।

ସୃଷ୍ଟି ମୃତ୍ୟୁ ମାମଲାରେ ଆଦିତ୍ୟଙ୍କର ଅନ୍ୟ ଜଣେ ଗାର୍ଲଫ୍ରେଣ୍ଡଙ୍କ ଲିଙ୍କ ନେଇ ବି ପରିବାର ଲୋକେ ସନ୍ଦେହ କରୁଛନ୍ତି । ସୃଷ୍ଟିଙ୍କ ନମ୍ବରକୁ କଲ୍ କରିବା ବେଳେ ଉର୍ବି ନାମକ ଅନ୍ୟ ଜଣେ ଯୁବତୀ ଫୋନ୍ ରିସିଭ କରିଥିଲେ । ଆଦିତ୍ୟ ସେହି ଯୁବତୀଙ୍କୁ ଡାକି ହିଁ ସୃଷ୍ଚିଙ୍କ ଫ୍ଲାଟର ନକଲି ଚାବି ତିଆରି କରିଥିବା କୁହାଯାଉଛି । ସୃଷ୍ଟିଙ୍କ ବାପା ମେଜର ନରେନ୍ଦ୍ର କୁମାର ଭାରତୀୟ ସେନାରେ ଥିଲେ। ୧୯୭୧ ଯୁଦ୍ଧରେ ସେ ସହିଦ ହୋଇଯାଇଥିଲେ । ଉତ୍ତରପ୍ରଦେଶ ଗୋରଖପୁରର ପ୍ରଥମ ମହିଳା ପାଇଲଟ୍ ସୃଷ୍ଟି ତୁଲିଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ମାନିତ କରିଥିଲେ ।

Comments are closed.