Latest Odisha News

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ବଡ ଖୁଲାସା: କ୍ରାସ ପୂର୍ବରୁ ୨ଥର ଫୁଏଲ୍ ସ୍ପିଚ୍ ବଦଳାଇଥିଲା ଏଆଇ….

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ସମ୍ପର୍କରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB)ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆ ଗତ ଛଅ ବର୍ଷ ମଧ୍ୟରେ ଏହି ବିମାନର ଥ୍ରୋଟଲ୍ କଣ୍ଟ୍ରୋଲ୍ ମଡ୍ୟୁଲ୍ (TCM) ଦୁଇଥର ପରିବର୍ତ୍ତନ କରିଥିଲା । ପ୍ରଥମ ଥର ୨୦୧୯ରେ ଏବଂ ଦ୍ୱିତୀୟ ଥର ୨୦୨୩ରେ, ଯାହା ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ହଠାତ୍ ବନ୍ଦ ହେବା ପାଇଲଟଙ୍କ ତ୍ରୁଟି ଆଡକୁ ଢଳୁଥିବା ମୋଡକୁ ଏବେ ପୁଣି ପ୍ରଶ୍ନବାଚୀ କରିଛି।

ତେବେ କହିରଖୁଛୁ, ଟିସିଏମ ଏକ ଗୁରୁତ୍ୱପୂର୍ଣ୍ଣ ଉଡ଼ାଣ ପ୍ରଣାଳୀ, ଯେଉଁଥିରେ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ମଧ୍ୟ ଅନ୍ତର୍ଭୁକ୍ତ। ଏହି ସମାନ ସ୍ୱିଚ୍ ବର୍ତ୍ତମାନ ଦୁର୍ଘଟଣାର ତଦନ୍ତରେ କେନ୍ଦ୍ରକୁ ଆସିଛି, କାରଣ ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରୁ ଉଡ଼ାଣ ଭରିବା ପରେ ଏହି ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ହଠାତ୍ ବନ୍ଦ ହୋଇଯାଇଥିଲା, ଯାହା ପରେ ଏହି ଦୁର୍ଘଟଣା ଘଟିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଟିସିଏମ ବଦଳାଇବାର ନିଷ୍ପତ୍ତି ୨୦୧୯ରେ ବୋଇଂ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ପରେ ନିଆଯାଇଥିଲା। ଏୟାର ଇଣ୍ଡିଆ ଏହି ନିର୍ଦ୍ଦେଶକୁ ପାଳନ କରି ୨୦୧୯ ଏବଂ ୨୦୨୩ରେ ଡ୍ରିମଲାଇନର୍ ବିମାନ VT-ANB ର TCM ବଦଳାଇଥିଲା।

AAIB ର ପ୍ରାଥମିକ ରିପୋର୍ଟରେ ଉଲ୍ଲେଖ ଅଛି ଯେ TCM କୁ ଦୁଇଥର ବଦଳାଯାଇଥିଲା, କିନ୍ତୁ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ କାର୍ଯ୍ୟକାରିତା ସହିତ ଏହାର କୌଣସି ସିଧାସଳଖ ସମ୍ପର୍କ ଥିବା ଜଣାପଡ଼ିନାହିଁ। ତଥାପି, ତଦନ୍ତରେ ଏହା ମଧ୍ୟ କୁହାଯାଇଛି ଯେ ଦୁର୍ଘଟଣା ସମୟରେ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ହଠାତ୍ ବନ୍ଦ ହୋଇଯିବା ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇ ରହିଛି। ଏୟାରଲାଇନ୍ ପାଇଲଟ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ALPAI) ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି। ସଂଗଠନ କହିଛି ଯେ ତଦନ୍ତର ଧାରା ଆରମ୍ଭରୁ ପାଇଲଟ୍ ଙ୍କ ଭୁଲ୍ ପ୍ରତି ଆକର୍ଷିତ ହେଉଥିବା ପରି ମନେ ହେଉଛି, ଯାହା ତଦନ୍ତକୁ ପକ୍ଷପାତୀ କରିପାରେ । ALPAI ଏକ ନିରପେକ୍ଷ ଏବଂ ତଥ୍ୟଭିତ୍ତିକ ତଦନ୍ତ ଦାବି କରିଛି ଏବଂ କହିଛି ଯେ କୌଣସି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ବୈଷୟିକ ଦିଗଗୁଡ଼ିକର ଗଭୀରତା ସହିତ ତଦନ୍ତ କରିବା ଆବଶ୍ୟକ।

Comments are closed.