Latest Odisha News

ମାଇକ୍ରୋସଫ୍ଟ ସର୍ଭର ଡାଉନ, ଠପ୍ ହେଲା ବିମାନସେବା

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ହୋଇଯାଇଛି । ଏଥିପାଇଁ ବାଧାପ୍ରାପ୍ତ ହୋଇଛି ବିମାନ ସେବା । ଯେଉଁଥିରେ ଭାରତ ସହ ଅଷ୍ଟ୍ରେଲିଆ, ଆମେରିକା, ଜର୍ମାନୀ, ୟୁରୋପ ସବୁଠି ବିମାନସେବା ପ୍ରଭାବିତ ହୋଇଛି । ଯାହାକୁ ନେଇ ଭାରତ ଓ ସ୍ପାଇସଜେଟର ଏୟାରଲାଇନ୍ସ ଏହି କାରଣରୁ ବିମାନ ସେବାରେ ବାଧା ସୃଷ୍ଟି ହୋଇଛି ବୋଲି ଦର୍ଶାଇଛନ୍ତି । ବିମାନବନ୍ଦରରେ ଚେକ୍ ଇନ ଓ ଚେକ୍ ଆଉଟ୍ ସିଷ୍ଟମ ପୁରା ଠପ୍ ହୋଇଯାଇଥିବା ଜଣାପଡିଛି । ବୁକିଂ ସେବା ବି ପ୍ରଭାବିତ ହୋଇଥିବା ବେଳେ ଏଥିରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ଆମେରିକା ।

ଏପଟେ ଭାରତରେ ମଧ୍ୟ ଏହାର ପ୍ରଭାବ ଜୋରଦାର ଦେଖାଦେଲାଣି । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ସମେତ ଓଡିଶାର ଭୁବନେଶ୍ବର ବିମାନବନ୍ଦରରେ ମଧ୍ୟ ଏଥିପାଇଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ଯାହାକୁ ନେଇ ଭାରତ ସରକାର ମାଇକ୍ରୋସଫ୍ଟ ସହ ସମ୍ପର୍କ କରିଛନ୍ତି । ଅନେକ ଦେଶରେ ଏହାକୁ ନେଇ ସରକାର ଜରୁରୀକାଳୀନ ବୈଠକ ମଧ୍ୟ ବସାଇଛନ୍ତି । ଯଥାଶୀଘ୍ର କିପରି ଏହାର ସମାଧାନ କରାଯିବ ସେନେଇ ପ୍ରଚେଷ୍ଟା ଚାଲିଛି ।

ତେବେ ସାଇବର ସିକ୍ୟୁରିଟି ପ୍ଲାଟଫର୍ମ କ୍ରାଉଡଷ୍ଟ୍ରାଇକରେ କିଛି ସମସ୍ୟା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ଏନେଇ କ୍ରାଉଡଷ୍ଟାଇକ ତାର ଓ୍ବେବସାଇଟରେ ସୂଚନା ଦେଇଛି ଯେ, ଫାଲକନ ସେନ୍ସର ଦ୍ବାରା ଜଡିତ ବିଣ୍ଡୋଜର କ୍ରାସ କାରଣରୁ ଏଭଳି ସ୍ଥିତି ଉପୁଜିଛି, ଯାହା ବିଷୟରେ ସେମାନେ ଅବଗତ । ଯେଉଁଥିରେ ସବୁଠୁ ଅଧିକ ଆମେରିକା ପ୍ରଭାବିତ ହୋଇଛି । ଆମେରିକାର ଅନେକ ସ୍ଥାନରେ ଜରୁରୀକାଳୀନ ସେବା ୯୧୧ ବି ପ୍ରଭାବିତ ହୋଇଛି । ଯେଉଁ କାରଣରୁ କଲ୍ ସେଣ୍ଟର ବି ପ୍ରଭାବିତ ହୋଇଛି ।

ତେବେ ଖାଲି ଯେ ବିମାନସେବା ତାହା ନୁହେଁ, ବ୍ୟାଙ୍କିଙ୍ଗ, ଟେଲିକମ୍, ମିଡିଆ ଆଉଟଲେଟ୍ ସେବା ବି ପ୍ରଭାବିତ ହୋଇଛି । ଏମିତିକି ବ୍ରିଟେନରେ ଟିଭି ଚ୍ୟାନେଲ, ଟ୍ରେନ୍ ସେବା, ଷ୍ଟକ ମାର୍କେଟ ସବୁ ଠପ୍ । ସେପଟେ ଟେସଲା ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଚି ।  ଯାହା ଏବେ ଚିନ୍ତାର କାରଣ ପାଲଟିଛି ।

Comments are closed.