Latest Odisha News

୧୦ ମିନିଟରେ ଘରେ ବସି ପାଆନ୍ତୁ ନୂଆ ସିମ୍ !

ନୂଆଦିଲ୍ଲୀ: ମୋବାଇଲ୍ ସିମ୍ କିଣିବା ପାଇଁ, ଆପଣଙ୍କୁ ଆଉ  ଦୋକାନକୁ ଯାଇ ଆପଣଙ୍କର ପସନ୍ଦର ନମ୍ବର ଚୟନ କରିବାକୁ ପଡିବ ନାହିଁ। ଆପଣ ମାତ୍ର ୧୦ ମିନିଟରେ ଆପଣଙ୍କ ଘରେ ସିମ୍ ପାଇଯିବେ। ଅଗ୍ରଣୀ ଟେଲିକମ୍ କମ୍ପାନୀ ଏୟାରଟେଲ୍ କ୍ୱିକ୍ କମର୍ସ ପ୍ଲାଟଫର୍ମ ବ୍ଲିଙ୍କିଟ୍ ସହିତ ପାର୍ଟନରସିପ୍ କରିଛି ।

ଏବେ ବ୍ଲିଙ୍କିଟ୍ ୧୦ ମିନିଟ୍ ମଧ୍ୟରେ ରାସନ ସାମଗ୍ରୀ ପରି ସିମ୍ କାର୍ଡ ଡେଲିଭରୀ କରିବ। ଏହି ସୁବିଧା ଆରମ୍ଭ କରିବାରେ ଏୟାରଟେଲ ଦେଶର ପ୍ରଥମ ଟେଲିକମ୍ କମ୍ପାନୀ । ୧୬ଟି ସହରର ଲୋକମାନଙ୍କୁ ଘରେ ସିମ୍ କାର୍ଡ ଡେଲିଭରୀର ସୁବିଧା ମିଳିବ। ଫଳରେ କିଛି ମିନିଟ୍ ମଧ୍ୟରେ ଏକ ନୂତନ ସିମ୍ କାର୍ଡ ମିଳିଯିବ ।

ସୂଚନାନୁସାରେ, ଏଥିପାଇଁ ଲୋକମାନଙ୍କୁ ୪୯ ଟଙ୍କା ସୁବିଧା ଶୁଳ୍କ ଦେବାକୁ ପଡିବ। ଲୋକମାନେ କେବଳ ଏକ ନୂତନ ପ୍ରିପେଡ୍ ସିମ୍ ଅର୍ଡର ନୁହେଁ ପୋଷ୍ଟପେଡ୍ ସିମ୍ ମଧ୍ୟ ପାଇପାରିବେ । ନିଜର ମୋବାଇଲ୍ ନମ୍ବରକୁ ପୋର୍ଟେବିଲିଟି କରିବାକୁ ଚାହୁଛନ୍ତି ସେମାନେ ମଧ୍ୟ ବ୍ଲିଙ୍କିଟ୍ ମାଧ୍ୟମରେ ନୂଆ ସିମ୍ ଅର୍ଡର କରିପାରିବେ ।

ଯେତେବେଳେ ଗ୍ରାହକ ଏକ ନୂତନ ସିମ୍ ନେବେ, ତାଙ୍କୁ ଏହାକୁ ଆକ୍ଟିଭେଟ୍ କରିବାକୁ ପଡିବ। ସିମ୍ କାର୍ଡ ଆକ୍ଟିଭେସନ୍ ଆଧାର କାର୍ଡର କେୱାଇସି ମାଧ୍ୟମରେ କରାଯିବ। ଗ୍ରାହକଙ୍କୁ ଏକ ଅନଲାଇନ୍ ଲିଙ୍କ୍ ଦିଆଯିବ। ଏଥିରେ ନୂତନ ସିମ୍ କାର୍ଡକୁ କିପରି ଆକ୍ଟିଭେଟ୍ କରିବେ ସେ ବିଷୟରେ ଏକ ଭିଡିଓ ଗାଇଡ୍ ସହିତ ନିର୍ଦ୍ଦେଶାବଳୀ ରହିବ। ଏହା ବ୍ୟତୀତ ଲୋକମାନେ ନିଜ ମୋବାଇଲରେ ଏୟାରଟେଲ ଥାଙ୍କସ୍ ଆପ୍ ଡାଉନଲୋଡ୍ କରି ନୂତନ ସିମ୍ ଆକ୍ଟିଭେଟ୍ କରିପାରିବେ।

କମ୍ପାନୀ କହିଛି ଯେ, ନୂତନ ସିମ୍ କାର୍ଡକୁ ଯେକୌଣସି ପରିସ୍ଥିତିରେ ପନ୍ଦର ଦିନ ମଧ୍ୟରେ ସକ୍ରିୟ କରିବାକୁ ପଡିବ ।

ଏହି ସୁବିଧା ଲାଗୁ ହେବାକୁ ଥିବା ୧୬ଟି ସହରରେ ଦିଲ୍ଲୀ, ଗୁଡଗାଓଁ, ଫରିଦାବାଦ, ସୋନୀପତ୍, ଅହମ୍ମଦାବାଦ, ସୁରଟ, ଚେନ୍ନାଇ, ଭୋପାଳ, ଇନ୍ଦୋର, ବାଙ୍ଗାଲୁରୁ, ମୁମ୍ବାଇ, ପୁଣେ, ଲକ୍ଷ୍ନୌ, ଜୟପୁର, କୋଲକାତା ଏବଂ ହାଇଦ୍ରାବାଦ ରହିଛି । ଆଗାମୀ ଦିନରେ ଏହି ସୁବିଧାକୁ ଅନ୍ୟ ସହରରେ ମଧ୍ୟ ଲାଗୁ କରାଯିବ ।

 

Comments are closed.