Latest Odisha News

BREAKING NEWS

ବିପଜ୍ଜନକ ଅବସ୍ଥାରେ ଦିଲ୍ଲୀର ବାୟୁ ପ୍ରଦୂଷଣ, ସକାଳ ୫ଟା ସୁଦ୍ଧା ଏକ୍ୟୁଆଇ ୫୦୦ ପାର୍

ନୂଆଦିଲ୍ଲୀ: ଦୀପାବଳି ସରିବାର ୨ ଦିନ ପରେ ମଧ୍ୟ ବିପଜ୍ଜନକ ଅବସ୍ଥାରେ ଦିଲ୍ଲୀର ବାୟୁ ପ୍ରଦୂଷଣ । ସକାଳ ୫ଟା ସୁଦ୍ଧା ଏକ୍ୟୁଆଇ ୫୦୦ ପାର୍ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ନିର୍ଦ୍ଧାରିତ ସୀମା ଠାରୁ ଦିଲ୍ଲୀରେ ପ୍ରଦୂଷଣ ୬୫ ଗୁଣ ଅଧିକ ରହିଛି । ୧୨ ଘଣ୍ଟାରେ ପ୍ରଦୂଷଣ ସ୍ତର ୩୨୭ରୁ ୫୦୭କୁ ବୃଦ୍ଧି ପାଇଛି ।

ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି । ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି । ଅନ୍ୟପଟେ ବାୟୁ ପ୍ରଦୂଷଣ କାରଣରୁ ଅଣନିଶ୍ଵାସୀ ହୋଇପଡିଛନ୍ତି ଦିଲ୍ଲୀବାସୀ । ଡିଜିଟାଲ ପ୍ଲାଟ୍‌ଫର୍ମ ଲୋକାଲ ସର୍କଲ୍ସର ରିପୋର୍ଟ ଅନୁସାରେ, ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ରହୁଥିବା ୬୯% ପରିବାରର ଜଣେ କିମ୍ବା ଏକାଧିକ ସଦସ୍ୟ ଗଳା ଯନ୍ତ୍ରଣା କିମ୍ବା କାଶ ପରି ପ୍ରଦୂଷଣଜନିତ ରୋଗରେ ପୀଡ଼ିତ। ବାୟୁ ପ୍ରଦୂଷଣ ଯୋଗୁ ୬୨%ରୁ ଅଧିକ ପରିବାରର ଜଣେ କିମ୍ବା ଏକାଧିକ ସଦସ୍ୟ ଆଖି ଜଳାପୋଡ଼ା ସମସ୍ୟାରେ ପୀଡ଼ିତ ଥିବାବେଳେ ୪୬% ପରିବାରର କୌଣସି ସଦସ୍ୟଙ୍କ ନାକ ବନ୍ଦ ପରି ସମସ୍ୟା ରହିଛି। ୩୧% ଶ୍ୱାସକ୍ରିୟା ବେଳେ ସମସ୍ୟା ଅନୁଭବ କରୁଥିବାବେଳେ ୨୩% ଧ୍ୟାନ କେନ୍ଦ୍ରିତ କରିବା ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ୧୫% ଲୋକଙ୍କ ନିଦ ସମସ୍ୟା ରହିଛି। ୩୧% ପରିବାରରେ ପ୍ରଦୂଷଣଜନିତ ସମସ୍ୟା ନାହିଁ।

ତେବେ କହିରଖୁଛୁ ଯେ, ଏୟାର କ୍ୱାଲିଟି ଇଣ୍ଡେକ୍ସ ୦ ରୁ ୫୦ମଧ୍ୟରେ ଥିଲେ ତେବେ ଏହା ‘ଭଲ’ ଅବସ୍ଥାରେ ଥିବା ନେଇ ବିବେଚନା କରାଯାଏ । ସେହିପରି ଏହା ୫୧ ରୁ ୧୦୦ ମଧ୍ୟରେ ରହିଲେ ଏହାକୁ ‘ସନ୍ତୋଷଜନକ’ ବର୍ଗରେ ବିବେଚନା କରାଯାଏ । ଯଦି ଏହା ୧୦୧ ରୁ ୨୦୦ ଭିତରେ ରୁହେ ତେବେ ଏହାକୁ ‘ମଧ୍ୟମ’ ଶ୍ରେଣୀରେ ବିବେଚନା କରାଯାଏ । ସେହିପରି ଏୟାର କ୍ୱାଲିଟି ଇଣ୍ଡେକ୍ସ ୨୦୧ ରୁ ୩୦୦ ମଧ୍ୟରେ ରହିଲେ ‘ଖରାପ’, ୩୦୧ ରୁ ୪୦୦ ମଧ୍ୟରେ ରହିଲେ ‘ଅତ୍ୟନ୍ତ ଖରାପ’ ଓ ୪୦୧ ରୁ ୫୦୦ ମଧ୍ୟରେ ରହିଲେ ‘ବିପଜ୍ଜନକ’ ବା ‘ଗୁରୁତର’ ଭାବରେ ବିବେଚନା କରାଯାଏ। ଯାହା ଲୋକଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

 

Comments are closed.